ଗୀତରେ ପ୍ରଣବଙ୍କୁ ଜନ୍ମଦିନ ଶୁଭେଚ୍ଛା, ତୃପ୍ତି ଦାସଙ୍କୁ ‘ପ୍ରଣବ ପରମ୍ପରା ସମ୍ମାନ’

ଭୁବନେଶ୍ବର: ସଂଗୀତରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଭେଟିଦେଇଥିଲେ ଶିଳ୍ପୀବୃନ୍ଦ। ଓଡ଼ିଆ ସ˚ଗୀତ ଜଗତକୁ ବହୁ ମନଛୁଆଁ ଓ ଭାବପୂର୍ଣ୍ଣ ସ˚ଗୀତ ଭେଟି ଦେଇଥିବା ଶିଳ୍ପୀ ପ୍ରଣବଙ୍କୁ ଜନ୍ମଦିନରେ ଏଭଳି ଏକ ନିଆରା ଶୁଭେଚ୍ଛା ଭେଟି ଦେବାର ଅବକାଶ ଆଣିଥିଲା ସଂଗୀତ କାର୍ଯ୍ୟକ୍ରମ ‘ପ୍ରଣବ ପ୍ରଣାମ’। ‘ସ˚ଭାବନା’ ପକ୍ଷରୁ ଆୟୋଜିତ ଏହି ସଂଗୀତ ଉତ୍ସବରେ ସିଦ୍ଧାନ୍ତ, ଅର୍ଣ୍ଣବ, ଋତିକା ଓ ଇପ୍‌ସିତା ସମୂହ ସ୍ବରରେ ‘ହେ ଦୁଃଖହାରୀ ଗିରିଧାରୀ ମୁରାରୀ… ଭେଟି ଦେଇଥିଲେ। ପରେ ‘ମାଝିରେ ଶେଷ ଶ୍ରାବଣ…, ଇନ୍ଦ୍ରଧନୁର ସପ୍ତରଙ୍ଗୁ…, ତୁମ ଗାଁ ମହୁମାଛି.., ମୁଁ ଯେ ଅମୃତ ସାଗର ବିନ୍ଦୁ…ଗୀତ ଦର୍ଶକଙ୍କୁ ବିଭୋର କରିଥିଲା। ବିଶିଷ୍ଟ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ରାଜୀବ ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସଙ୍ଗୀତ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କୁ ‘ପ୍ରଣବ ପରମ୍ପରା ସମ୍ମାନ’ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନାର ଉତ୍ସବରେ ସ˚ପାଦକ ଦେବ ପ୍ରସାଦ ପରିଜା ଉତ୍ସବର ପୃଷ୍ଠଭୂମି ସ˚ପର୍କରେ କହିଥିଲେ। ‘ସ˚ଭାବନା’ର ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଅବିକଳ ପ୍ରଣବଙ୍କ ସ୍ବରରେ ଗାଉଥିବା ସୁନ୍ଦରଗଡ଼ର କଣ୍ଠଶିଳ୍ପୀ ପ୍ରମୋଦ ବେହେରା। ତାଙ୍କ କଣ୍ଠ ନିଃସୃତ ମୁଁ ଯେ ନିଃସଙ୍ଗ ଆକାଶ…, ଏଇ ଜୀବନଟା ଏକ ନାଟକ… ଓ ଅନ୍ତରେ କାନ୍ଦେ ବାହାରେ ହସେ ମୁଁ … ସଂଗୀତ ରୋମାଞ୍ଚ ଭରିଥିଲା। ପରେ ଛନ୍ଦା ମିଶ୍ର ‘ଏମିତି ରାତି ସେ ଯେ ଅଭୁଲା ସ୍ମୃତି… ଗାଇ ଶୁଣାଇଥିଲେ। ଏହି ଅବସରରେ ପ୍ରଣବ ସ˚ଗୀତ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ନିର୍ବିଶେଷ ସାହୁ, ବିଭୁଦତ୍ତ ନାୟକ ଓ ପି.ବି.କେ. କାହ୍ନାଙ୍କୁ ‘ପ୍ରଣବାଶିଷ ସମ୍ମାନ’ ପ୍ରଦାନ କରାଯାଇଥିଲା। ସଭ୍ୟା ରାଜଶ୍ରୀ ଶତପଥୀ, ସତ୍ୟବ୍ରତ ମହାପାତ୍ର, ସୁଜିତ ପଟ୍ଟନାୟକ, ପ୍ରେମ ପ୍ରକାଶ ସି˚ହ, ଗୁରୁ ପ୍ରସାଦ ଦାସ, ପ୍ରଫୁଲ୍ଲ ଦେ ଓ ଅଭିରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର