ତେଲ ଟାଙ୍କିରେ କର୍ମଚାରୀଙ୍କୁ ନିର୍ଘାତ ମାଡ଼, ପ୍ରତିବାଦରେ ଟାଙ୍କି ବନ୍ଦ

ଭୁବନେଶ୍ୱର: କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ଗତ ରାତିରେ ଜଣେ କର୍ମଚାରୀଙ୍କୁ ମାଡ଼ ହୋଇଛି। ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ କର୍ମଚାରୀଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି। ଯୁବକଦ୍ୱୟଙ୍କ ଠେଙ୍ଗା ଓ ଲୁହା ରଡ୍‌ ମାଡ଼‌ରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବଡ଼ଗଡ଼ ଥାନା ଭାରପ୍ରାପ୍ତ ଇନ୍‌ସ୍‌ପେକ୍ଟର ଦିଲୀପ ସ୍ୱାଇଁ କହିଛନ୍ତି। ଅପରପକ୍ଷେ ସକାଳ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବାରୁ ଏହାର ପ୍ରତିବାଦରେ କର୍ମଚାରୀମାନେ କାର୍ଯ୍ୟବନ୍ଦ କରିଛନ୍ତି। ଫଳରେ ଆଜି ଦିନ ସାରା ଏହି ଟାଙ୍କି ବନ୍ଦ ରହିଛି। ସେହିପରି ସମସ୍ତ ପେଟ୍ରୋଲ ପମ୍ପର କର୍ମଚାରୀମାନେ ଏକାଠି ହୋଇ ଏକ ବଡ଼ଧରଣର ପ୍ରତିବାଦ କରିବାକୁ ସଜବାଜ ହେଉଥିବା ଜଣାଯାଇଛି। ବିଭିନ୍ନ ସମୟରେ ସେମାନେ ଆକ୍ରମଣର ଶିକାର ହେଉଛନ୍ତି। ଏଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାନଗଲେ ଆସନ୍ତାକାଲିଠାରୁ ରାଜଧାନୀର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର