କ୍ୟାପିଟାଲ ହସ୍ପିଟାଲରୁ ୩ ପଜିଟିଭ୍

ଜିଆରପି ଥାନା ଏସ୍‌ଆଇଙ୍କୁ କରୋନା

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ଓପିଡି ବା ବହିର୍ବିଭାଗରୁ ୩ଜଣ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ରେ ପରୀକ୍ଷା ପରେ ସେମାନେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ହସ୍ପିଟାଲରେ ଏବେ ସୁଦ୍ଧା ୨୫ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି। ଆଜି ହସ୍ପିଟାଲରେ ରାପିଡ୍ ଆଣ୍ଟିଜେନ୍‌ ଓ ଆରଟିପିସିଆ ପାଇଁ ସମୁଦାୟ ୨୩୬ ନମୁନା ସଂଗ୍ରହ ହୋଇଥିଲା। ହସ୍ପିଟାଲରେ ଏବେ ଗୋଟିଏ ବେଳା ଓପିଡି କାର୍ଯ୍ୟକ୍ଷମ ହେଉଛି। ସନ୍ଦେହ ରହିଥିବା ରୋଗୀଙ୍କ ରାପିଡ୍‌ କିଟ୍‌ରେ ପରୀକ୍ଷା କରାଯାଉଛି। ପ୍ରଥମେ ହସ୍ପିଟାଲକୁ ୫ ଶହ ରାପିଡ୍ କିଟ୍‌ ଆସିଥିବା ବେଳେ ପରବର୍ତୀ ସମୟରେ ୭୫୦ କିଟ୍ ହସ୍ପିଟାଲକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି। ଅପରପକ୍ଷରେ ଆଜି ୯ଜଣ ଲାବୋରେଟାରି ଟେକ୍‌ନିସିଆନ୍ ଓ ୪ଜଣ ଡାଟାଏଣ୍ଟ୍ରି ଅପରେଟର୍‌ କ୍ୟାପିଟାଲ ହସ୍ପିଟାଲରେ ଯୋଗ ଦେଇଛନ୍ତି। ଏହି କର୍ମଚାରୀ ରାଜଧାନୀର ବିଭିନ୍ନ ସ୍ଥାନରେ ହେଉଥିବା କୋଭିଡ୍‌ ପରୀକ୍ଷାରେ ସହାୟତା କରିବେ। ଏହାସହ କ୍ୟାପିଟାଲ ହସ୍ପିଟାଲରେ ଆଜିଠାରୁ ମୋବାଇଲରେ କୋଭିଡ୍‌ ରିପୋର୍ଟ ପଠାଯିବା ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି। ନମୁନା ସଂଗ୍ରହ ପରେ ଲୋକମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏଣିକି ମେସେଜ୍‌ ଯିବ। ପୂର୍ବରୁ କେବଳ ପଜିଟିଭ୍ ସଂପର୍କରେ ‌ମୋବାଇଲକୁ ମେସେଜ୍ ଯାଉଥିଲା।

ଜିଆରପି ଥାନା ଏସ୍‌ଆଇଙ୍କୁ କରୋନା
ଭୁବନେଶ୍ୱର : ଭୁବନେଶ୍ବର ଜିଆରପି ଥାନାର ଜଣେ ସବଇନ୍ସପେକ୍ଟର ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଥାନାର ଅନ୍ୟ କର୍ମଚାରୀଙ୍କ ଭିତରେ ଛନକା ପଶିଛି। ଥାନାର ସବୁ କର୍ମଚାରୀ ଆକ୍ରାନ୍ତ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସମସ୍ତଙ୍କର କୋଭିଡ୍ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଏ ନେଇ ତୁରନ୍ତ ଏସପିଙ୍କୁ ଅବଗତ କରାଯାଇଥିବା ଡିଏସପି ଚନ୍ଦ୍ରଶେଖର ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ପ୍ରାୟ ସପ୍ତାହେ ହେଲା ସମ୍ପୃକ୍ତ ସବଇନ୍ସପେକ୍ଟର କଟକରୁ ବଦଳି ହୋଇ ଭୁବନେଶ୍ବର ଜିଆରପି ଥାନାକୁ ଆସିଥିଲେ। ସେବେଠାରୁ ତାଙ୍କର ଥଣ୍ଡା, ଜ୍ବରର ଲକ୍ଷଣ ରହିଥିଲା। ଦୁଇଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାବ୍ ପରୀକ୍ଷା କରାଯାଇଥିଲା। ଆଜି ରିପୋର୍ଟ ପଜିଟିଭ୍ ଆସିବା ପରେ ଏ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି। ଆସନ୍ତାକାଲି ଜିଆରପି ପକ୍ଷରୁ ବିଏମସି କମିସନରଙ୍କୁ ଅବଗତ କରାଯିବ ।

ସମ୍ବନ୍ଧିତ ଖବର