ଭୁବନେଶ୍ବର: ଅଭିଲେଖାଗାର ହେଉଛି ଜ୍ଞାନର ଭଣ୍ଡାର। ଅଭିଲେଖାଗାରକୁ ବାଦ୍ ଦେଇ ଆଗାମୀ ପିଢ଼ି ନିର୍ଭୁଲ ଇତିହାସ ଲେଖିବା ସମ୍ଭବପର ନୁହେଁ। ଅନେକ ସମୟରେ ଅଭିଲେଖାଗାରର ସାହାଯ୍ୟ ନନେଇ ନୂଆପିଢ଼ି ଇତିହାସ ଲେଖିବାକୁ ପଛାଉନାହାନ୍ତି। କିନ୍ତୁ ସଠିକ୍ ସଥ୍ୟ ପାଠକ ପାଉନାହାନ୍ତି। ପ୍ରତି ଗାଁଗାଁରେ ଇତିହାସ ସମ୍ବନ୍ଧରେ ନୂଆନୂଆ ତଥ୍ୟ ଦସ୍ତାବିଜ୍ ଲୁଚି ରହିଛି। ଅନେକ ବିଜ୍ଞ ଲୋକଙ୍କ ନିକଟରେ ବହୁ ପୁରୁଣା ପାଣ୍ଡୁଲିପି ରହିଛି। ସେସବୁକୁ ଅଭିଲେଖାଗାରକୁ ଅଣାଯାଇ ପାରିଲେ, ଇତିହାସ ଅଧିକ ସମୃଦ୍ଧ ହେବ ବୋଲି ଆଜି ଜାତୀୟ ଅଭିଲେଖାଗାରର ୧୩୨ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠିତ ଉତ୍ସବେରେ ଯୋଗଦେଇ ଅତିଥିମାନେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର ମଧୁସୂଦନନଗରରେ ଥିବା ଜାତୀୟ ଅଭିଲେଖାଗାର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଅଭିଥି ଭାବେ ଯୋଗଦେଇ ‘ଇତିହାସ ଲିଖନରେ ଅଭିଲେଖାଗାରର ଭୂମିକା’ ଉପରେ ବକ୍ତବ୍ୟ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପ୍ରଫେସର ଆଶୋକ କୁମାର ପଟ୍ଟନାୟକ ଯୋଗଦେଇ ଅଭିଲେଖାଗାରର ଗୁରୁତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ଜାତୀୟ ଅଭିଲେଖାଗାର ସହାୟକ ଅଭିଲେଖ ନିର୍ଦ୍ଦେଶକ ଡ. ଡି.କେ ଜେନା ସ୍ବାଗତଭାଷଣରେ କହିଲେ, ୧୮୯୧ ମସିହାରେ ଜାତୀୟ ଅଭିଲେଖାଗାର ପ୍ରତିଷ୍ଠା ହୋଇଥିଲା।
୧୩୨ବର୍ଷ ଧରି ଅଭିଲେଖାଗାର ସେବା ଯୋଗାଇ ଆସୁଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା, ବ୍ୟକ୍ତିବିଶେଷଙ୍କ ନିକଟରେ ଥିବା ତଥ୍ୟକୁ ଅଭିଲେଖାଗାରକୁ ଅଣାଯିବା ପାଇଁ ପ୍ରୟାସ କରାଯିବ ବୋଲି କହିଥିଲେ। ଏହି ଅବସରରେ ‘ଦ ମାୟାଧର ମାନସିଂହ ଟ୍ରଷ୍ଟ’ ପକ୍ଷରୁ ମାୟାଧର ମାନସିଂହଙ୍କ ପୁଅ ଳଲିତ ମାନସିଂହ ଏବଂ ଝିଅ ନିବେଦିତା ମାନସିଂହ ଯୋଗଦେଇ ମାୟାଧର ମାନସିଂହଙ୍କ ପ୍ରକାଶିତ ଓ ଅପ୍ରକାଶିତ ୧୪ଟି ପାଣ୍ଡୁଲିପିକୁ ଅଭିଲେଖାଗାରକୁ ପ୍ରଦାନ କରିଥିଲେ। ଅଭିଲେଖାଧିକାରୀ ଡ.ସତ୍ୟ ନାରାୟଣ ମିଶ୍ର ଧନ୍ୟବାଦ ଦେଇଥିଲେ।