ଭୁବନେଶ୍ବରରେ ହେବ ବର୍ଜ୍ୟବସ୍ତୁରୁ ଊର୍ଜା ପ୍ଲାଣ୍ଟ, ଭାରତୀୟ ରେଳପଥରେ ପ୍ରଥମ ଓ ଦେଶରେ ତୃତୀୟ

ଜାନୁଆରି ସୁଦ୍ଧା ହେବ କାର୍ଯ୍ୟକ୍ଷମ

ଭୁବନେଶ୍ବର: ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳଡ଼ବା ମରାମତି କାରଖାନାଠାରେ ବର୍ଜ୍ୟବସ୍ତୁରୁ ଊର୍ଜା ସଂରକ୍ଷଣ ପାଇଁ ଏକ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ରେଳଡ଼ବା ମରାମତି କାରଖାନାଠାରେ ଏହି ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମଧ୍ୟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ରେଳଡ଼ବା ମରାମତି କାରଖାନାରୁ ବହୁ ଅଣଲୌହ ଓ ଧାତବ ବର୍ଜ୍ୟବସ୍ତୁ ଉତ୍ପଦିତ ହେଉଛି, ଯାହାର ପରିଚାଳନା ପାଇଁ କୌଣସି ପଦ୍ଧତି ନାହିଁ। ତାହାକୁ ଦୃଷ୍ଟିରେ ରଖି ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଏହି ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି ପ୍ଲାଣ୍ଟ ଭାରତୀୟ ରେଳପଥରେ ପ୍ରଥମ ଓ ଦେଶରେ ତୃତୀୟ ପ୍ଲାଣ୍ଟ ହେବ।

ଏହି ପଲିକ୍ରାକ ପଦ୍ଧତି ପ୍ଲାଣ୍ଟ ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ, ପେଟ୍ରୋଲଜାତ ଆବର୍ଜନା, ୫୦ ଭାଗ ଆର୍ଦ୍ରତା ଥିବା, ଅଲଗା ହୋଇ ନ ଥିବା ବିଭିନ୍ନ ପ୍ରକାର ଆବର୍ଜନା, ଇ-ୱେଷ୍ଟ, ଗାଡିଗୁଡିକର ଆବର୍ଜନା, ଅର୍ଗାନିକ ୱେଷ୍ଟ ସହିତ ବାଉଁଶ ଜାତୀୟ ପଦାର୍ଥ, ବଗିଚାର ବର୍ଜ୍ୟବସ୍ତୁ, ଅନାବନା ବୃକ୍ଷଗୁଡ଼ିକୁ ବ୍ୟବହାର କରି ଊର୍ଜା ବା ଇନ୍ଧନ ସୃଷ୍ଟି କରାଯାଇ ପାରିବ। ଏହି ପ୍ରଣାଳୀରେ ମିଶ୍ରିତ ବର୍ଜ୍ୟବସ୍ତୁଗୁଡିକୁ ଅଲଗା ଅଲଗା କରିବା ଦରକାର ପଡ଼ିବନି। ମିଶ୍ରିତ ବର୍ଜ୍ୟବସ୍ତୁକୁ ପଲିକ୍ରାକ ପ୍ଲାଣ୍ଟରେ ସିଧାସଳଖ ପ୍ରକ୍ରିୟାକରଣ କରାଯିବ। ଉଚ୍ଚ କ୍ଷମତା ସମ୍ପନ୍ନ ହୋଇଥିବାରୁ ବହଳିଆ ବର୍ଜ୍ୟବସ୍ତୁଗୁଡିକୁ ଶୁଖାଇବା ଦରକାର ନାହିଁ। ବର୍ଜ୍ୟବସ୍ତୁଗୁଡିକୁ ପ୍ରକ୍ରିୟାକରଣ କରାଯାଇ ୨୪ ଘଣ୍ଟା ମଧ୍ୟରେ ଇନ୍ଧନ ସୃଷ୍ଟି କରାଯିବ। ଏହା ଏକ ସଂଲଗ୍ନ ୟୁନିଟ ହୋଇଥିବାରୁ କାର୍ଯ୍ୟ କରିବା ସମୟରେ ଧୂଳି ସୃଷ୍ଟି ହେବ ନାହିଁ। ପ୍ଲାଣ୍ଟ ନିକଟରେ ଭଲ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବ। ପ୍ଲାଣ୍ଟର ଆକାର ଛୋଟ ହୋଇଥିବାରୁ ବଡ଼ ଜାଗା ଦରକାର ପଡ଼ିବନି। ଏହାଦ୍ୱାରା କମ୍‌ ଖର୍ଚରେ ବର୍ଜ୍ୟବସ୍ତୁର ପରିଚାଳନା କରାଯିବ। ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଓ ପରିଚାଳନା ପାଇଁ କମ୍‌ ଲୋକଙ୍କ ଦରକାର ପଡ଼େ। ଏଥିରୁ କୌଣସି ମାରାତ୍ମକ ପ୍ରଦୂଷକ ବାହାରିବନି। ଦହନଶୀଳ, ଅଣ-ଘନୀଭୂତ ପ୍ରଣାଳୀକୁ ପୂର୍ଣ୍ଣ ପ୍ରକ୍ରିୟାକରଣ କରାଯାଇ ପୁନଃ ବ୍ୟବହାରକ୍ଷମ କରାଯିବ। ଏହି ପ୍ରଣାଳୀ ବହୁ ପୁରସ୍କାର ଗ୍ରହଣ କରିଛି।

ବର୍ଜ୍ୟବସ୍ତୁରୁ ଊର୍ଜା ପ୍ଲାଣ୍ଟ ଆସନ୍ତା ୪ ମାସ ଅର୍ଥାତ୍‌ ୨୦୨୦ ଜାନୁଆରି ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି ପଲିକ୍ରାକ ପ୍ଲାଣ୍ଟ ପାଇଁ ୨ କୋଟି ଟଙ୍କା ବ୍ୟୟ କରାଯିବ। ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା, ଭୁବନେଶ୍ୱର ଷ୍ଟେସନଠାରେ ଥିବା କୋଚିଂ ଡିପୋ ସହ ଷ୍ଟେସନର ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଏହି ପ୍ଲାଣ୍ଟ ଦ୍ୱାରା ପ୍ରକ୍ରିୟାକରଣ ହେବ। ଦିଲ୍ଲୀର ମୋତିବାଗଠାରେ ପ୍ରଥମ ଓ ବେଙ୍ଗାଲୁରୁ ଇନ୍‌ଫୋସିଟିଠାରେ ଦ୍ବିିତୀୟ ପ୍ଲାଣ୍ଟ ସ୍ଥାପିତ ହୋଇଛି। ଏହା ଦୈନିକ ୫୦ କେଜି ବର୍ଜ୍ୟବସ୍ତୁ ପରିଚାଳନା କ୍ଷମତା ରଖିଛି। ପୂର୍ବତଟ ରେଳପଥରେ କରାଯାଉଥିବା ପ୍ଲାଣ୍ଟ ଦୈନିକ ୫୦୦ କେଜି ବର୍ଜ୍ୟବସ୍ତୁ ପରିଚାଳନା କ୍ଷମତା ରଖିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଏହାର ପରିଚାଳନା ବାବଦରେ ବାର୍ଷିକ ୨୫ ଲକ୍ଷ ଟଙ୍କା ଖର୍ଚ ହେବାକୁ ଥିବା ବେଳେ ୧୦ରୁ ୧୨ ଲକ୍ଷ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର