ବିଏମ୍‌ସି ଓ ବିଡିଏ ପାଇଁ ସମୟ ନାହିଁ, ରାଜଧାନୀରେ ବାବୁ ଅଭାବ!

ଭୁବନେଶ୍ବର : ରାଜଧାନୀର ଦୁଇ ପ୍ରମୁଖ କାର୍ଯ୍ୟାଳୟ ବିଏମ୍‌ସି ଓ ବିଡିଏରେ ଏବେ ବାବୁ ସଂକଟ ଦେଖାଦେଇଛି। ସରକାର ପଦ ପୂରଣ କରିଦେଇଛନ୍ତି କିନ୍ତୁ ଯେଉଁ ବାବୁଙ୍କୁ ଦାୟିତ୍ବ ଦେଇଛନ୍ତି, ତାଙ୍କ ପାଖରେ ସେଇ ଚଉକିରେ ବସିବାକୁ ସମୟ ନାହିଁ। ସ୍ଥିତି ଏପରି ହୋଇଛି ଯେ ବିଏମ୍‌ସି ପ୍ରଶାସକ ଦାୟିତ୍ବରେ ଥିବା ସମବାୟ ଓ ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ନା ବିଏମ୍‌ସି ଅଫିସ ଯାଇପାରୁଛନ୍ତି ନା ବିଡିଏ ଉପାଧ୍ୟକ୍ଷ ଦାୟିତ୍ବରେ ଥିବା ବିଏମ୍‌ସି କମିସନର ସମର୍ଥ ବର୍ମା ନିୟମିତ ବିଡିଏ ଅଫିସ ଯାଉଛନ୍ତି। ଦୁଇ ଅଧିକାରୀଙ୍କୁ ତିନିରୁ ଅଧିକ ବିଭାଗର ଦାୟିତ୍ବ ଦିଆଯାଉଥିବାରୁ ଏବେ ବିଏମ୍‌ସି ଓ ବିଡିଏର ବହୁ କାର୍ଯ୍ୟ ଏହି ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ଅଟକି ଯାଉଛି।

ସମବାୟ ସଚିବ କ୍ରିଷନ କୁମାରଙ୍କୁ ଅତିରିକ୍ତ ଭାବେ ପୂର୍ତ୍ତ ସଚିବ ଦାୟିତ୍ବ ଦିଆଯାଇଛି। ସଚିବାଳୟରେ ଦୁଇଟି ଯାକ ବିଭାଗ ଥିବାରୁ ସେଠାରେ କାର୍ଯ୍ୟ କରିବାରେ କି ଫାଇଲ୍‌ ମଗାଇ କାମ କରିବାରେ କିଛି ଅସୁବିଧା ହେଉନି। ହେଲେ ବିଏମ୍‌ସି ଅଫିସ ନିୟମିତ ଆସିବା ତାଙ୍କ ପକ୍ଷେ ସମ୍ଭବ ହେଉନି। ବାତ୍ୟା ଫନି ପରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଏମ୍‌ସି ପ୍ରଶାସକ ୮/୧୦ଦିନ ପର୍ଯ୍ୟନ୍ତ ନିୟମିତ ବିଏମ୍‌ସି ଅଫିସ ଆସୁଥିଲେ। ଏହାପରେ କିନ୍ତୁ ଆଉ ବିଏମ୍‌ସି ଅଫିସ ଆସୁନାହାନ୍ତି। ଏପଟେ କମିସନର ନୂଆ ହୋଇଥିବାରୁ ଏବଂ ଅଭିଜ୍ଞତା ଅଭାବରୁ ବହୁ କ୍ଷେତ୍ରରେ ସେ ତୁରନ୍ତ ନିଷ୍ପତ୍ତି ନେଇପାରୁନାହାନ୍ତି। ଏପରିକି କେତେକ ଫାଇଲ୍‌ରେ (ମେୟର ନଥିବାରୁ) ପ୍ରଶାସକଙ୍କ ଦସ୍ତଖତ ନିତାନ୍ତ ଆବଶ୍ୟକ ଥିଲେ ହେଁ ତାହା ହୋଇପାରୁନି। ଯେପରି କୌଣସି କାର୍ଯ୍ୟ ପାଇଁ ବିଲ୍‌ ବାବଦକୁ ୧୫ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ଥିଲେ ସେଥିରେ ପ୍ରଶାସକଙ୍କ ଅନୁମତି ଦରକାର। ହେଲେ ପ୍ରଶାସକ ବିଏମ୍‌ସି ଅଫିସ ଆସୁ ନଥିବା ବେଳେ ଏଠାରୁ ବି ତାଙ୍କ ପାଖକୁ କେହି ଫାଇଲ୍‌ ନେଇ ଯାଉନାହାନ୍ତି। ଏହାବାଦ୍ ପୂର୍ବରୁ ବହୁ କାର୍ଯ୍ୟ ବର୍ତ୍ତମାନର ପ୍ରଶାସକ ତଥା ପୂର୍ବତନ କମିସନରଙ୍କ ସମୟରେ ହୋଇଥିବା ବେଳେ ସେଥିରୁ କିଛି ଅଧାପନ୍ତରିଆ ହୋଇ ଏବେ ପଡ଼ିଛି। ଏହା ଉପରେ ନିଷ୍ପତ୍ତି ନେବାକୁ ହେଲେ ବର୍ତ୍ତମାନର କମିସନରଙ୍କୁ ପ୍ରଶାସକଙ୍କ ଅନୁମତି ନେବାକୁ ପଡ଼ୁଛି। କିନ୍ତୁ ପ୍ରଶାସକ ସିନା ଆସିଲେ ବୈଠକ ବସିବ କି କିଛି ନିଷ୍ପତ୍ତି ନିଆଯିବ। ଏହାବାଦ୍ ୧ କୋଟିରୁ ଅଧିକ କୌଣସି କାର୍ଯ୍ୟ କରିବାକୁ ହେଲେ ବା ‌କଣ୍ଟ୍ରାକ୍ଟର୍ସ କମିଟି ବୈଠକ ପାଇଁ ପ୍ରଶାସକଙ୍କ ଅନୁମତି ଦରକାର। କିନ୍ତୁ ତାହା ବି ହୋଇପାରୁନି। ବିଏମ୍‌ସିର ଏହି ଅଚଳାବସ୍ଥା ଆଜି ଉଗ୍ରରୂପ ନେଇଛି। ଦୀର୍ଘ ମାସ ହେଲା କାମ କରି ବିଲ୍‌ ପାଇନଥିବା ବହୁ ସଂସ୍ଥା ଓ ଠିକାଦାର ଆଜି କମିସନରଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି। ଟେଣ୍ଡର ପକାଇ କାମ କରିଥିଲେ ହେଁ ୪୦ରୁ ଅଧିକ ଦିନ ହେଲା ପ୍ରାପ୍ୟ ପ୍ରଦାନ କରାଯାଉନଥିବାରୁ ସେମାନଙ୍କର ଅସନ୍ତୋଷ କମିସନରଙ୍କୁ ଜଣାଇଥିଲେ। ପ୍ରଶାସକଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର ସମାଧାନର ବାଟ ବାହାର କରିବେ ବୋଲି କମିସନର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।

ସେହିପରି ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ନେଇଥିବା ବିଏମ୍‌ସି କମିସନର ସମର୍ଥ ବର୍ମା ବି କ୍ରୁଟ୍‌ର ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଇଛନ୍ତି। ଏହାସହ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ବି ହୋଇଛନ୍ତି। ହେଲେ ବାତ୍ୟା ପରେ ବିଏମ୍‌ସିର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏବେ ଡ୍ରେନ୍ ପୁନରୁଦ୍ଧାର କାର୍ଯ୍ୟ ବି ଚାଲିଛି। ବିଏମ୍‌ସି କମିସନର ଏହାର ତଦାରଖ କରୁ କରୁ ବିଡିଏ ଅଫିସ ନିୟମିତ ଯାଇପାରୁନାହାନ୍ତି। କେବଳ ଏତିକି ନୁହେଁ, ବିଡିଏର ଉପାଧ୍ୟକ୍ଷ ଭାବେ କ୍ରୁଟ୍‌ର ନିର୍ଦ୍ଦେଶକ ହୋଇଥିଲେ ହେଁ ଏଠାରେ ବି ସେ କୌଣସି ବୈଠକ ନେଇପାରୁନାହାନ୍ତି। କନିଷ୍ଠ ଅଧିକାରୀଙ୍କୁ ଏହି ସବୁ ଦାୟିତ୍ବ ସହ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଥିବାରୁ ସେ ବି ଏହାର ତଦାରଖ କରି ପାରୁନାହାନ୍ତି। ଫଳରେ ବାତ୍ୟା ପରେ ଯେମିତି ଏହି ସବୁ ବିଭାଗ କାର୍ଯ୍ୟ କରୁନି, ସେହିଭଳି ଅନୁଭବ ହେଲାଣି। ମୁରବି ଅଫିସ ଆସୁନଥିବାରୁ ତଳିଆ ଅଧିକାରୀ ଓ କର୍ମଚାରୀମାନେ ବି କୌଣସି କାର୍ଯ୍ୟକୁ ଗୁରୁତ୍ବ ଦେଇ କରୁନାହାନ୍ତି।

ରାଜଧାନୀରେ ବହୁ ଗୁରୁତ୍ବପୂର୍ଣ୍ଣ ସଂସ୍ଥାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଏକାଧିକ ପଦ ନ୍ୟସ୍ତ କରାଯାଇଥିବାରୁ ଅନେକ କାର୍ଯ୍ୟ ପାଇଁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବାବେଳେ ବହୁ କାର୍ଯ୍ୟ ଯେମିତି ଆଗେଇବା କଥା ଆଗେଇ ପାରୁନି।

ସମ୍ବନ୍ଧିତ ଖବର