ବିଏମ୍‌ସି ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି ‘ମୁଁ ସଫେଇ ବାଲା’ ଅଭିଯାନ

ଭୁବନେଶ୍ବର: ରାଜଧାନୀରେ ପରିମଳ ବ୍ୟବସ୍ଥାକୁ ସଜାଡ଼ିବାକୁ ବିଏମ୍‌ସି ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି ‘ମୁଁ ସଫେଇ ବାଲା’ ଅଭିଯାନ। ସ୍କୁଲ ଛାତ୍ରଛାତ୍ରୀ ଏବଂ ଆବାସିକ କଲ୍ୟାଣ ସଂଘ ମାଧ୍ୟମରେ ଏହି ଅଭିଯାନକୁ ସଫଳ କରାଯିବ। ଆଜି ଏନେଇ ଇଡକଲ୍‌ ଅଡିଟୋରିୟମରେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଆଜି ଏହି କାର୍ଯ୍ୟକ୍ରମକୁ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଉଦ୍‌ଘାଟନ କରି କହିଲେ ଯେ, ଯିଏ ଅଳିଆ ଉଠାଉଛି ସେ ସଫେଇ ବାଲା, ଯିଏ ଅଳିଆ ଏଣେତେଣେ ପକାଉଛି ସେ ଅଳିଆ ବାଲା। ଆମ ସମସ୍ତଙ୍କୁ ସଫେଇ ବାଲା ହେବାକୁ ହେବ। ନିଜ ଘରେ ଆବର୍ଜନାକୁ ପୃଥକୀକରଣ କରିବା ସହ ଖାଦ୍ୟ ନଷ୍ଟ ନକରିବା, ପଲିଥିନ୍ ବ୍ୟବହାର ନକରିବା, ଡଷ୍ଟବିନ୍ ବ୍ୟବହାର କରିବା, ଘର ଓ ପରିବେଶକୁ ସଫା ରଖିବାକୁ ଶପଥ ନେବାକୁ ହେବ। କମିସନର ଏହି ଅବସରରେ ଉପସ୍ଥିତ ସ୍କୁଲ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇଥିଲେ।

ମୁଁ ସଫେଇ ବାଲା ଅଭିଯାନ ତିନିଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ଅକ୍ଟୋବର ୨ରୁ ଜାନୁଆରି ୩, ୨୦୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ। ଏହିଦିନ ସ୍କୁଲ ଛାତ୍ରଛାତ୍ରୀମା‌ନେ ‘ମୁଁ ସଫେଇ ବାଲା’ ବୋଲି ଶପଥ ନେବେ। ନଭେମ୍ବର ୧୪ରେ ସେମାନେ କିପରି ସଫେଇ ବାଲା ହୋଇଛନ୍ତି ତାହା ଏକ ଫର୍ମରେ ପୂରଣ କରି ସ୍କୁଲରେ ଦେବେ। ଜାନୁଆରି ୩ରେ ସ୍କୁଲ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମରେ ବିଏମ୍‌ସିର ଅତରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ, ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ବିଏମ୍‌ସିର ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନର, ନଗର ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ୮୦ଟି ଆବାସିକ କଲ୍ୟାଣ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ। ସେମାନଙ୍କୁ କମ୍ପୋଷ୍ଟ ପ୍ଲାଣ୍ଟ, ଡ୍ରମ୍ କମ୍ପୋଷ୍ଟିଂ, ଆବର୍ଜନା ପୃଥକୀକରଣ, ଜଳ ପରିଚାଳନା, କମ୍‌ ପ୍ଲାଷ୍ଟିକ ବ୍ୟବହାର କରିବା ନେଇ ପ୍ରଶିକ୍ଷଣ ଦିଆଯାଇଥିଲା।

ସମ୍ବନ୍ଧିତ ଖବର