୧୫ ବର୍ଷ ପରେ ନବୀକରଣ ପାଇଁ ପଦକ୍ଷେପ, ନୂଆ ରୂପ ନେବ ଜୟଦେବ ଭବନ

ଭୁବନେଶ୍ବର: ନୂଆ ରୂପ ନେବ ଜୟଦେବ ଭବନ (ସୂଚନା ଭବନ)। ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ ଭିତର କକ୍ଷକୁ ନବୀକରଣ କରାଯିବ। ବର୍ଷକ ୧୨ମାସ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ମଞ୍ଚକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ବିଶେଷକରି ସଂଗୀତ କାର୍ଯ୍ୟକ୍ରମରେ ଧ୍ବନୀ ବ୍ୟବସ୍ଥା ପାଇଁ ଆକଷ୍ଟିକ ବୋର୍ଡ ବଦଳାଯାଇ ନୂଆ ଖଞ୍ଜାଯିବ। ଦୀର୍ଘ ବର୍ଷ ଧରି ଭାଙ୍ଗିରୁଜି ଯାଇଥିବା ସମସ୍ତ ଚେୟାର୍‌ଗୁଡ଼ିକ ପରିବର୍ତ୍ତନ କରାଯିବ। ସ୍କ୍ରିନ୍‌ ତଥା ପରଦା ବଦଳାଯାଇ ନୂଆ ଲାଗିବ। ଦୀର୍ଘ ୧୫ବର୍ଷ ପରେ ଜୟଦେବ ଭବନ ପ୍ରେକ୍ଷାଳୟକୁ ସଜାଡ଼ିବା ପାଇଁ ଏହି ନବୀକରଣ କାମ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି। ସଂପ୍ରତି କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରେକ୍ଷାଳୟର ବୁକିଂ ବନ୍ଦ କରିବାକୁ ନିର୍ଦ୍ଦେଶ ‌ଦିଆଯାଇଥିବା ବେଳେ ଏଇ ମଉକାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ଓ ନିର୍ଦ୍ଦେଶକ ଏହି ନବୀକରଣ କାମ ସାରିଦେବାକୁ ଉଦ୍ୟମ କରିଛନ୍ତି। ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌-୧ ଏହି କାର୍ଯ୍ୟ ହାତକୁ ନେଇଛି। ପ୍ରେକ୍ଷାଳୟ ସମେତ ଅନ୍ୟ ସମସ୍ତ ଆନୁଷଙ୍ଗିକ କାମ ପାଇଁ ପ୍ରାୟ ୪୦ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ସୂଚନା ମିଳିଛି। ଏଥିପାଇଁ ଅନ୍ୟୁନ ମାସେ ସମୟ ଲାଗିବ ବୋଲି ‌ଜଣାପଡ଼ିଛି।

ଦୀର୍ଘଦିନ ଧରି ଜୟଦେବ ଭବନ ପ୍ରେକ୍ଷାଳୟରେ ସିଟ୍‌, ଶୌଚାଳୟ, ଋଗ୍‌ଣ ସ୍କ୍ରିନକୁ ନେଇ ପ୍ରଶ୍ନ ଉଠିଥିଲା। ତେଣୁ ସରକାର ଏହାକୁ ସଜାଡ଼ିବା ପାଇଁ ପଦକ୍ଷେପ ନେଇଥିଲେ। ଏହି କାର୍ଯ୍ୟ ମଧ୍ୟରେ ପ୍ରେକ୍ଷାଳୟର ଚତୁଃପାର୍ଶ୍ବକୁ ରଙ୍ଗିନ କରାଯିବ। ଶୌଚାଳୟରେ ଥିବା ଅବ୍ୟବସ୍ଥା ସୁଧୁରିବ। ପାନୀୟ ଜଳ ପାଇଁ ଆବଶ୍ୟକ ସୁବିଧା ରହିବ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଲୋକସଜା ବ୍ୟବସ୍ଥା କରାଯିବ। ଏଥିସହ ଭିଆଇପି ଅତିଥି ଗୃହକୁ ମଧ୍ୟ ନବୀକରଣ କରାଯିବ। ଜୟଦେବ ଭବନରେ ଉଭୟ ଗ୍ରାଉଣ୍ଡ ଓ ବାଲକୋନି ବ୍ୟବସ୍ଥା ଥିବା ବେଳେ ମୋଟ ୩୭୫ଜଣ ବ୍ୟକ୍ତି ବସି କାର୍ଯ୍ୟକ୍ରମ ଉପଭୋଗ କରିବାର ସୁବିଧା ରହିଛି। ଯେତେ ପ୍ରେକ୍ଷାଳୟ ଉପଲବ୍ଧ ଅଛି, ସେଥିମଧ୍ୟରେ ଏହା ସବୁଠୁ ଶସ୍ତା ହୋଇଥିବାରୁ ଏଠାରେ ବର୍ଷକୁ ୩୫୦ଦିନ ନିଶ୍ଚିତ କିଛି ନା କିଛି କାର୍ଯ୍ୟକ୍ରମ ଥାଏ। ସକାଳ ବେଳା ୪ ଘଣ୍ଟାର କାର୍ଯ୍ୟକ୍ରମ ପାଇଁ ଭଡ଼ା ୫ହଜାର ଟଙ୍କା ରହିଥିବା ବେଳେ ସନ୍ଧ୍ୟାରେ ୪ଘଣ୍ଟା ପାଇଁ ଭଡ଼ା ୬ ହଜାର ଟଙ୍କା ରହିଛି। ସେହିଭଳି ସକାଳ ୧୦ରୁ ରାତି ୯ ପର୍ଯ୍ୟନ୍ତ ବୁକିଂ କରୁଥିବା ଅନୁଷ୍ଠାନକୁ ଏହି ପ୍ରେକ୍ଷାଳୟ ୧୨ ହଜାର ଟଙ୍କାରେ ଯୋଗାଇ ଦିଆଯାଏ। ତେଣୁ ଜୟଦେବ ଭବନ ପ୍ରେକ୍ଷାଳୟ ୬ମାସ କିମ୍ବା ବର୍ଷେ ଆଗରୁ ଅନେକ ବୁକିଂ କରିବାକୁ ପଡ଼େ। ମାତ୍ର ୨୦୦୫ମସିହା ପରଠୁ ପ୍ରେକ୍ଷାଳୟ ନବୀକରଣ କାମ ହୋଇନଥିଲା। ପ୍ରେକ୍ଷାଳୟ ‌ଧୀରେଧୀରେ ଦୁଃସ୍ଥ ହେବାରେ ଲାଗିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ଜୟଦେବ ଭବନକୁ ନୂଆ ରୂପ ଦେବା ପାଇଁ ଆଗେଇ ଆସିଛି।

ସମ୍ବନ୍ଧିତ ଖବର