‌ବିମାନବନ୍ଦରରେ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ମାମଲା : ଦିଲୀପଙ୍କୁ ଜାମିନ୍‌, ରିପୋର୍ଟ ଦେଲା ତଦନ୍ତ ଟିମ୍‌

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ମାମଲାରେ ଗିରଫ ଦିଲୀପ କନ୍‌ଷ୍ଟ୍ରକସନ୍‌ ମାଲିକ ଦିଲୀପ ଖଟେଇଙ୍କୁ ଜାମିନ୍‌ ମିଳିଛି। ଭୁବନେଶ୍ବରରେ ଦୁଇ ଦୁଇ ଥର ଜାମିନ୍‌ ଆବେଦନ ଖାରଜ ହେବା ପରେ ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।

ଅନ୍ୟପଟେ ଛାତ ଭୁଶୁଡ଼ିବା ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ଟିମ୍‌ ତା’ର ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛି। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଡ. ଏନ୍‌ସି ପାଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍‌ ଦୁଇଦୁଇଥର ଘଟଣାସ୍ଥଳକୁ ଆସି ତଦନ୍ତ କରିବା ପରେ ରିପୋର୍ଟ ପ୍ରଦାନ କରିଛି। ତେବେ ରିପୋର୍ଟରେ କ’ଣ ତଥ୍ୟ ରହିଛି, ତାହା ପୂର୍ତ୍ତ ବିଭାଗ ଗୁପ୍ତ ରଖିଛି। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଦିଲୀପ ଅନେକ କାମ କରିଛନ୍ତି। ଏବେ ବି ଅନେକ କାମ ନିର୍ମାଣାଧୀନ ରହିଛି। ସେହି ପୂର୍ତ୍ତ ବିଭାଗ ଅଧିକାରୀ ଏହାକୁ ତଦନ୍ତ କରିଛନ୍ତି। ଏଣୁ ତଦନ୍ତ କେତେ ନିରପେକ୍ଷ ହେବ ତାହା ଉପରେ ପ୍ରଶ୍ନ ଉଠିଛି। ବିମାନବନ୍ଦର କର୍ତ୍ତୃପକ୍ଷ ମଧ୍ୟ ନିଜ ଆଡ଼ୁ ତଦନ୍ତ କରିଛନ୍ତି। ଦିଲ୍ଲୀରୁ ତଦନ୍ତ କମିଟି ଦୁଇଥର ଆସି ଘଟଣାସ୍ଥଳରେ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିଛି।

ସୂଚନା ମୁତାବକ, ଗତ ଜାନୁଆରିରେ ବିମାନବନ୍ଦରର ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଫଳରେ ଛାତ ତଳେ ଚାପି ହୋଇ ଜଣେ ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କର ଜୀବନ ଚାଲି ଯାଇଥିଲା। ମୃତକଙ୍କ ଭାଇ ନିରାକାର ଗୁରୁଙ୍କ ଅଭିଯୋଗକ୍ରମେ ଏୟାରପୋର୍ଟ ଥାନା ଏକ ମାମଲା ରୁଜୁ କରି ଦିଲ୍ଲୀପ କନଷ୍ଟ୍ରକସନ୍‌ର ମାଲିକ ଦିଲୀପ ଖଟେଇଙ୍କ ସହ ସାଇଟ୍‌ ଇଞ୍ଜିନିୟର ଅଭିଳାଷ ସରକାର, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଯୁଗ୍ମ ପରିଚାଳକ ଗୌତମ ରାଏ ଓ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ସହକାରୀ ସାଧାରଣ ପରିଚାଳକ ଆଶିଷ ସରକାରଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର