ରାଜଧାନୀର ସବୁ ପ୍ରମୁଖ ରାସ୍ତାରେ ବାଲି ପାଲଟିଛି ମରଣଯନ୍ତା

ଅଳିଆ ଥାଉ କି ନଥାଉ ସବୁ ଦିନ ଗାଡ଼ି ବୁଲୁଛି
ଗୋଟେ ସଂସ୍ଥା କିମି ପିଛା ୫୪୮ଟଙ୍କା, ଆଉ ଏକ ସଂସ୍ଥା ୪୫୦ଟଙ୍କା ନେଉଛି

ଭୁବନେଶ୍ବର : ରାଜଧାନୀର ସବୁ ପ୍ରମୁଖ ରାସ୍ତାରେ ବାଲି ବିଛାଇ ହୋଇ ପଡ଼ିଥିଲେ ହେଁ ବିଏମ୍‌ସି ଏଠାରେ ଯାନ୍ତ୍ରିକ ସଫେଇ କରିବାକୁ ଚିନ୍ତା କରିପାରୁନି। ଜଗନ୍ନାଥ ନଗର, ଝାରପଡ଼ା, ସହିଦନଗର, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଜାଗମରା, ଟଙ୍କପାଣି ରୋଡ୍‌ ପର୍ଯ୍ୟନ୍ତ ସବୁ ରାସ୍ତାରେ ବାଲି ଅଧା ରାସ୍ତା ମାଡ଼ି ବସିଛି। ଦୁଇ ଚକିଆ ଗାଡ଼ି ଏହି ରାସ୍ତାରେ ଗଲାବେଳେ ହଠାତ୍ ଯଦି କିଏ ବ୍ରେକ୍‌ ମାରିଦେଉଛି ତେବେ ଚକା ସ୍ଲିପ୍‌ କରିଯାଉଛି। ଏହିଭଳି ଦୁର୍ଘଟଣା ପ୍ରତିଦିନ ରାଜଧାନୀରେ ଘଟୁଛି। କିନ୍ତୁ ବିଏମ୍‌ସିର ସେଥିପ୍ରତି ନଜର ନାହିଁ। ବରଂ ଯେଉଁ ଅଞ୍ଚଳରେ ଯାନ୍ତ୍ରିକ ସଫେଇ ହେଉଛି ପ୍ରତିଦିନ ସେହି ରାସ୍ତାରେ ଅଳିଆ ଥାଉ କି ନଥାଉ ସଫେଇ ଗାଡ଼ି ବୁଲୁଛି। ବିଏମ୍‌ସି ସଫେଇ କ’ଣ ହେଉଛି ତାହା ଦେଖୁନି। କେବଳ ଜିପିଏସ୍‌ରେ ଗାଡ଼ି ଯେତେ କିଲୋମିଟର ଗଡ଼ୁଛି ସେହି ଅନୁଯାୟୀ ଟଙ୍କା ଗଣି ଦେଉଛି।

କିଟ୍‌ ଛକରୁ ଜୟଦେବ ବିହାର ଛକ, ସିଆରପି ଛକରୁ ପାୱାର ହାଉସ୍‌ ଛକ, ଷ୍ଟୁୱାର୍ଟ ସ୍କୁଲ ଛକରୁ ଡେଲ୍‌ଟା ଛକ, ରାଜଭବନ ଛକରୁ ଗୋପବନ୍ଧୁ ଛକ, ଗୋପବନ୍ଧୁ ଛକରୁ ସିରିପୁର ଛକ, ଗୋପବନ୍ଧୁ ନଗର ଛକରୁ ପାଇକନଗର ଛକ, ଡେଲ୍‌ଟା ଛକରୁ ଫାୟାର ଷ୍ଟେସନ ଛକ, ରାଜଭବନ ଛକରୁ ଗଙ୍ଗନଗର ଛକ, ଡେଲ୍‌ଟା ଛକରୁ ଗଙ୍ଗନଗର ଛକ, ଜୟଦେବ ବିହାର ଛକରୁ ରାଜଭବନ ଛକ, କିଟ୍‌ ଛକରୁ ଶିଖରଚଣ୍ଡୀ ଛକ, ଶିଖରଚଣ୍ଡୀ ଛକରୁ ଇନ୍‌ଫୋସିଟି ଛକ, ପଟିଆ ଛକରୁ ଇନ୍‌ଫୋସିଟି ଛକ, ଆଇଆରସି ଭିଲେଜ୍‌ ରିଙ୍ଗରୋଡ୍‌ (ସିଆରପି ଛକ-ଏକାମ୍ର କାନନ- ଜୟଦେବ ବିହାର ଛକ), ଖଣ୍ଡଗିରି ଛକରୁ ରସୁଲଗଡ଼ ଛକ ପର୍ଯ୍ୟନ୍ତ ଅଞ୍ଚଳକୁ ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ସଂସ୍ଥା ସଫା କରୁଛି। ଏଥିପାଇଁ ପ୍ରତି କିମି ପିଛା ୫୪୮ଟଙ୍କା ଲେଖାଁଏଁ ନେଉଛି।

ସେହିପରି ପ୍ୟାକେଜ୍‌-୨ରେ ରାଜ୍ୟ ସଂଗ୍ରାହଳୟରୁ ଗ୍ୟାରେଜ୍‌ ଛକ, ଆଚାର୍ଯ୍ୟ ବିହାରରୁ ବିମାନବନ୍ଦର ଛକ, ବାଣୀବିହାର ଛକରୁ ଶିଶୁଭବନ, ନୂଆ ବିମାନବନ୍ଦର ଛକରୁ ବିମାନବନ୍ଦର ଗୋଲେଇ, କଳ୍ପନା ଛକରୁ ରାଜଭବନ, ଗଙ୍ଗନଗରରୁ ଶିଶୁଭବନ, ଶିଶୁଭବନରୁ କ୍ୟାପିଟାଲ ହସ୍ପିଟାଲ ଛକ, ମାଉସୀ ମା’ ମନ୍ଦିର ଛକରୁ ଶିଶୁଭବନ, ପୁନାମା ଗେଟ୍‌ ଛକରୁ ବଢେଇବାଙ୍କ, ପୁନାମା ଗେଟ୍‌ ଛକରୁ ଫରେଷ୍ଟ ପାର୍କ ବସ୍‌ ଷ୍ଟପ୍‌, ମାଉସୀ ମା’ ଛକରୁ ବଢ଼େଇବାଙ୍କ, ମାଉସୀ ମା’ ଛକରୁ ରାଜ୍ୟ ସଂଗ୍ରହାଳୟ, ବଢେଇବାଙ୍କରୁ ଗ୍ୟାରେଜ୍‌ ଛକ, ରସୁଲଗଡ଼ରୁ କଳ୍ପନା ଛକ, କଳ୍ପନା ଛକରୁ ରାଜ୍ୟ ସଂଗ୍ରାହଳୟ, ଏଲ୍‌ଆଇସି ଛକରୁ ଗଙ୍ଗନଗର ଛକ, ପଟେଲ ମାର୍ଗ, ମଧୁସୂଦନ ମାର୍ଗ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିଅନ୍‌, ନିକୋ ପାର୍କ ଛକରୁ ମହର୍ଷି କଲେଜ ଛକ, ଖଣ୍ଡଗିରି ଛକରୁ ଲିଙ୍ଗରାଜ ଷ୍ଟେସନ, ଲିଙ୍ଗରାଜ ଷ୍ଟେସନରୁ ପୁନାମା ଗେଟ୍‌ ଫ୍ଲାଏଓଭର, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ପ୍ରେସ୍‌ ଛକରୁ ଓମଫେଡ୍‌ ଛକ ଭଳି ଅଞ୍ଚଳରେ ଜାଗୃତି ୱେଲଫେୟାର ଅର୍ଗାନାଇଜେସନ୍ ଯାନ୍ତ୍ରିକ ସଫେଇ କରୁଥିବାବେଳେ କିଲୋମିଟର ପିଛା ୪୫୦ଟଙ୍କା ଲେଖାଏ ନେଉଛି।

ଏହି ସବୁ ଅଞ୍ଚଳରେ ପ୍ରତିଦିନ ଯାନ୍ତ୍ରିକ ସଫେଇ କରିବାକୁ କୁହାଯାଇଥିବାରୁ ଅଳିଆ ଥାଉ କି ନଥାଉ ସଫେଇ ଗାଡ଼ି ବୁଲୁଛି। ହେଲେ ଏହାକୁ ଛାଡ଼ି ବାକି ଅଞ୍ଚଳରେ ରାସ୍ତାରେ ବାଲି ଜମା ହେଉଥିବାରୁ ଲୋକ ଦୁର୍ଘଟଣାର ଶିକାର ହୋଇ ମରନ୍ତୁ ପଛେ ବିଏମ୍‌ସି ସଫା କରିବାକୁ ଯୋଜନା କରିପାରୁନି।

ବିଏମ୍‌ସିର ପରିମଳ ବିଭାଗ ଓ ଇଞ୍ଜିନିୟରିଂ ବିଭାଗ ଯାନ୍ତ୍ରିକ ସଫେଇ ପରିଚାଳନା ଦାୟିତ୍ବରେ ଥିଲେ ହେଁ ଯାନ୍ତ୍ରିକ ସଫେଇ କିପରି ଅଧିକ ଅଞ୍ଚଳରେ ହୋଇପାରିବ ସେନେଇ କିଛି ଯୋଜନା କରୁନାହାନ୍ତି।

ସମ୍ବନ୍ଧିତ ଖବର