ଅଳିଆ ଅଡ଼ୁଆ ଛିଡ଼ୁନି, ଠପ୍‌ ହୋଇଯିବ ପରିମଳ ବ୍ୟବସ୍ଥା

ସଫେଇ ସଂସ୍ଥା ଯେତେ ଅର୍ଥ ମାଗୁଛନ୍ତି ଦେଇ ହେବନି: ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀରେ ଅଳିଆ ଉଠାକୁ ନେଇ ଅଡ଼ୁଆ ଛିଡ଼ୁନି। ବିଏମ୍‌ସିର ୫୭ଟି ଓ୍ଵାର୍ଡରେ ସଫେଇ ଦାୟିତ୍ୱ ନେଇଥିବା ତିନିଟି ଘରୋଇ ସଂସ୍ଥା ଏବଂ ବିଏମ୍‌ସି ମଧ୍ୟରେ ପ୍ରାୟ ଦୁଇ ବର୍ଷ ଧରି ଟଣାଓଟରା ଚାଲିଥିବାରୁ ଏବେ ଅଧିକାଂଶ ସମୟରେ ଅଳିଆ ଉଠୁନି। ଏପରିକି ଲଗାତର ତିନିରୁ ଚାରିଦିନ ରାସ୍ତାରେ ଅଳିଆ ପଡ଼ି ରହୁଛି। ସାରା ସହରରେ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେବା ପରେ ବିଏମ୍‌ସି ଏଥିରେ ହସ୍ତକ୍ଷେପ କରୁଛି। ସଫେଇ ସଂସ୍ଥାଗୁଡ଼ିକୁ ସେମାନଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ପୁଣି ଅଳିଆ ଉଠୁଛି। ଏହା ଏବେ ପ୍ରତି ମାସରେ ଏକ ନିତିଦିନିଆ ଘଟଣା ହୋଇଗଲାଣି। ହେଲେ ବିଏମ୍‌ସି ଏହାର ସ୍ଥାୟୀ ସମାଧାନ କରୁନି। ଯେଉଁଥିପାଇଁ ହଠାତ୍‌ ରାଜଧାନୀରେ ଅଳିଆ ଉଠିବା ଦୀର୍ଘ ସମୟ ପାଇଁ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। ପ୍ରତି ମାସରେ ସଫେଇ କର୍ମଚାରୀ ବିଭିନ୍ନ ଦାବି ନେଇ ହଠାତ୍‌ ଅଳିଆ ଉଠାଇବା ବନ୍ଦ କରି ଦେଉଛନ୍ତି। କେତେବେଳେ ଜାଗୃତିର ତ କେତେବେଳେ ରାମ୍‌କି ଓ ପିଏମ୍‌ଆର୍‌ ସଫେଇ କର୍ମଚାରୀ ଏଥିରେ ସାମିଲ୍‌ ହୋଇଯାଉଛନ୍ତି। ଏପରିକି ରାଜଧାନୀର ୧୦ଟି ଓ୍ଵାର୍ଡରେ ବିଏମ୍‌ସି ନିଜସ୍ୱ କର୍ମଚାରୀଙ୍କ ଦ୍ୱାରା ସଫେଇ କରୁଥିଲେ ହେଁ ସେମାନେ ବି ବର୍ଷର ଅଧିକାଂଶ ସମୟରେ ବିଭିନ୍ନ ଦାବି ନେଇ ହରତାଳ କରୁଛନ୍ତି। କାହାର ବି ଦାବି ପୂରଣ କରିବାରେ ବିଏମ୍‌ସି ଏ ପର୍ଯ୍ୟନ୍ତ ସଫଳ ହେଉନି। ଯେଉଁଥିପାଇଁ ବର୍ଷକୁ ପ୍ରାୟ ୩୦ଦିନ ରାସ୍ତାରେ ଆବର୍ଜନା ଗଦା ହୋଇ ରହୁଛି। ସ୍ୱଚ୍ଛ ସର୍ଭେକ୍ଷଣରେ ଭୁବନେଶ୍ୱରକୁ ଭଲ ର‍୍ୟାଙ୍କ ମିଳି ନଥିବା ବେଳେ ଏଥିପାଇଁ କର୍ତ୍ତୃପକ୍ଷ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନଥିବା ମୁଖ୍ୟ କାରଣ ବୋଲି କହୁଛନ୍ତି। କିନ୍ତୁ ବିଏମ୍‌ସି ଅଞ୍ଚଳରେ ଯେପରି ବର୍ଷକ ୧୨ ମାସରୁ ପ୍ରାୟ ୧ ମାସ ଅଳିଆ ରାସ୍ତାରେ ଗଦା ହେଉଛି, ଯେଉଁଥିପାଇଁ ରାଜଧାନୀବାସୀ ନକାରାତ୍ମକ ମତାମତ ଦେଉଛନ୍ତି ତାହା କର୍ତ୍ତୃପକ୍ଷଙ୍କୁ ବୁଝାପଡ଼ୁନି। ରାଜଧାନୀର ପରିମଳ ବ୍ୟବସ୍ଥା ପାଇଁ ବିଏମ୍‌ସି ବର୍ଷକୁ ପ୍ରାୟ ୬୫ କୋଟି ଖର୍ଚ୍ଚ କରୁଥିବା ବେଳେ କେତେକ ଅଧିକାରୀ ସମୟ ଉପଯୋଗୀ ପଦକ୍ଷେପ ନେଇ ପାରୁନଥିବାରୁ ଏବେ ବିଏମ୍‌ସି ହଟହଟା ହେଉଛି। ସଫେଇ ସଂସ୍ଥାଗୁଡ଼ିକଙ୍କର ଦାବି ପୂରଣ ହେଉନଥିବାରୁ ସେମାନେ ସଫେଇ କର୍ମଚାରୀଙ୍କୁ ମାଧ୍ୟମ କରି ଅଳିଆ ଉଠା ବନ୍ଦ କରିଦେଉଛନ୍ତି। ଆଉ ପୂତିଗନ୍ଧମୟ ପରିବେଶରେ ରାଜଧାନୀବାସୀ ଦିନ କାଟୁଛନ୍ତି।

ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଉଛି ବିଏମ୍‌ସି: ସଫେଇ ସଂସ୍ଥା,

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଫେଇ କର୍ମଚାରୀମାନେ ଘରୋଇ ସଂସ୍ଥାଗୁଡ଼ିକୁ ନିୟମିତ ବ୍ୟବଧାନରେ ଧମକ ଦେଇ କାର୍ଯ୍ୟ ବନ୍ଦ କରୁଛନ୍ତି। କିନ୍ତୁ ବିଏମ୍‌ସି ଚୁପ୍‌ ରହୁଛି। ସଫେଇ କର୍ମଚାରୀ ଦରମା ବୃଦ୍ଧି ଦାବିରେ ବାରମ୍ବାର ହରତାଳ କରୁଥିବା ବେଳେ କେତେବେଳେ ଦରମା ବଢ଼ୁଛି ତ କେତେବେଳେ ବଢ଼ୁନି। କିନ୍ତୁ ଥରେ ବନ୍ଦ ହେଲେ ଏକସଙ୍ଗେ ୪ରୁ ୫ଦିନ ଅଳିଆ ଉଠୁନି। ଏନେଇ ସଫେଇ ସଂସ୍ଥାଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ଯେ ରାଜ୍ୟ ସରକାର ସଫେଇ କର୍ମଚାରୀ ବର୍ଗଙ୍କ ପାଇଁ ଦୈନିକ ମଜୁରି ୨୦୦ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଆମକୁ ବିଏମ୍‌ସି ମାତ୍ର ୧୫୦ଟଙ୍କା ହିସାବରେ ଦେଉଛି। ହେଲେ ବାରମ୍ବାର ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ କରୁଥିବାରୁ ଏବେ ଆମକୁ ୧୯୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି। ହେଲେ ବିଏମ୍‌ସି ଆମକୁ ବର୍ଦ୍ଧିତ ହାରରେ ଅର୍ଥ ଦେଉନି। ଏବେ ଅଳିଆ ଉଠାଇବା ପାଇଁ (ଏସକାଲେସନ୍‌ ଫି’) ଟନ୍‌ ପିଛା ୨୪୮୦ଟଙ୍କା ମିଳୁଛି। ଏହା ଗତ ତିନିବର୍ଷ ହେଲା ଜାରି ରହିଛି। ଯେତେବେଳେ କି ଶ୍ରମିକଙ୍କ ମଜୁରୀ ୫୦ ଟଙ୍କା ବଢ଼ିଗଲାଣି। ଏହାବାଦ୍‌ ଇପିଏଫ୍‌ ମିଶାଇଲେ ଆମକୁ ଶ୍ରମିକଙ୍କ ପିଛା ୨୨୦ରୁ ୨୩୦ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି। ଏସକାଲେସନ୍‌ ଫି’ ଆଉ ୪୦୦ଟଙ୍କା ବଢ଼ାଇବାକୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର କହିଲୁଣି। କିନ୍ତୁ କେହି ଶୁଣୁନାହାନ୍ତି। ଯେତେବେଳେ ସଫେଇ ବନ୍ଦ ହୋଇଯାଇଛି, ସେତେବେଳେ ମେୟର ଓ ଅନ୍ୟ ଅଧିକାରୀମାନେ ତୁରନ୍ତ ଏହାର ସମାଧାନ ହେବ ବୋଲି କହୁଛନ୍ତି। କିନ୍ତୁ ଏହା ବାରମ୍ବାର ମିଥ୍ୟା ପ୍ରତିିଶ୍ରୁତିରେ ପରିଣତ ହେଉଛି। କେତେବେଳେ ଫାଇଲ୍‌ ସିଟି ହେଲ୍‌ଥ ଅଫିସରଙ୍କ ପାଖରେ ଅଟକି ଯାଉଛି ତ କେତେବେଳେ ଅତିରିକ୍ତ କମିସନରଙ୍କ ନିକଟରେ। ବହୁ ବାହନା ଦେଖାଇ ବିଏମ୍‌ସି ଆମକୁ ଠକି ଚାଲିଛି। କିନ୍ତୁ ଶ୍ରମିକମାନେ ତ ଏହା ବୁଝୁନାହାନ୍ତି। ସେମାନେ କାର୍ଯ୍ୟ ବନ୍ଦ କଲେ ଆମକୁ ସେମାନଙ୍କ ଦାବି ପୂରଣ କରିବାକୁ ପଡ଼ୁଛି। ୨୦୧୬ ମସିହାରୁ ଏହି ଧାରା ଚାଲିଥିବା ବେଳେ ଏହା ମଧ୍ୟରେ ତିନି ଥର ଶ୍ରମିକଙ୍କ ମଜୁରି ମୋଟା ଅଙ୍କରେ ବଢ଼ିଛି। ଯଦି ବିଏମ୍‌ସି ଖୁବ୍‌ଶୀଘ୍ର ଏସକାଲେସନ୍‌ ଫି’ ବୃଦ୍ଧି ନ କରେ ତେବେ ଆମେ କୌଣସି ମୁହୂର୍ତ୍ତରେ ସଫେଇ ବନ୍ଦ କରିଦେବାକୁ ବାଧ୍ୟ ହେବୁ। ଚଳିତବର୍ଷ ଜାନୁଆରିରୁ ମେ’ ମଧ୍ୟରେ ତିନି ଥର ଅଳିଆ ଉଠା ବନ୍ଦ ହୋଇଥିବା ବେଳେ ଏହି ସମୟରେ ପ୍ରାୟ ୧୫ ଦିନ ଅଳିଆ ଉଠିନି। ରାମ୍‌କି ସଫେଇ କରୁଥିବା ୧୫ଟି ଓ୍ଵାର୍ଡରେ ୪ଦିନ ଅଳିଆ ଉଠିବା ବନ୍ଦ ହେବା ପରେ ଆଜି ଉଠିଛି। ଶ୍ରମିକମାନେ ମଜୁରି ବୃଦ୍ଧି ଦାବିରେ କାର୍ଯ୍ୟ ବନ୍ଦ କରିଥିଲେ। ସଂସ୍ଥା ତାଙ୍କୁ ୧୬୭ଟଙ୍କା ମଜୁରି ଦେଉଥିଲା। ଏବେ ୧୯୦ଟଙ୍କା ଲେଖାଏଁ ଦେବାକୁ ରାଜି ହେବାରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସଫେଇ ସଂସ୍ଥାଗୁଡ଼ିକୁ ଏବେ ଠିକ୍‌ ଅର୍ଥ ଦିଆଯାଉଛି। ସେମାନେ ଯେଉଁ ଅନୁସାରେ ଏସକାଲେସନ୍‌ ଫି’ ମାଗୁଛନ୍ତି ସେହି ଅନୁଯାୟୀ ଅର୍ଥ ଦେବା ସମ୍ଭବ ନୁହେଁ। ଏ ସମ୍ବନ୍ଧୀୟ ଫାଇଲ୍‌ ଅତିରିକ୍ତ କମିସନରଙ୍କ ନିକଟରେ ଅଛି। ସେ ଯାହା ନିଷ୍ପତ୍ତି ନେବେ।

ସମ୍ବନ୍ଧିତ ଖବର