ଯୁବ ଲେଖକ ପୁରସ୍କାର: ଏବେ ସୃଜନଶୀଳତାର ସମ୍ଭାବନା ସର୍ବାଧିକ

ଭୁବନେଶ୍ବର: ‌ସଂପ୍ରତି ଆମେ ଏକ ଜଟିଳ ସମୟରେ ଉପନୀତ। ତେଣୁ ସାହିତ୍ୟରେ କିଭଳି ଜଣେ ଏ ଜଟିଳ ଜୀବନର ଚିତ୍ର ଆଙ୍କିପାରୁଛି, ତାହା ଉପରେ ସାହିତ୍ୟିକର ସ୍ବୀକୃତି ନିର୍ଭର କରୁଛି ବୋଲି କହିଛନ୍ତି ବିଶିଷ୍ଟ କଥାଶିଳ୍ପୀ ବିଭୂତି ପଟ୍ଟନାୟକ। ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଯୁବ ଲେଖକ ପୁରସ୍କାର ସମାରୋହ’କୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଲେ, ସତୁରି ଦଶକରେ ଅକ୍ଷୟ ମହାନ୍ତି, ଦେବଦାସ ଛୋଟରାୟ ଏବଂ ହରପ୍ରସାଦ ଦାସ ତତ୍କାଳୀନ ସାହିତ୍ୟରେ ନୂଆ ଋତୁ ସୃଷ୍ଟି କରିଥିଲେ। ତରୁଣ ପିଢ଼ିର ଲେଖକମାନେ ଏମାନଙ୍କ ଲେଖା ପଢ଼ି ତା’ର ଅନ୍ତର୍ନିହିତ ଭାବକୁ ବୁଝିବା ଉଚିତ୍‌ ବୋଲି ସେ କହିଥିଲେ। ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଭାଷା ଓ ସଂସ୍କୃତିର ବିବିଧତା ପାଇଁ ଭାରତୀୟ ସଭ୍ୟତା ବଞ୍ଚି ରହିଛି। ପୁଣି ଯୁବ ଗାଳ୍ପିକମାନଙ୍କ ଉଦ୍ଦେଶ୍ୟରେ କହିଲେ, ଯୌବନ ହେଉଛି ପ୍ରାଚୁର୍ଯ୍ୟର ବୟସ। କିନ୍ତୁ ଆଜିକାଲିର ଯୁବ ଲେଖକଙ୍କ ଲେଖାରୁ ଆବେଗପୂର୍ଣ୍ଣ ଗଳ୍ପ ମିଳୁନାହିଁ। ଯେଉଁ ପ୍ରେମ ଗଳ୍ପ ଲେଖାଯାଉଛି ସେଥିରେ ସେ ଲାଳିତ୍ୟ ନାହିଁ। ତେଣୁ ଯୁବକମାନେ ପ୍ରେମ ଗଳ୍ପକୁ ଫେରିଆସନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।

ବିଶିଷ୍ଟ କବି ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ସାମ୍ୟବାଦ ଓ ପୁଞ୍ଜିବାଦ ଭଳି ଆଦର୍ଶ ବିଫଳ ହେବାରୁ ନିଜ ସଭ୍ୟତାକୁ ଫେରିବାର ଆବଶ୍ୟକତା ରହିଛି। ଏବେ ସୃଜନଶୀଳତା ପାଇଁ ମଧ୍ୟ ସର୍ବାଧିକ ସମ୍ଭାବନା ରହିଛି। ମାତ୍ର ବହୁ ଯୁବ ସାହିତ୍ୟିକ ନଗ୍ନତାକୁ ଆଧୁନିକ ସାହିତ୍ୟ ମନେ କରୁଛନ୍ତି। ଯାହା ଠିକ୍‌ ନୁହେଁ, ବରଂ ସାହିତ୍ୟ ପାଇଁ ଜୀବନ ପ୍ରତି କୌତୁକିଆ ଏବଂ କୋତୂହଳ ଦୃଷ୍ଟିଭଙ୍ଗୀ ଲୋଡ଼ା। ବାୟା ନହେଲେ ସୃଜନଶୀଳତା ଆସିବନି। ଯୁବ ଲେଖକମାନଙ୍କୁ ପରାମର୍ଶ ଦେଇ କହିଲେ, ନିଜ ପ୍ରତି ବିଶ୍ବସ୍ତ ହୋଇ ଲେଖ। ଲେଖାରେ ସ୍ମରଣୀୟତା ଆଣ। ରୂପକର ବହୁଳତାକୁ ପ୍ରତ୍ୟାଖାନ କର। ନଚେତ ଏହା ଲେଖାର ପ୍ରାଣ ନଷ୍ଟ କରିଦେବ। ଲେଖାରେ ଅଧିକ ସ୍ପର୍ଶକାତରତାକୁ ଫେରାଇ ଆଣ। ସ୍ଥାନୀୟତାକୁ ଗୁରୁତ୍ବ ଦେବା ସହ ବିଶ୍ବ ସମ୍ପୃକ୍ତି ବଢ଼ାଅ ବୋଲି ସେ କହିଥିଲେ। ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିବା ବେଳେ ଯୁବ ଉଦ୍ୟୋଗପତି କେଶବ ରାଓ ଯୁବ ସାହିତ୍ୟିକଙ୍କୁ ସାହିତ୍ୟର ଉଦ୍ୟୋଗପତି ଭାବେ ଅଭିହିତ କରିଥିଲେ। ପେନ୍‌ ଇନ୍‌ ବୁକ୍ସର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଯୁବ ଲେଖକ ନରେଶ କୁମାର ବେହେରା, ଆଶୁତୋଷ ଆଚାର୍ଯ୍ୟ, ଶ୍ରୀ ଗୋବିନ୍ଦ, ଗୀତାଞ୍ଜଳି ମହାରଣା, ଚକ୍ରଧର ପାତ୍ର, ପ୍ରତ୍ୟୁଷ ମିଶ୍ର, ଗିରୀଶ ରଂଜନ, ସାର୍ଥକ ପ୍ରଧାନ, ସିପୁନ ଜେନା, ଦେବଦତ୍ତ ମିଶ୍ର, ରିଙ୍କୁ ଟଙ୍କ୍‌ ଏବଂ ଶୁଭଲକ୍ଷ୍ମୀ ସେନାପତିଙ୍କୁ ‘ଯୁବ ଲେଖକ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏଥିସହ ୧୫୦ ଜଣ ଯୁବ କବିଙ୍କୁ ନେଇ ଓଡ଼ିଆ କବିତା ସଂକଳନ ‘ଶହେସ୍ବର’ ଏବଂ ଇଂରାଜୀ କବିତା ସଂକଳନ ‘ମୁନ୍‌ ଟାଇଡ୍‌’ ଲୋକାର୍ପିତ ହୋଇଥିଲା। ପରେ ହୃଷୀକେଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଶରତ କୁମାର ଦାଶ, ଶଙ୍କର୍ଷଣ ପରିଡ଼ା, କେଦାର ମିଶ୍ର, ଭାରତ ମାଝୀ, ଗାୟତ୍ରୀବାଳା ପଣ୍ଡା ଓ ଅମରେଶ ବିଶ୍ବାଳ ‘ଯୁବପିଢ଼ି ଓ ଓଡ଼ିଆ କବିତା’ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ପରବର୍ତୀ ଅଧିବେଶନରେ କଥାକାର ଜ୍ୟୋତି ନନ୍ଦଙ୍କ ଅଧ୍ୟକ୍ଷତାରେ ପ୍ରକାଶ ମହାପାତ୍ର, ଆଭାସ କୁମାର ବରାଳ ଏବଂ ପବିତ୍ର ମୋହନ କର ‘ଯୁବପିଢ଼ି ଓ ଓଡ଼ିଆ କାହାଣୀ’ ଉପରେ ଆଲୋଚନା କରିଥିଲେ। ଅଗ୍ନିବେଶ ମହାପାତ୍ର ଓ ଗାୟତ୍ରୀ ମାଭୁରୁଙ୍କ ସଂଯୋଜନାରେ ବହୁଭାଷୀ କବିତା ପାଠ ହୋଇଥିଲା। ଏଥିରେ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ବ୍ୟଙ୍ଗକବି କୁଳାଙ୍ଗାର ଏବଂ ସାମ୍ବାଦିକ ଦୁର୍ଗା ସାମନ୍ତରାୟ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର