‘ଭୁବନେଶ୍ୱର ପବନରେ ବିଷ’ ଖବରକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅସ୍ୱୀକାର

ଭୁବନେଶ୍ୱର : ‘ଭୁବନେଶ୍ୱର ପବନରେ ବିଷ’ ଖବର ରବିବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବୋର୍ଡର ଭୁବନେଶ୍ୱର କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି) ଚନ୍ଦ୍ରଶେଖରପୁର ଆଞ୍ଚଳିକ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ ନଭେମ୍ବର ୨୫, ଶନିବାର ଦିନ ରାଜଧାନୀ ବାୟୁରେ ପିଏମ୍‌ ୧୦ର ପରିମାଣ ୨୩୬ ମାଇକ୍ରୋଗ୍ରାମ ପର ମିଟର କ୍ୟୁବ୍‌ ଥିବା ଏହି ଖବରରେ ଦର୍ଶାଯାଇଛି। ଯାହା ସଂପୂର୍ଣ୍ଣ ମିଥ୍ୟା ଏବଂ ଅବାସ୍ତବ। ଏନେଇ ଶନିବାର ଦିନ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବାୟୁର କ୍ୱାଲିଟି ସମ୍ପର୍କରେ କୌଣସି ମାନ ପରୀକ୍ଷା କରାଯାଇନାହିଁ କି ଏଭଳି ରିପୋର୍ଟ ବୋର୍ଡ ପକ୍ଷରୁ ପ୍ରକାଶ ପାଇନାହିଁ। ଏ ସମ୍ପର୍କରେ ମୋର ପ୍ରତିକ୍ରିୟାରେ ଯାହା କିଛି ଲେଖାଯାଇଛି ତାହା କେବଳ ୧୦/୧୫ ଦିନ ପୂର୍ବରୁ ଫୋନ୍‌ ଯୋଗେ ବାର୍ତ୍ତାଳପର କିଛି ଅତିରଞ୍ଜିତ ଅଂଶ। ଏବେ ଭୁବନେଶ୍ୱର ବାୟୁରେ ୭୬-୮୨ ଏପିପି ରହିଛି। ଏହି ସମୟରେ ବାୟୁରେ ଏପିପି ପରିମାଣ ବହୁତ ଅଧିକ ଦର୍ଶାଯାଇଥିବାରୁ ପରିବେଶବିତ୍‌ ଓ ସାଧାରଣ ଲୋକଙ୍କୁ ଏହା ବ୍ୟଥିତ କରିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ରିପୋର୍ଟଟି weather.weatherbug.com େଓ୍ଵବସାଇଟ୍‌ର ତଥ୍ୟ ଉପରେ ପର୍ଯ୍ୟବସିତ ଥିଲା। ଭୁଲ୍‌ବଶତଃ ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀଙ୍କ ମତରେ ଏହି ତଥ୍ୟକୁ ଉପସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର