ବେସିକ୍‌ ସାଇନ୍ସ କଲେଜ ଛାତ୍ରୀଙ୍କୁ ନିର୍ଯାତନା ଘଟଣା: ନିଲମ୍ବିତ ହେଲେ ପ୍ରଫେସର

ମୁଖ୍ୟାଳୟ ହେବ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ସୁପାରିଶ

ଭୁବନେଶ୍ବର: ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ବେସିକ୍‌ ସାଇନ୍ସ କଲେଜର ପ୍ରାଣୀବିଜ୍ଞାନ ବିଭାଗର ସହାୟକ ପ୍ରଫେସର ବିଶ୍ବରଞ୍ଜନ ପାଇତାଲ। ଓସିଏସ୍‌(ସିସିଆଣ୍ଡ୍‌ଏ) ଅଧିନିୟମ ୧୯୬୨ ଆଧାରରେ ଶୃଙ୍ଖଳାମୂଳକ ପ୍ରକ୍ରିୟା ଚାଲିଥିବାରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ ରାଉଳଙ୍କ ନିର୍ଦେଶକ୍ରମେ କୁଳସଚିବ ଜାରି କରିଥିବା ନିଲମ୍ବନପତ୍ରରେ ଦର୍ଶାଇଛନ୍ତି ଯେ ଆଜି ପୂର୍ବାହ୍ନରୁ ପ୍ରଫେସର ପାଇତାଲ୍‌ଙ୍କୁ ନିଲମ୍ବିତ କରାଗଲା। ନିଲମ୍ବନ ସମୟ ଅବଧି ମଧ୍ୟରେ ବିଶ୍ବବିଦ୍ୟାଳୟ ଅଧୀନ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ତାଙ୍କ ମୁଖ୍ୟାଳୟ ହେବ। ମହାବିଦ୍ୟାଳୟ ଡିନ୍‌ଙ୍କ ନିକଟରେ ପ୍ରଫେସର ପାଇତାଲ ରିପୋର୍ଟିଂ କରିବେ ଏବଂ ଡିନ୍‌ଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ଓୟୁଏଟି ଷ୍ଟାଚ୍ୟୁଟ୍‌ର ଧାରା ୬୦ ଅନୁଯାୟୀ ନିଲମ୍ବନ ସମୟରେ ତାଙ୍କୁ ଭତ୍ତା ମିଳିବ ବୋଲି କୁହାଯାଇଛି।

ଓୟୁଏଟି କୁଳପତି ଶ୍ରୀ ରାଉଳଙ୍କ ଦ୍ବାରା ଗଠିତ ତଦନ୍ତ କମିଟି ରିପୋର୍ଟ ଆଧାରରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ପ୍ରଫେସର ପାଇତାଲଙ୍କ ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ଏବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ ହେବା ସହ ଜଣେ ତଦନ୍ତକାରୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଯିଏ କି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ। ଉଭୟ ଅଭିଯୋଗକାରୀ ଛାତ୍ରୀ ଓ ଅଭିଯୁକ୍ତ ପ୍ରଫେସରଙ୍କୁ ପଚରାଉଚରା କରିବେ। କଲେଜ ନିର୍ଦେଶକ, କ୍ୟାମ୍ପସର ପ୍ରଫେସର, ଛାତ୍ରୀମାନଙ୍କଠାରୁ ବି ଘଟଣାର ସତ୍ୟାସତ୍ୟ ବିଷୟରେ ତଦନ୍ତ କରିବେ। ସମ୍ପୃକ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ।

ମୁଖ୍ୟାଳୟ ହେବ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ
ଡିନ୍‌ଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେନି
ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ସୁପାରିଶ

ବିଶ୍ବବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଅଭିଯୋଗ ଆସିବା ପରେ ପ୍ରାରମ୍ଭିକସ୍ତରରେ ବେସିକ୍‌ ସାଇନ୍ସ କଲେଜ କର୍ତ୍ତୃପକ୍ଷ କମିଟି ଗଢ଼ି ତଦନ୍ତ କରାଇଥିଲେ। ସମ୍ପୃକ୍ତ କମିଟି ଯେଉଁ ରିପୋର୍ଟ ଦାଖଲ କରିଥିଲେ ସେଥିରେ ପ୍ରଫେସରଙ୍କ ଦୋଷ ଥିବା ଦର୍ଶାଇଥିଲେ। ‌ତଥାପି ଓୟୁଏଟି କୁଳପତିଙ୍କ ଦ୍ବାରା ଗଠିତ କମିଟି ତିନି ଦିନ ଧରି ତଦନ୍ତ କରିଥିଲା। ପ୍ରଥମ ଦିନ ଅଭିଯୋଗକାରୀ ଛାତ୍ରୀମାନଙ୍କୁ ଡାକି ପଚାରି ବୁଝିଥିଲେ। ରବିବାର ଛୁଟି ଥିବାରୁ ତଦନ୍ତ ଅଧାରେ ରହିଥିଲା। ସୋମବାର ସମ୍ପୃକ୍ତ ପ୍ରଫେସରଙ୍କୁ ଡାକି ପଚରାଉଚରା କରିଥିଲେ ମଧ୍ୟ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିପାରି ନ ଥିଲେ। ଆଜି ସକାଳୁ ସମ୍ପୃକ୍ତ କମିଟି ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ରିପୋର୍ଟ ଦେବା ପରେ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି। ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ଥିବାରୁ ପ୍ରଫେସର ଜଣକ ବେସିକ୍‌ ସାଇନ୍ସ କଲେଜକୁ ଗଲେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି। ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ ଅକ୍ଟୋବର ୩୧ରେ ବେସିକ୍‌ ସାଇନ୍ସ କଲେଜର ଜଣେ ପ୍ରଫେସରଙ୍କ ବିରୋଧରେ ଛାତ୍ରୀମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କଲେଜ କର୍ତ୍ତୃପକ୍ଷ ୪ଜଣିଆ ତଦନ୍ତକାରୀ କମିଟି ଗଠନ କରିଥିଲେ।

ସମ୍ବନ୍ଧିତ ଖବର