ମାସ୍କ ସଚେତନତା ଜାରି; ଆଜି ବି କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ବର : ମାସ୍କ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି। କିନ୍ତୁ ଅଧିକାଂଶ ପିନ୍ଧୁ ନାହାନ୍ତି। ପୁଲିସ ବି ଧରୁନି। କେବଳ ସଚେତନତା କରିବା ସହ ମାଗଣାରେ ମାସ୍କ ବଣ୍ଟନ କରୁଛି। ୯ ତାରିଖରୁ ମାସ୍କ ବାଧ୍ୟତାମୂଳକ ହେବା ପରେ ଦୁଇଦିନ ଏଭଳି ବିତିଛି। ତେବେ ଆସନ୍ତାକାଲି ଠାରୁ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ ହେବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଏଥିପାଇଁ ସମସ୍ତ ଅଧିକାରୀ ତଥା ଫିଲ୍ଡରେ କାମ କରୁଥିବା କର୍ମଚାରୀଙ୍କୁ ଅବଗତ କରାଯାଇଛି। ବିନା ମାସ୍କରେ ଯାଉଥିବା କୌଣସି ବ୍ୟକ୍ତିକୁ ବିନା ଜରିମାନାରେ ନ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଏଣୁ ଆସନ୍ତାକାଲି ଠାରୁ କାର୍ଯ୍ୟାନୁଷ୍ଠାନ ହେବା ଥୟ ହୋଇଛି। ଆଜି ବିଭିନ୍ନ ଥାନା ପକ୍ଷରୁ ସଚେତନତା ସୃଷ୍ଟି କରାଯିବା ସହ ମାସ୍କ ବଣ୍ଟନ କରାଯାଇଛି। ଅନେକ ଲୋକ ଅଛନ୍ତି ଯେଉଁମାନେ ମାସ୍କ କିଣିବାକୁ ସକ୍ଷମ ନୁହନ୍ତି। ମାସ୍କ ମଧ୍ୟ ଯଥେଷ୍ଟ ପରିମାଣର ବିକ୍ରି ହେଉ ନାହିଁ। ଏଣୁ ଯଥେଷ୍ଟ ପରିମାଣର ମାସ୍କ ବଣ୍ଟା ଯିବା ପରେ ଆସନ୍ତାକାଲି ଠାରୁ କାର୍ଯ୍ୟାନୁଷ୍ଠାନ ହେବାକୁ ନିଷ୍ପତ୍ତି ହୋଇଛି।

ଲୋକମାନେ ଯେଭଳି ନିଜ ମୁହଁ ଓ ନାକକୁ ଘୋଡ଼ାଇବେ ସେଥିପାଇଁ ଅଧିକାରୀମାନେ ସଚେତନ କରାଇଛନ୍ତି। ମାସ୍କ ନ ହେଲେ ମଧ୍ୟ ଅନ୍ତତଃ ରୁମାଲ କିମ୍ବା ଅନ୍ୟ କୌଣସି କପଡ଼ାକୁ ଦୁଇ ଭାଙ୍ଗ କରି ମୁହଁରେ ବାନ୍ଧିବାକୁ ପରାମର୍ଶ ଦିଆଯାଇଛି। ପୁରୁଷମାନେ ରୁମାଲ କିମ୍ବା ଗାମୁଛା ବାନ୍ଧି ପାରିବେ ମହିଳାମାନେ ଓଢ଼ଣି ବା ସ୍କ୍ରାଫ୍ ମଧ୍ୟ ବାନ୍ଧି ପାରିବେ। କପଡ଼ା ପ୍ରସ୍ତୁତ ମାସ୍କକୁ ନିୟମିତ ସଫା କରିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିପାଇଁ ସମସ୍ତ ଯାତ୍ରୀଙ୍କୁ ଆଜି ଅଧିକାରୀମାନେ ସଚେତନ କରାଇଛନ୍ତି।

ସମ୍ବନ୍ଧିତ ଖବର