ଏବେବି ୨୩% ଜମିରେ ଆବାସିକ ଘର ନିର୍ମାଣ ଉପରେ ରୋକ୍‌

ବିଡିଏ ଅଧୀନରେ ୧୧୧୦ ବର୍ଗକିମି ଅଞ୍ଚଳ ଯାଉଥିବାବେଳେ ଏହାର ପ୍ରାୟ ଏକ ଚତୁର୍ଥାଂଶ (୨୩ପ୍ରତିଶତ) ଜମିରେ ସାଧାରଣ ଲୋକଙ୍କ ଘର ନିର୍ମାଣ ଉପରେ ରୋକ୍‌ ଲାଗିଛି। ଏଠାରେ ଘର କରିବାକୁ ବିଡିଏ ଅନୁମତି ଦେଉନି। ବିଡିଏ ଅନୁମତି ନ ଥିବାରୁ ଲୋକଙ୍କୁ ବ୍ୟାଙ୍କରୁ ଋଣ ମିଳୁନି। ଫଳରେ ଏଠାରେ ବେଆଇନ ନିର୍ମାଣ ବଢ଼ିବାରେ ଲାଗିଛି। ଏପରିକି ରାଜଧାନୀର ବହୁ ପ୍ରମୁଖ ସ୍ଥାନରେ ହଜାର ହଜାର ଏକର ଜମି ପଡ଼ିଆ ପଡ଼ିଛି ନଚେତ୍‌ ଏଠାରେ ବେଆଇନ ନିର୍ମାଣ ହେଉଛି। ବେଆଇନ ନିର୍ମାଣ ହେଉଥିବାରୁ ଏହି ଅଞ୍ଚଳରେ ପରବର୍ତ୍ତୀ ସମୟରେ ବିଡିଏ ଯେକୌଣସି ଯୋଜନା କଲେ ବି ତାହା ଫେଲ୍‌ ମାରିବ। ପୂର୍ବରୁ ପ୍ରସ୍ତୁତ ହୋଇଥିବା ସିଡିପିରେ ଏଗୁଡ଼ିକୁ ବିଭିନ୍ନ ଜୋନ୍‌ରେ ରଖାଯାଇ ସାଧାରଣ ଲୋକଙ୍କ ଘର ନିର୍ମାଣ ଉପରେ ରୋକ୍‌ ଲଗାଯାଇଥିଲା। କିନ୍ତୁ ଏହି ଜମିଗୁଡ଼ିକ ସହର ନିକଟବର୍ତ୍ତୀ, ଜନବସତି ନିକଟରେ ଥିବାରୁ ଏଠାରେ ଲୋକ ଜମି କିଣି ଘର କରିଦେଲେ। କିନ୍ତୁ ବିଡିଏ ତା’ର ସିଡିପି ଅନୁଯାୟୀ ପ୍ଲାନ୍ ଦେଉଥିବାରୁ ଏବେବି ଏଗୁଡ଼ିକ ବେଆଇନ୍।

ବିଡିଏର ତଥ୍ୟ ଅନୁଯାୟୀ, ଏବେ ରାଜଧାନୀରେ ଯେତିକି ଜମି ଅଛି ସେଥିରୁ ୨୩ପ୍ରତିଶତ ଜମିରେ ଘର କରିବାକୁ ଅନୁମତି ମିଳୁନି। ଏଥିରେ ୩.୯୫ପ୍ରତିଶତ ଅଞ୍ଚଳ ପରିବେଶ ସମ୍ବେଦନଶୀଳ ଜୋନ୍‌(୧୬୫୭ହେକ୍ଟର), ୫.୩୧ପ୍ରତିଶତ ଲୁପ୍ତ ପ୍ରାୟ ଜଳାଶୟ ଅଞ୍ଚଳ (୨୨୨୭ ହେକ୍ଟର), ୧୩.୧୬ପ୍ରତିଶତ ହେଉଛି କୃଷି ଓ ଜଙ୍ଗଲ କିସମର ଅଞ୍ଚଳ (୫୫୫୬ ହେକ୍ଟର)। ତେଣୁ ଏହି ଜମିରେ ସାଧାରଣ ଲୋକଙ୍କୁ ଘର କରିବାକୁ ଅନୁମତି ଦିଆଯାଉନି ବୋଲି ବିଡିଏ ପକ୍ଷରୁ କୁହାଯାଉଛି। ବିଡିଏର ଯୁକ୍ତି ଯେ, ଏହି ସବୁ ଅଞ୍ଚଳ ଖାଲୁଆ ଅଞ୍ଚଳ। ଏଠାରେ ବର୍ଷା ଦିନେ ପାଣି ଜମିବ। ସ୍ବେରେଜ୍‌, ଡ୍ରେନେଜ୍‌ ବ୍ୟବସ୍ଥା ନାହିଁ। ତେଣୁ ବ୍ୟବସାୟିକ ପ୍ରତିଷ୍ଠାନ, ବଡ଼ ଆପାର୍ଟମେଣ୍ଟ କରିବାକୁ ଆମେ ଅନୁମତି ଦେଇପାରିବୁ।

ଏବେ ନୂଆ ସିଡିପି ପ୍ରସ୍ତୁତ ହେବାକୁ ଥିବାରୁ ଏହି ଅଞ୍ଚଳର ବର୍ତ୍ତମାନର ସ୍ଥିତି ଦେଖି ଏହା ୟେଲୋ ଜୋନ୍‌ରେ ସାମିଲ୍‌ କରାଯାଉଛି ନା ପୂର୍ବଭଳି ଏହାକୁ ବଳବତ୍ତର ରଖି ଲୋକଙ୍କୁ ବେଆଇନ ଘର ନିର୍ମାଣ କରିବାକୁ ପ୍ରୋତ୍ସାହିତ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର