ରେଡ୍‌ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର, ଅଗଷ୍ଟ ୨୦ ଯାଏଁ ସୁରକ୍ଷା‌ ବ୍ୟବସ୍ଥା କଡ଼ାକଡ଼ି ହେଲା

ଭୁବନେଶ୍ବର : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ନୂଆଦିଲ୍ଲୀ ବିମାନବନ୍ଦରକୁ ଉଡ଼ାଇ ଦେବାକୁ ଧମକ ଦେବା ପରେ ନୂଆଦିଲ୍ଲୀ ଭଳି ଭୁବନେଶ୍ବର ବିମାନବନ୍ଦର ପାଇଁ ମଧ୍ୟ ରେଡ୍‌ ଆଲର୍ଟ ଜାରି ହୋଇଛି। ଅଗଷ୍ଟ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି; ୧୦ଦିନ ପାଇଁ ବିମାନବନ୍ଦରରେ ରେଡ୍‌ ଆଲର୍ଟ ଜାରି ହୋଇଥିବାରୁ ଆମେ ବିମାନବନ୍ଦରର ସୁରକ୍ଷା ନେଇ ଏସ୍‌ଓପି ଜାରି କରିଛୁ। ସାଧାରଣତଃ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ସମୟରେ ଆମକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଏ। କିନ୍ତୁ ଏଥର ଦିଲ୍ଲୀ ବିମାନବନ୍ଦର ଉଡ଼ାଇଦେବାକୁ ଧମକ ଆସିଥିବାରୁ ଆମେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛୁ। ସେ ଆହୁରି କହିଛନ୍ତି ଯେ, ଆମେ ସର୍ବଦା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥାଉ। କିନ୍ତୁ ଏବେ ଏହାକୁ ବଢ଼ାଇ ଦିଆଯାଇଛି। ବିମାନବନ୍ଦର ଭିତରକୁ ଯାତ୍ରୀ ଓ କର୍ମଚାରୀଙ୍କ ବାଦ୍‌ କାହାକୁ ଛଡ଼ାଯିବନି। ଭିଜିଟର୍‌ ପାସ୍ ଦିଆଯିବନି। ଟର୍ମିନାଲ ନିକଟକୁ ଗାଡ଼ି ଆସିବନି। ଟର୍ମିନାଲଠାରୁ ଦୂରରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ। ସେହିପରି ବିମାନବନ୍ଦରରେ ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନଙ୍କୁ ମୁତୟନ କରାଯିବ। ପ୍ରବେଶ ପଥକୁ ସିଲ୍‌ କରି କଡ଼ା ଚେକି˚ ହେବ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯିବ। କାହାକୁ ବି ବାହାରେ କୌଣସି ସାମଗ୍ରୀ ରଖିବାକୁ ଦିଆଯିବନି। ପ୍ରତି ଵାଚ୍‌ଟାଵାର୍‌ରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ୨୪ଘଣ୍ଟା ମୁତୟନ କରାଯିବ। ଏବେ ଅଧିକ ସୁରକ୍ଷା କର୍ମୀ ନିୟୋଜିତ କରିବା ସହ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରିବୁ। ସବୁ ପୋଷ୍ଟରେ ସିଆଇଏସ୍‌ଏଫ୍‌ ଯବାନଙ୍କ ସଂଖ୍ୟା ବଢ଼ାଇ ଦିଆଯିବ। ପ୍ରବେଶ ପଥରେ ୪ଜଣ ବନ୍ଧୁକଧାରୀ ଯବାନ ମୁତୟନ ହୋଇଥିବା ବେଳେ ଟର୍ମିନାଲ ଭିତରେ ଓ ବାହାରେ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ହେବ। ଡୋମେଷ୍ଟିକ ଟର୍ମିନାଲରେ ୬୭ଟି ସିସିଟିଭି ଲାଗିଛି। କୌଣସି ପରିସ୍ଥିତିରେ ବି କେହି ଆମ ନଜରରୁ ଖସି ପାରିବେନି। ଏହାସହ ଆମର କୁଇକ୍‌ ରେସ୍ପନ୍‌ସ ଟିମ୍‌ (କ୍ୟୁଆରଟି)ରେ ଅଧିକ ଯବାନ ସାମିଲ୍‌ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, ଆମର ଟର୍ମିନାଲ ଭିତରେ ଯଦି କୌଣସି ବ୍ୟାଗ୍‌ କି ସାମଗ୍ରୀ ୧୫ ମିନିଟରୁ ଅଧିକ ରହିବ ଏବ˚ ଏହାର କେହି ଦାବିଦାର ନ ଥିବେ, ତେବେ ଆଲାରାମ୍ ବାଜିବ। ଆମ ଯବାନ ତୁରନ୍ତ ଏହାର ଯାଞ୍ଚ କରିବେ। ବିମାନବନ୍ଦରକୁ ଚାରିପଟୁ ସୁରକ୍ଷା ଯୋଗାଇବା ପାଇଁ ୧୩ଟି ଟାୱାରରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ୨୪ଘଣ୍ଟିଆ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର