ଚନ୍ଦ୍ରଶେଖରପୁର : ପାନ ଦୋକାନୀ ଏବେ ପରିବା ବେପାରୀ

ଚନ୍ଦ୍ରଶେଖରପୁର : ୨୦ ବର୍ଷ ହେଲା କ୍ୟାବିନ୍‌ ପକାଇ ବେପାର କରୁଥିଲୁ। ଯାହା ଯେମିତି ରୋଜଗାର ହେଉଥିଲା ସେଥିରେ ଦିନ କଟିଯାଉଥିଲା। ଏବେ ଏ ନିଆଁ ଲଗା କରୋନା କୋଉଆଡ଼ୁ ଆସିଲା ଯେ ଆମ ବେଉସା ବୁଡ଼ାଇଦେଲା। ଦେଢ଼ ମାସ ହେଲା ବେପାର ନାହିଁ। କ୍ୟାବିନ୍‌ରେ ତାଲା ପଡ଼ିଛି। ତେଣୁ ବାଧ୍ୟ ହୋଇ ଦୁଇ ସପ୍ତାହ ହେଲା ବିକଳ୍ପ ବାଟ ଆପଣାଇଛୁ। କ୍ୟାବିନ୍‌ରେ ପାନ, ଗୁଟଖା, ବିସ୍କୁଟ ବେପାର ଲାଗି ପୁଲିସ ଅନୁମତି ଦେଉ ନ ଥିବାରୁ ବାଧ୍ୟ ହୋଇ ପରିବା ବେପାର କରୁଛୁ। ରାଜଧାନୀ ଉପକଣ୍ଠର ଚାଷୀଙ୍କଠାରୁ ପରିବା କିଣି ଏଠାରେ ବିକ୍ରି କରୁଛୁ। ‌ଯାହା କିଛି ରୋଜଗାର ହେଉଛି ସେଥିରେ ପରିବାର ଚଳାଉଛୁ। ମ୍ୟାଗନେଟ୍‌ ଛକରୁ ନନ୍ଦନକାନନ ରାସ୍ତା ପାର୍ଶ୍ବରେ ବେପାର କରୁଥିବା ବ୍ୟବସାୟୀମାନେ ଏହିଭଳି ମତପୋଷଣ କରିଛନ୍ତି। କେବଳ ଏହି ଅଞ୍ଚଳ ନୁହେଁ, ଭୁବନେଶ୍ବରର ଅଧିକାଂଶ ଅଞ୍ଚଳରେ ଏବେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ରାସ୍ତାପାର୍ଶ୍ବରେ ବେପାର କରୁଥିବା ମହିଳା ଶକୁନ୍ତଳା ଦେଈଙ୍କ କହିବାନୁଯାୟୀ ଲକ୍‌ଡାଉନ୍‌ ପୂର୍ବରୁ କ୍ୟାବିନ୍‌ରେ ପାନ, ଗୁଟଖା, ଚକ୍‌ଲେଟ୍‌, ବିସ୍କୁଟ ଆଦି ବିକ୍ରି କରୁଥିଲୁ। ତେବେ ଏବେ ଯେଉଁ ସ୍ଥିତି ଉପୁଜିଛି ମାସେ ପାଖାପାଖି ତାହା ବନ୍ଦ। ହାତ ବାନ୍ଧି ବସିଲୁ। ପରିସ୍ଥିତିରେ ସୁଧାର ଆସିଲା ନାହିଁ। ତେଣୁ ତିନି ସପ୍ତାହ ହେଲା ବିକଳ୍ପ ଭାବେ ପନିପରିବା ବେପାର କରୁଛୁ। ବାଇଗଣ, ସାଗ, ଭେଣ୍ଡି, ମକା, ସଜନା ଛୁଇଁ, ଟମାଟୋ, କାକୁଡ଼ି, କଲରା ଆଦି ବେପାର କରି ଦିନକୁ ୩୦୦ରୁ ୫୦୦ ଟଙ୍କା ଭଳି ଲାଭ ପାଉଛି। ଗୋଟିଏ ପଟେ ପାନ ଦୋକାନୀ ପରିବା ବେପାର କରୁଥିବା ବେଳେ ପୂର୍ବରୁ ପରିବା ବେପାର କରୁଥିବା ବ୍ୟବସାୟୀମାନେ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି। ଆଗରୁ ଯେଉଁଭଳି ବେପାର ହେଉଥିଲା ତାହାର ଅଧା ହେଉ ନାହିଁ ବୋଲି କହିଛନ୍ତି। ପଟିଆ କଲେଜ ରୋଡ୍‌ର ବ୍ୟବସାୟୀ ରାଜକିଶୋରଙ୍କ କହିବାନୁଯାୟୀ ୬ ବର୍ଷ ହେଲା ଏଠା‌ରେ ପରିବା ବେପାର କରୁଛି। ଦିନକୁ ୬୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳୁଥିଲା। ତେବେ ଗତ ଦେଢ଼ ମାସ ହେଲା ବେପାର ଘାଟାରେ ଚାଲିଛି। ଆଉ ଆଗଭଳି ବ୍ୟବସାୟ ହେଉ ନାହିଁ। ବେପାରୀଙ୍କ ସଂଖ୍ୟା ବଢ଼ିଯାଇଥିବାରୁ ଗ୍ରାହକଙ୍କ ସଂଖ୍ୟା କମିଯାଇଛି। ଦରଦାମରେ ପ୍ରତିଯୋଗିତା ଚାଲୁଥିବାରୁ କ୍ଷତି ସହିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର