ଅସୀମାଙ୍କ ହେବ ଅସ୍ଥି ମଜ୍ଜା ପ୍ରତିରୋପଣ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଭୁବନେଶ୍ବର: ଯୁକ୍ତ ୨ ବିଜ୍ଞାନରେ ପଢ଼ୁଛନ୍ତି ଅସୀମା। ହେଲେ ଅସୁସ୍ଥତା କାରଣରୁ କଲେଜ ଯାଇ ପାରୁ ନାହାନ୍ତି। ଅସ୍ଥି ମଜ୍ଜା କର୍କଟ ରୋଗରେ ପୀଡ଼ିତ ହୋଇ ସେ ଯନ୍ତ୍ରଣା ଭୋଗୁଛନ୍ତି। ହେଲେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଆସନ୍ତା ୧୫ଦିନ ଭିତରେ ୧୨ଲକ୍ଷ ଟଙ୍କା ଯୋଗାଡ଼ ନ ହେଲେ ଅସ୍ତ୍ରୋପଚାର ହୋଇପାରିବ ନାହିଁ ବୋଲି ଡାକ୍ତର କହିଛନ୍ତି। ଏଭଳି ପରିସ୍ଥିତିରେ ଟାକ୍ସି ଚଳାଇ ପରିବାର ପୋଷୁଥିବା ଅସୀମାଙ୍କ ପିତା ପ୍ରକାଶ ମହାରଣା ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଖୁବଶୀଘ୍ର ଟଙ୍କା ଯୋଗାଡ଼ ନ ହେଲେ ଅସୀମାଙ୍କ ଅସ୍ତ୍ରୋପଚାର ହୋଇପାରିବ ନାହିଁ ବୋଲି ପରିବାର ‌ଲୋକ ଆଶଙ୍କାରେ ରହିଛନ୍ତି।

ଖଣ୍ଡଗିରିବାରି ଅଞ୍ଚଳରେ ରହୁଥିବା ଅସୀମା ରାଜଧାନୀ କଲେଜ +୨ ବିଜ୍ଞାନର ଛାତ୍ରୀ। ଦୀର୍ଘଦିନ ହେବ ତାଙ୍କ ଦେହ ଅସୁସ୍ଥ ରହୁଥିଲା। କିଛିମାସ ପୂର୍ବରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ଅସ୍ଥି ମଜ୍ଜାରେ କର୍କଟ ହୋଇଥିବା ଜଣାପଡ଼ିଥିଲା। ପରେ ସେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସା ଆରମ୍ଭ କରିଥିଲେ। ଏଠାରେ କିଛିଦିନ ଚିକିତ୍ସା ହେବା ପରେ ଡାକ୍ତର ଅସ୍ଥି ମଜ୍ଜା ପ୍ରତିରୋପଣ କରିବାକୁ ପଡ଼ିବ ବୋଲି କହିଥିଲେ। ଏବେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍‌ସକୁ ରେଫର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି। ପରୀକ୍ଷା ପରେ ଅସୀମାଙ୍କ ଦୁଇ ବଡ଼ ଭଉଣୀଙ୍କ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ମ୍ୟାଚ୍ ‌ହୋଇଛି। ହେଲେ ଏଥିପାଇଁ ଅତିକମ୍‌ରେ ୧୨ଲକ୍ଷ ଟଙ୍କା ଜରୁରୀ ବୋଲି ଡାକ୍ତର କହିଛନ୍ତି। ପରିବାର ଲୋକ ବହୁ କଷ୍ଟରେ ଘର ବନ୍ଧା ପକାଇ ୪ଲକ୍ଷ ଟଙ୍କା ଯୋଗାଡ଼ କରିବାରେ ସକ୍ଷମ ହୋଇଛନ୍ତି। ଗୋଟିଏ ପଟେ ସମୟ ଗଡ଼ି ଚାଲିଥିବା ବେଳେ ଆହୁରି ୮ଲକ୍ଷ ଟଙ୍କା ଯୋଗାଡ଼ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ସହୃଦୟ ବ୍ୟକ୍ତି ଅସୀମାଙ୍କୁ ସାହାଯ୍ୟ କଲେ ତାଙ୍କ ଜୀବନ ବଞ୍ଚିପାରିବ ବୋଲି ପରିବାର ଲୋକ କହିଛନ୍ତି। ତେଣୁ ଆର୍ଥିକ ସହାୟତା ଦେବା ପାଇଁ ଅସୀମାଙ୍କ ବଡ଼ ଭଉଣୀ ଅବନ୍ତୀ ମହାରଣାଙ୍କ ମୋବାଇଲ ନମ୍ବର ୮୮୪୭୮୭୦୧୮୯/୦୦୩୮୮୮୪୮୦୯ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର