୭ ମଠ ମାଡ଼ି ବସିଛନ୍ତି ୫.୬ଏକର, କେମିତି ସ୍ଥାନାନ୍ତର ହେବ ବସ୍‌ଷ୍ଟାଣ୍ଡ?

ଭୁବନେଶ୍ବର : ବରମୁଣ୍ଡା ବସଷ୍ଟାଣ୍ଡକୁ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରିବା ପାଇଁ ହୋଇଥିବା ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁ‌େମାଦନ କରିଛି। ୨୪ମାସରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ବସ୍‌ଷ୍ଟାଣ୍ଡକୁ ଅସ୍ଥାୟୀ ଭାବେ ଖଣ୍ଡଗିରି ବାରିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତିି ହୋଇଛି।

ଖଣ୍ଡଗିରି ବାରିରେ ୭ଏକର ସରକାରୀ ଜମି ଥିବାରୁ ସେଠାକୁ ବସ୍‌ଷ୍ଟାଣ୍ଡ ଦୁଇ ବର୍ଷ ପାଇଁ ସ୍ଥାନାନ୍ତର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏହି ୭ଏକରରୁ ଏବେ ୫ଏକର ୫୯୦ ଡେସିମିଲ ଜମି ଜବରଦଖଲ ହୋଇ ରହିଛି। ୭ଟି ମଠ କବ୍‌ଜାରେ ଏହି ଜମି ଥିବାରୁ ବରମୁଣ୍ଡା ବସଷ୍ଟାଣ୍ଡ କେବେ ସ୍ଥାନାନ୍ତର ହେବ ଏବଂ ଉନ୍ନତୀକରଣ କାମ କେବେ ଆରମ୍ଭ ହେବ ସେନେଇ ଏବେ ପ୍ରଶ୍ନ ଉଠିଲାଣି। ଏପରିକି ସ୍ଥାନାନ୍ତର ସମସ୍ୟା ଯୋଗୁଁ ଦୁଇ ବର୍ଷର ଅବଧି ଆଉ କିଛି ବର୍ଷକୁ ଘୁଞ୍ଚିଯିବନି ତ!

ବିଡିଏରୁ ମିଳିଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି ବାରିରେ ୭ଏକର ସରକାରୀ ଜମି ଥିବାବେଳେ ଏହାକୁ ୭ଟି ମଠ ମାଡ଼ି ବସିଛନ୍ତି। ଉଚ୍ଛେଦ କରିବାକୁ ଗଲାବେଳକୁ କୋର୍ଟଙ୍କ ସ୍ଥଗିତାଦେଶ ଦେଖାଉଛନ୍ତି। ତେଣୁ ଜବରଦଖଲ ମୁକ୍ତ ହୋଇପାରୁନି। କୋର୍ଟରେ ମାମଲା ଥିବାରୁ ଏନେଇ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖାଯାଇଛି। ୧୯ ଜୁଲାଇରେ ବିଡିଏର ଅତିରିକ୍ତ କମିସନର (ଏନଫୋର୍ସମେଣ୍ଟ) ସାଧାରଣ ପ୍ରଶାସନ ବିଭାଗର ଯୁଗ୍ମ ସଚିବ (ଜମି) ଏବଂ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବଙ୍କୁ ଚିଠି ଲେଖିଥିଲେ ହେଁ କିଛି ପଦକ୍ଷେପ ନେଇନାହାନ୍ତି। ଯେତେବେଳେ ରାଜ୍ୟ ସରକାର ଉଚ୍ଛେଦ ପାଇଁ ଅନୁମତି ଦେବେ ସେତେବେଳେ ଉଚ୍ଛେଦ ହେବ।

ଅପରପକ୍ଷେ ମିଳିତ ଉଚ୍ଛେଦକାରୀ ଟିମ୍‌ ପକ୍ଷରୁ ଜୁଲାଇ ମାସରେ ଦୁଇ ଥର ଖଣ୍ଡଗିରି ବାରିରେ ଉଚ୍ଛେଦ କରାଯାଇଥିବାବେଳେ ଏହି ସମୟରେ ଥରେ ୪୭୩୦୭ ବର୍ଗଫୁଟ ଏବଂ ଆଉ ଥରେ ୩୪ହଜାର ବର୍ଗଫୁଟ (ପ୍ରାୟ ୦.୭୮୦ ଏକର) ଜମି ଜବରଦଖଲ ମୁକ୍ତ କରିଛି। କିଛି ମଠର ଖାଲି ଅଞ୍ଚଳକୁ ବି ପାଚେରି ବୁଲାଇବାକୁ ଯୋଜନା କରିଛି। କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ସବୁ ମଠ ଉଚ୍ଛେଦ ହୋଇନି ସେତେଦିନ ପର୍ଯ୍ୟନ୍ତ ବରମୁଣ୍ଡା ବସଷ୍ଟାଣ୍ଡ ସ୍ଥାନାନ୍ତର ହୋଇପାରିବନି।

ସମ୍ବନ୍ଧିତ ଖବର