ମଲ୍ଲୀପୁର ଜଙ୍ଗଲରେ ଅଜଗର ଠାବ ହେବା ଘଟଣା: ୧୦୦ ଫୁଟ୍‌ ଦୂରରେ ବାଉଁଶ ବାଡ଼ ପକାଇଲା ବନ ବିଭାଗ

‌ମେଣ୍ଢାଶାଳ : ହଳଦିଆ ରେଞ୍ଜ ଅଧୀନ ମଲ୍ଲୀପୁର ପଞ୍ଚାୟତର ଗଡ଼ନିଆଳ ନିକଟ ପାହାଡ଼ିଆ ଜଙ୍ଗଲରୁ ଠାବ ହୋଇଥିବା ୧୦ ଫୁଟ୍‌ ଲମ୍ବ ବିରାଟ ଅଜଗରର ସୁରକ୍ଷା ବ୍ୟବସ୍ଥାକୁ ଆଜି ବଢ଼ାଇ ଦିଆଯାଇଛି। ଅଜଗରଠାରୁ ୧୦୦ ଫୁଟ୍‌ ଦୂରରେ ବାଉଁଶ ବାଡ଼ ପକାଯାଇଛି। ଯେପରି କୌଣସି ଲୋକ ସାପର ଅତି ନିକଟକୁ ନ ଯିବେ, ସେଥିପାଇଁ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ନିୟୋଜିତ କରାଯାଇଛି। ସାପକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଅଯଥାରେ ଭିଡ଼ ଜମାଉ ଥିବାରୁ ଆଜି ବନ ବିଭାଗ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି।

ଅପରପକ୍ଷେ ଶୁକ୍ରବାର ମଧ୍ୟାହ୍ନରେ ଚନ୍ଦକା-ଡମପଡ଼ା ଡିଭିଜନ୍‌ର ଅଧିକାରୀ କେଦାରନାଥ ସ୍ୱାଇଁ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସାପଟିକୁ ଗ୍ରାମବାସୀମାନେ ଜଗି ରହିଥିବାରୁ ଓ ତା’ର କୌଣସି କ୍ଷତି କରୁନଥିବାରୁ ସେ ମଲ୍ଲୀପୁର ଓ ଗଡ଼ନିଆଳ ଗ୍ରାମବାସୀଙ୍କ ପ୍ରଶଂସା କରିଥିଲେ। ଏହାସହ ମଲ୍ଲୀପୁର ସରପଞ୍ଚ ବିଜୟ କୁମାର ଦାସ ଓ ଗଡ଼ନିଆଳ ଗ୍ରାମ୍ୟ କମିଟି ସଭାପତି ମନୋଜ କୁମାର ପ୍ରତିହାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଡିଏଫ୍‌ଓ ଶ୍ରୀ ସ୍ବାଇଁ କହିଥିଲେ ଯେ ଅଜଗର ଅଣ୍ଡାରୁ ୬୦ ଦିନ ମଧ୍ୟରେ ଛୁଆ ବାହାରିଥାଏ। ଏହି ୬୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ପରିଦର୍ଶନରେ ଡିଏଫ୍‌ଓ ଶ୍ରୀ ସ୍ବାଇଁଙ୍କ ସମେତ ଏସିଏଫ୍ ରମାକାନ୍ତ ନାୟକ, ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା, ମଲ୍ଲିପୁର ସରପଞ୍ଚ ବିଜୟ କୁମାର ଦାସ ଓ ଗଡ଼ନିଆଳ ଗ୍ରାମ୍ୟ କମିଟିର ସଭାପତି ମନୋଜ କୁମାର ପ୍ରତିହାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ବୁଧବାର ଦିନ ମଲ୍ଲୀପୁର ଗ୍ରାମବାସୀ ଜଙ୍ଗଲରେ ସାପଟକୁ ଠାବ କରିଥିଲେ।

ସମ୍ବନ୍ଧିତ ଖବର