୭ମ ଶିଶୁପାଳଗଡ଼ ମହୋତ୍ସବ: ବିଭୂତି ପଟ୍ଟନାୟକଙ୍କୁ ଶିଶୁପାଳଗଡ଼ ସମ୍ମାନ

‘ଶିଶୁପାଳଗଡ଼ : ଦ ଲଷ୍ଟ ସିଟି’ ଉନ୍ମୋଚିତ

ପୁରୁଣା ଭୁବନେଶ୍ବର: ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ସହ ଏହାର ପ୍ରଚାରପ୍ରସାର ପାଇଁ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ଆଜି ହୋଟେଲ କଳିଙ୍ଗ ଅଶୋକରେ ୭ମ ଶିଶୁପାଳଗଡ଼ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାପୋକର ଅଧ୍ୟକ୍ଷ ତଥା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଓଡ଼ିଶା ‘ମୋ ପରିବାର’ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ରବୀନ୍ଦ୍ର କୁମାର ପାତ୍ର, ଯୁବନେତା ସୁବାସ କୁମାର ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକଙ୍କୁ ‘ଶିଶୁପାଳଗଡ଼ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଥିଲା। ସ୍ମରଣିକା ‘ଶିଶୁପାଳଗଡ଼: ଦ ଲଷ୍ଟ ସିଟି’ ଉନ୍ମୋଚିତ ହୋଇଥିଲା। ଏଥିସହ କବି ଡ. ହୁସେନ ରବି ଗାନ୍ଧୀ, ସାମାଜିକ ଅନୁଷ୍ଠାନ ଓଡ଼ିଶା ମୋ ପରିବାର, ସମର୍ପିତ ଓଡ଼ିଶା, ନିସ୍ୱାର୍ଥ ସେବା ଓଡ଼ିଶା, ମିସନ୍‌ ରକ୍ତଦାନ, ବ୍ରଦରହୁଡ୍‌ ଗ୍ଲୋବାଲ ଫାଉଣ୍ଡେସନ୍‌, ନିୟମିତ ରକ୍ତଦାତା ଗୌରୀପ୍ରସାଦ ଦାଶ, ଜାତୀୟ ପୁରସ୍କାରପ୍ରାପ୍ତ ପଟ୍ଟଚିତ୍ରଶିଳ୍ପୀ ବିଜୟ ପରିଡ଼ା, ସମାଜସେବୀ ଅମରେନ୍ଦ୍ର ଗରାବଡୁ ଏବଂ ଓଡିଶୀ ନୃତ୍ୟ ଗୁରୁ ପୁଷ୍ପାଞ୍ଜଳି ନାୟକଙ୍କୁ କାପୋକ ‘ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ପରେ ପରେ କଣ୍ଠଶିଳ୍ପୀ ବବି ରାଜ, ଶର୍ମିଷ୍ଠା ଏବଂ ଶିବୁନ୍‌ ପ୍ରସାଦଙ୍କ ଦ୍ବାରା ସଂଗୀତ ପରିବେଷଣ ହୋଇଥିବା ବେଳେ ଭୁବନେଶ୍ବର ସାଇ କଳା ପରିଷଦର ଛାତ୍ରୀମାନଙ୍କ ଦ୍ବାରା ଓଡିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନମୁଗ୍ଧ କରିଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କାପୋକର ସଂପାଦକ ଚିତ୍ତ ରଂଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। ସଦସ୍ୟ ସୁବ୍ରତ ପାଇକରାୟ, ରଶ୍ମିରଞ୍ଜନ ଶ୍ରୀଚନ୍ଦନ, ବାମଦେବ ଗଜେନ୍ଦ୍ର, ବିଷ୍ଣୁ ରାଉତ, ଲଲାଟ ସାହୁ, ମାନସ ରଥ, ପ୍ରଦୀପ ମହାନ୍ତି, ବିଶ୍ବରଂଜନ ପାଇକରାୟ, ମିଥୁନ ନାୟକ, ଦିଲ୍ଲୀପ ନାୟକ, ସବ୍ୟସାଚୀ ପାଇକରାୟ, ସମରଜିତ, ସଂଘମିତ୍ରା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର