ଆମିକେବୁଲ୍‌ର ବାର୍ଷିକ ଉତ୍ସବ, ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଧୈର୍ଯ୍ୟ ଆବଶ୍ୟକ

ଭୁବନେଶ୍ବର: ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଧୈର୍ଯ୍ୟର ଆବଶ୍ୟକତା ଅଛି। ବିଜୟ ଓ ପରାଜୟ ଉଭୟ କ୍ଷଣସ୍ଥାୟୀ। ବିଜୟରେ ଉତ୍‌ଫୁଲ୍ଲିତ କିମ୍ବା ପରାଜୟରେ ହତୋତ୍ସାହିତ ହୁଅ ନାହିଁ। ବଢ଼ିବାକୁ ଦୃଢ଼ ମନୋବଳ ଓ କଠୋର ପରିଶ୍ରମ କର। ତେବେ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ। ଆଜି ହୋଟେଲ୍‌ ପ୍ରେସିଡେନ୍ସିଠାରେ ଅନୁଷ୍ଠିତ ଆମିକେବୁଲ୍‌ର ତୃତୀୟ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୁବପିଢ଼ିଙ୍କୁ ଏପରି ପରାମର୍ଶ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, କୌଣସି କାମକୁ ଛୋଟ ଭାବ ନାହିଁ। ଯେଉଁ ସଂସ୍ଥାରେ କାମ କରୁଛ, ସେଠାରେ ଯେଉଁ କାମ ମିଳୁଛି, ତାହାକୁ ସମର୍ପିତ ମନୋଭାବ ନେଇ କର। ଏହାଦ୍ବାରା ସଂସ୍ଥା ସହ ନିଜର ମଧ୍ୟ ବିକାଶ ହେବ। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଆଜିକାଲିର ଯୁବକମାନେ ଚାକିରି ପଛରେ ନ ଗୋଡ଼ାଇ ନିଯୁକ୍ତି ସୃଷ୍ଟି କରିବା ମ‌ନୋବୃତ୍ତି ରଖନ୍ତୁ। ଉଦ୍ୟୋଗପତି ହେବାର ସ୍ବପ୍ନ ଦେଖନ୍ତୁ। କର୍ମଚାରୀମାନେ ସଂସ୍ଥାକୁ ନିଜ ପରିବାର ଭଳି ଭାବି କାମ କଲେ, ବିକାଶ ନିଶ୍ଚିତ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ମୀରା ପରିଡ଼ା ଓ ଯୁବନେତା ଆଶିଷ ସାହୁ ଯୋଗଦେଇ ମତ ରଖିଥିଲେ। ଏହି ଅବସରରେ ସଂସ୍ଥାର କର୍ମଚାରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ସଂସ୍ଥାର ମୁଖ୍ୟ ପ୍ରମୋଦ ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଚିରସ୍ମିତା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସ୍ଥାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ମନୋଜ ପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର