‘ବିଶ୍ବବାଣୀ’ର ସ୍ବନକ୍ଷତ୍ର ଉତ୍ସବ, କ୍ଷୁଦ୍ର, ମଧ୍ୟମ ସମ୍ବାଦପତ୍ରକୁ ପ୍ରୋତ୍ସାହନ ଲୋଡ଼ା

ଭୁବନେଶ୍ବର: ଦୈନିକ ତ୍ରୈଭାଷିକ ସମ୍ବାଦପତ୍ର ‘ବିଶ୍ବବାଣୀ’ର ସ୍ବନକ୍ଷତ୍ର ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉଦ୍‌ଘାଟକ ଭାବେ ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ଗଣମାଧ୍ୟମ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ଆଲୋକପାତ କରିବା ସହ ଏଗୁଡ଼ିକୁ ପ୍ରୋତ୍ସାହନ ମିଳିବା ସପକ୍ଷରେ ମତ ପ୍ରକାଶ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଗଣମାଧ୍ୟମର ସ୍ବରକୁ ଅନେକ ସମୟରେ ଚପାଇ ଦିଆଯାଉଛି। ତେଣୁ ସମ୍ପାଦକ ଓ ସାମ୍ବାଦିକମାନେ ସମସ୍ତ ଚାପକୁ ଏଡ଼ାଇ ଖବର ଛାପିଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ କହିଥିଲେ। ବରିଷ୍ଠ ସାମ୍ବାଦିକ ରବି ଦାସ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ, ଯେଉଁଠି ଗଣମାଧ୍ୟମ ଦୁର୍ବଳ ସେଠାରେ ଗଣତନ୍ତ୍ର ଦୁର୍ବଳ। ତେଣୁ ନିରପେକ୍ଷତା ବଜାୟ ରଖିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ପୂର୍ବତନ ଆୟକର ଆୟୁକ୍ତ ଶରତ ଦାଶ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ରମାଶଙ୍କର ପାତ୍ର, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ପୂର୍ବତନ କର୍ପୋରେଟର ନବକିଶୋର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ‘କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ବିଷୟ ଉପରେ ମତ ରଖିଥିଲେ। ବିଶ୍ବବାଣୀର ସମ୍ପାଦକ ଅର୍ଜୁନ ମୁଦୁଲି ଓ କାର୍ଯ୍ୟନିର୍ବାହୀ ସମ୍ପାଦକ ଧନଞ୍ଜୟ ଧନୀ ସମ୍ବାଦପତ୍ର ପ୍ରକାଶ କ୍ଷେତ୍ରରେ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ମତ ରଖିଥିଲେ। ଏ‌ହି ଅବସରରେ ‘ସମ୍ବାଦ’ର ସାମ୍ବାଦିକ ତାପସ ଦାସଙ୍କ ସମେତ ବିଭିନ୍ନ କ୍ଷେତ୍ରର କୃତୀ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଧିତ କରାଯାଇଥିଲା। ତପନ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର