କୃଷି ଅର୍ଥନୈତିକ ଗବେଷଣା ସଂଘର ବାର୍ଷିକ ସମ୍ମିଳନୀ: କ୍ଷୁଦ୍ର, ନାମମାତ୍ର ଚାଷୀ ପରିବାରର ଅପପୁଷ୍ଟି ଓ ଜୀବିକା ସୁରକ୍ଷା ନୀତି ନେଇ ଆଲୋଚନା

ଭୁବନେଶ୍ବର: କୃଷି ଅର୍ଥନୈତିକ ଗବେଷଣା ସଂଘର ବାର୍ଷିକ ସମ୍ମିଳନୀ କୃଷି, ବୈଷୟିକ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତରେ ସରକାରୀ ନୀତି ଏବଂ କୃଷି ପରିବର୍ତ୍ତନ ଶୀର୍ଷକ କାର୍ଯ୍ୟକ୍ରମକୁ କୃଷି ମନ୍ତ୍ରୀ ଡ.ଅରୁଣ ସାହୁ ଅନ୍‌ଲାଇନରେ ଉଦ୍‌ଘାଟନ କରିଥିଲେ। କୁଳପତି ଡ.ପୱନ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ପରିବାର ଅପପୁଷ୍ଟି ଓ ଜୀବିକା ସୁରକ୍ଷାରେ ସହଯୋଗୀ ସରକାରୀ ନୀତି ଭୂମିକା ଉପରେ ଗୁରୁତ୍ବ ଦେଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସଭାପତି ଡ.ପି କେ ଯୋଶୀ ଅର୍ଥନୈତିକ କୃଷି ଗବେଷଣା ସଂଘର ପୃଷ୍ଠଭୂମି, ଏହାର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। କୃଷି କଲେଜ ଅଧ୍ୟକ୍ଷ ଡ. କୁମ୍ଭକର୍ଣ୍ଣ ରାଉତ ସ୍ବାଗତ ଭାଷଣ, ଅର୍ଥନୀତି ବିଭାଗର ମୁଖ୍ୟ ତଥା ବାର୍ଷିକ ସମ୍ମିଳନୀର ସଙ୍ଗଠକ ଡ. ସର୍ବନାରାୟଣ ଧନ୍ୟବାଦ ଦେଇଥିଲେ।

ବୈଷୟିକ ଅଧିବେଶନରେ ଓଡ଼ିଶାର କ୍ଷୁଦ୍ର ଏବଂ ନାମମାତ୍ର କୃଷି ପରିବାରର ପୃଷ୍ଟି ଏବଂ ଜୀବିକା ବିଷୟରେ ଆଲୋଚନା କରିଥିଲେ। ବୃଷ୍ଟିପୁଷ୍ଟ ଅଞ୍ଚଳ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଶୋକ ଦଲଓ୍ବାଇ ଯୋଗ ଦେଇ ସ୍ଥାନାନ୍ତରଣ କୃଷି ଉପରେ ବକ୍ତବ୍ୟ ଦେଇଥିଲେ। ଉତ୍ପାଦନ ଏବଂ ଆୟରେ ଥିବା ତାରତମ୍ୟ ଦୂର ପାଇଁ ଉତ୍ପାଦନ ଶୈଳୀର ପରିବର୍ତ୍ତନ ଉପରେ ସେ ଗୁରୁତ୍ବ ଦେଇଥିଲେ। ଡ. ଦଲଓ୍ବାଇ ରାଜ୍ୟରେ ମାଧ୍ୟମିକ କୃଷି ପାଇଁ ଭିନ୍ନ ନିର୍ଦେଶାଳୟ ସୃଷ୍ଟି ପାଇଁ ମତ ଦେଇଥିଲେ। ୟୁଏଏସ ବେଙ୍ଗାଲୁରର ପୂର୍ବତନ କୁଳପତି ଡ. ନାରାୟଣ ଗୌଡ଼ା, ଓଡ଼ିଶାରେ ପୁଷ୍ଟି ଓ ଜୀବିକା ସୁରକ୍ଷା ଉପରେ ଉଭୟ ରାଜ୍ୟ, କେନ୍ଦ୍ର ପ୍ରାଧାନ୍ୟ ଦେଉଥିବା କହିଥିଲେ। ଅନ୍ତର୍ଜାତୀୟ ଖାଦ୍ୟ ଗବେଷଣା ସଂସ୍ଥାନ ତଥା ଅନ୍ୟାନ୍ୟ ଆନ୍ତର୍ଜାତିକ ସଂସ୍ଥାର ରିପୋର୍ଟକୁ ଆଧାର କରି ପୁଷ୍ଟି ସମ୍ପର୍କିତ ସମସ୍ୟାକୁ ସୁଧାରିବାରେ ଓଡ଼ିଶାକୁ କ୍ଷୀପ୍ରତମ ପ୍ରଦେଶ ହିସାବରେ ପ୍ରତିପାଦିତ କରିଥିଲେ। କାର୍ଯ୍ୟକ୍ରମରେ ଇକ୍ରିସାଟର ହାଇଦ୍ରାବାଦ ନିର୍ଦେଶକ ଅରବିନ୍ଦ ପାଢ଼ୀ ରାଜ୍ୟର କୃଷି ବିକାଶର ମାର୍ଦଗର୍ଶିକା ପ୍ରସ୍ତୁତି ଉପରେ ଗୁରୁତ୍ବ ଦେଇଥିଲେ। ଗ୍ରାମ୍ୟ ସ୍ତରରେ ପ୍ରାଥମିକ ପ୍ରକ୍ରିୟାକରଣ ବ୍ୟବସ୍ଥା ସୃଷ୍ଟି, ସ୍ବାସ୍ଥ୍ୟକର ପୁଷ୍ଟିକର ଖାଦ୍ୟମାଧ୍ୟମରେ ଖାଉଟିମାନଙ୍କ ଖାଦ୍ୟ ଅଭ୍ୟାସ ପରିବର୍ତ୍ତନ ପାଇଁ ମତ ଦେଇଥିଲେ।

କୃଷି ଗବେଷଣା ଏବଂ ଜ୍ଞାନକୌଶଳ ଉଦ୍ଭବ ପ୍ରଣାଳୀକୁ ମଜଭୁତ କରିବା ପାଇଁ ଅଧିକ ଅର୍ଥ ସହଯୋଗ ଉପରେ ଗୁରୁତ୍ବ ଦିଆଯାଇଥିଲା। ଅଧିବେଶନରେ କୃଷି ଗବେଷଣା ସଂଘର ଅଧ୍ୟକ୍ଷ ଡ. ପି.କେ ଯୋଶୀ ପୁଷ୍ଟି, ଜୀବିକା ସୁରକ୍ଷା ପାଇଁ କୃଷି ଉତ୍ପାଦନ ବୃଦ୍ଧି, ଚୁକ୍ତି ଭିତ୍ତିକ କୃଷି, ସମବାୟ କୃଷି ବିକାଶ ଉପରେ ଗୁରୁତ୍ବ ଦେଇଥିଲେ। ରାଜ୍ୟରେ କୃଷିର ଉନ୍ନତି ପାଇଁ ରୂପରେଖ ପ୍ରସ୍ତୁତ କରିବା ପାଇଁ ନାବାର୍ଡ, କୃଷି ଅର୍ଥନୈତିକ ଗବେଷଣା ସଂଘ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ମିଳିତ ଉଦ୍ୟମ ପାଇଁ ମତ ରଖିଥିଲେ। ଓୟୁଏଟି କୁଳପତି ଡ. ଅଗ୍ରଓ୍ବାଲ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଓୟୁଏଟିର କଳିଙ୍ଗ ବ୍ରାଣ୍ଡ ସ୍ଥାପନ ଉପରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର