ପୁଲିସ ଉପରେ ବଢ଼ୁଛି ଆକ୍ରମଣ : ଦୁଇ ବର୍ଷ‌ରେ ୩ ଥାନା ଉପରେ ଆକ୍ରମଣ, ୧୮ ପୁଲିସ ଆହତ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ପଶି ୪ ପୁଲିସ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଘଟଣାକୁ ୪ଦିନ ବିତି ଗଲା। ପୁଲିସ କେବଳ ମାମଲା ରୁଜୁ କରି ବସି ପଡ଼ିଛି। ଜଣେ ହେଲେ ବି ଆକ୍ରମଣକାରୀ ଯୁବକକୁ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇ ପାରିନାହିଁ। ଏହାକୁ ନେଇ ପୁଲିସ ମହଲରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖା‌ଦେବା ଆରମ୍ଭ କରିଛି। ସମ୍ମୁଖକୁ ଆସି ମୁହଁ ଖୋଲୁ ନଥିଲେ ମଧ୍ୟ ଭିତରେ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ପୁଲିସ ବିଭିନ୍ନ ଆଡୁ ଚାପର ବଶବର୍ତୀ ହୋଇ କାର୍ଯ୍ୟା‌ନୁଷ୍ଠାନ ଲାଗି ପଛଘୁଞ୍ଚା ଦେଉଛି ବୋଲି ଚର୍ଚା ହେଉଛି। ତେବେ ଏହି ଗୋଟିଏ ଘଟଣା କାହିଁକି, ପୂର୍ବରୁ କମିସନରେଟ ପୁଲିସ ବିଭିନ୍ନ ସମୟରେ ଆକ୍ରୋଶର ଶିକାର ହୋଇଛି। ସାଧାରଣ ଲୋକ ଥାନା ଭିତରେ ପଶି ପୁଲିସ କର୍ମଚାରୀ ଓ ଥାନାରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ପୁଲିସ ପରବର୍ତୀ ସମୟରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ କ୍ୟାପିଟାଲ ଫାଣ୍ଡି ଘଟଣାରେ କ୍ୟାପିଟାଲ ଥାନା ପୁଲିସ କାହିଁକି ପଛଘୁଞ୍ଚା ଦେଉଛି, ତାହା ଏବେ ରହସ୍ୟମୟ ହୋଇରହିଛି।

ଯାହା ସୂଚନା ମିଳିଛି, ଦୁଇ ବର୍ଷରେ କମିସନରେଟ ପୁଲିସ ଅଧୀନରେ ଥିବା ୩ଟି ଥାନା ଉପରେ ସାଧାରଣ ଲୋକ ଆକ୍ରମଣ କରିଛନ୍ତି। ଏଭଳି ଆକ୍ରମଣରେ ୧୮ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଭଳି ଘଟଣା ବାରମ୍ବାର ଘଟିବା କାରଣରୁ ପୁଲିସ ଉପରେ ସାଧାରଣ ଲୋକଙ୍କ ଭରସା ତୁଟି ଯାଉଛି। କୁହାଯାଉଛି, ଯେଉଁଠି ପୁଲିସ ମାଡ଼ ଖାଇ ଚୁପ ରହୁଛି, ସେଠି ସାଧାରଣ ଲୋକ ମାଡ଼ ଖାଇଲେ, ନ୍ୟାୟ ଦେବ କିଏ ? ନିକଟ ଅତୀତରେ ସହିଦନଗର ଥାନା ଭିତରେ ଭଙ୍ଗାରୁଜା ସହ ପୁଲିସ କର୍ମଚାରୀଙ୍କୁ ଲହୁଲୁହାଣ କରିବା, ମଦ ଜବତ କରିବାକୁ ଗଲା ବେଳେ ହୋମ୍‌ଗାର୍ଡଙ୍କୁ ପିଟିବା, କିଛି ଦିନ ତଳେ ନୟାପଲ୍ଲୀ ଥାନାରେ ଶହ ଶହ ଜନସାଧାରଣ ପଶିଯିବା ଘଟଣା; ଏସବୁ ପ୍ରମାଣିତ କରିଛି ପୁଲିସ ବର୍ତମାନ କେଉଁଠି ନା କେଉଁଠି ଅଡୁଆ ପରିସ୍ଥିତିରେ ଅଛି। କେବଳ ସହିଦନଗର ଥାନା ଆକ୍ରମଣ ଘଟଣାରେ ଜଣେ ନେତାଙ୍କୁ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଅନ୍ୟ କୌଣସି ଘଟଣାରେ ଆକ୍ରମଣକାରୀ ଉପରେ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହୋଇନାହିଁ।

ଗୋଟିଏ ପଟେ ପୁଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମ୍ପର୍କ ମଜଭୁତ କରିବା ପାଇଁ ବରିଷ୍ଠ ଅଧିକାରୀମାନେ କହୁଥିବା ବେଳେ ଏଭଳି ଆକ୍ରମଣ କିଭଳି ପୁଲିସ ଓ ଜନତା ମଧ୍ୟରେ କିଭଳି ଉତ୍ତମ ସମ୍ପର୍କ ରକ୍ଷା କରିବ, ତାକୁ ନେଇ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଯେଉଁଠି ବି ପୁଲିସ ଉପରେ ଆକ୍ରମଣ ହେଉଛି, ସେଠା‌ରେ ଏକ ମାମଲା ରୁଜୁ କରାଯାଇ ଅନୁସନ୍ଧାନ କରାଯାଉଛି। ଏହା ପରେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଏନେଇ ତଜର୍ମା ଚାଲିଛି। ଖୁବ୍‌ଶୀଘ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

କେତେକ ଆକ୍ରମଣ ଘଟଣା

୮ ଅଗଷ୍ଟ ୨୦୧୯: କ୍ୟାପିଟାଲ ହସ୍‌ପିଟାଲ ଫାଣ୍ଡିରେ ୪ ଜଣ କାର୍ଯ୍ୟରତ ପୁଲିସଙ୍କୁ ଆକ୍ରମଣ।
୪ ମାର୍ଚ୍ଚ ୨୦୧୯: ପୁଲିସ ହେପାଜତରେ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ମାଡ଼ ମାରିବା ପାଇଁ ଉଦ୍ୟମ ବେଳେ ପୁଲିସ ବାଧା ଦେବାରୁ ସହିଦ୍‌ ନଗର ଥାନାରେ ଗୁଣ୍ଡାଗିରି। ଦୁର୍ବୃତ୍ତଙ୍କ ମାଡ଼ରେ ଜଣେ ଅଧିକାରୀ ଆହତ ହୋଇଥିବା ବେଳେ ଥାନାରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ଏହାକୁ ନେଇ ପ୍ରବଳ ଉତ୍ତେଜନା ଲାଗି ରହିଥିଲା।
୧୯ ଜାନୁଆରି ୨୦୧୯: ଖଣ୍ଡଗିରି ଥାନା ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ କରୁଣା ଦାସ ଗିରଫ।
୨୬ ଫେବ୍ରୁଆରି ୨୦୧୯: ପିସିଆର କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଜାଲି ପ୍ରଧାନଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୁଲିସ।
୨୫ ମାର୍ଚ ୨୦୧୯: ମଦ ଜବତ କରିବାକୁ ଯାଇଥିବା ଚନ୍ଦ୍ରଶେଖରପୁର ଥାନା ପୁଲିସର ପିସିଆର୍‌ ଭ୍ୟାନ୍‌ କର୍ମଚାରୀଙ୍କୁ ହୋଇଥିଲା ପ୍ରାଣାନ୍ତକ ଆକ୍ରମଣ।
୩୧ ଜୁଲାଇ ୨୦୧୮: ଟ୍ରାଫିକ ପୁଲିସକୁ ମାଡ଼ ମାରି ବିଶ୍ବଜିତ ମିଶ୍ର ଗିରଫ ହୋଇଥିଲା।
୨୨ ଫେବ୍ରୁଆରି ୨୦୧୮: ଟ୍ରାଫିକ ପୁଲିସକୁ ମାଡ଼ ମାରି ଦିଲ୍ଲୀପ ପ୍ରଧାନ ଗିରଫ ହୋଇଥିଲା।

ସମ୍ବନ୍ଧିତ ଖବର