ନିର୍ବାଚନମୁହାଁ ରାଜଧାନୀ: ୱାର୍ଡ-୧ରେ ଗଡ଼ ରଖିପାରିବ ତ ବିଜେଡି!

ପୌର ନିର୍ବାଚନ ବିଗୁଲ୍ ବାଜି ସାରିଛି। ସରକାରୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ନେତା ଓ ଜନତା ବି ପ୍ରସ୍ତୁତ। କେବଳ ଅପେକ୍ଷା ତାରିଖ ଘୋଷଣାକୁ। ଭୁବନେଶ୍ବର ମହାନଗର ନିଗମରେ ରାଜନୈତିକ ପରିବେଶ ଏବେ ଚଳଚଞ୍ଚଳ। ଦୀର୍ଘ ୩ ବର୍ଷ ପରେ ନିର୍ବାଚନ ହେଉଥିବାରୁ ସବୁ ମହଲରେ ଉତ୍ସୁକତା। ପ୍ରତି ୱାର୍ଡର ଗଳିକନ୍ଦି, ଛକ ବଜାର ସବୁଠି ନିର୍ବାଚନୀ ତାତି। ସାଧାରଣ ଜନତା ଆଶାୟୀଙ୍କ ଦମ୍ ପରଖୁଛନ୍ତି- ନିଜ ଅଞ୍ଚଳର ସମସ୍ୟା ସମାଧାନ ପାଇଁ କେଉଁ ପ୍ରାର୍ଥୀ କେତେଦୂର ସକ୍ଷମ ହେବେ? ଚିରାଚରିତ ଭାବେ ସମସ୍ୟା ତା’ ବାଟରେ ରହିଯିବନି ତ? ପ୍ରତିଶ୍ରୁତି ଓ ସମାଧାନ ଭିତରେ ବଡ଼ ବ୍ୟବଧାନ ରହିଯିବ କି? ଏପଟେ ଆଶାୟୀଙ୍କ ରଣନୀତି ପ୍ରସ୍ତୁତ ଚାଲିଛି। ବିଭିନ୍ନ ରାଜନୈତି ଦଳର ବଡ଼ପଣ୍ଡାମାନଙ୍କ ପାଖରେ ଟିକେଟ୍ ଆଶାୟୀଙ୍କ ଲବି ଆରମ୍ଭ ହୋଇଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ଆଶାୟୀଙ୍କ ହୃଦ୍‌ସ୍ପନ୍ଦନ ସେତିକି ବଢ଼ୁଛି।
ରାଜଧାନୀର ବିଭିନ୍ନ ୱାର୍ଡର ମୌଳିକ ସମସ୍ୟା ଓ ରାଜନୀତିକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା…

Image Courtesy of BJD Odisha

ଚନ୍ଦ୍ରଶେଖରପୁର : ବିଏମ୍‌ସିର ଏକ ନମ୍ବର ୱାର୍ଡ। ସହର ବଢ଼ିବା ସହ ବଢ଼ୁଛି ଏହି ୱାର୍ଡର କ‌ଳେବର। ୨୦୦୮ ନିର୍ବାଚନରେ ବର୍ତ୍ତମାନର ୧, ୨, ୬ ଓ ୭ ନମ୍ବର ୱାର୍ଡକୁ ମିଶାଇ ଏହି ୱାର୍ଡ ଥିଲା। ମାତ୍ର ଏହି ଅଞ୍ଚଳରେ ଲୋକ ସଂଖ୍ୟା ବଢ଼ୁଥିବାରୁ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଛିଡ଼ୁଛି। ନୂଆ ବି ଯୋଡ଼ି ହୋଇଛି। ୨୦୧୪ରେ ଥିବା ଏହାର ପରିସୀମା ବଦଳିଛି। ନୂଆ ଭୋଟର୍‌ ବି ସାମିଲ ହୋଇଛନ୍ତି।

ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, ଏହା ସବୁବେଳେ ବିଜେଡି କବ୍‌ଜାରେ ରହିଛି। ୨୦୦୮ରେ ବିଜେଡି ପ୍ରାର୍ଥୀ ମନୋରଞ୍ଜନ ବେ‌ହେରା କର୍ପୋରେଟର୍‌ ହୋଇଥିଲେ। ସେ ୨୧୪୦ ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମିହିର କୁମାର ରାଉତ ୧୭୬୭ ଭୋଟ୍‌ ହ‌ାତେଇଥିଲେ। ୱାର୍ଡ ସୀମା ବଦଳିବା ସହ ରାଜ‌େନୈତିକ ପାଣିପାଗ ବଦଳିଗଲା। ୨୦୧୩ରେ ମିହିର ରାଉତ ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ ଏହି ୱାର୍ଡ ମହିଳାଙ୍କ ଲାଗି ସଂରକ୍ଷଣ ଥିବାରୁ ନିଜ ପତ୍ନୀ ମମତା ରାଉତଙ୍କୁ ପ୍ରାର୍ଥୀ କରାଇ ବିପୁଳ ଭୋଟ୍‌ରେ ବିଜୟୀ କରାଇଥିଲେ ମିହିର। ପୁଲିଂ ହୋଇଥିବା ୨୫୦୦ ଭୋଟ୍‌ରୁ ବିଜେଡି ପ୍ରାର୍ଥୀ ମମତା ରାଉତ ୧୭୨୧ ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ସୁପ୍ରଭା ମିଶ୍ର ୧୫୩ ଓ ବିଜେପି ପ୍ରାର୍ଥୀ ରୁନୁ ଭୂୟାଁ ୧୪୦ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ୱାର୍ଡ ପରିସୀମା : ପ୍ରଶାନ୍ତି ବିହାର, ପ୍ରଶାନ୍ତି ବିହାର ହାଉସିଂବୋର୍ଡ ଅଞ୍ଚଳ, ଚିରଗୋଲଟୋଲା ବସ୍ତି, ଇନ୍‌ଫୋସିଟି ଅଞ୍ଚଳ, କିଟ୍ ହଷ୍ଟେଲ, ୱେଷ୍ଟର୍ଣ୍ଣ ଆପାର୍ଟମେଣ୍ଟ, ଆର୍ଯ୍ୟପଲ୍ଲୀ, ମାରୁତି ବିହାର, ଆଦର୍ଶ ବିହାର, ଶିଖରଚଣ୍ଡୀ କ୍ଳଷ୍ଟର୍‌-୧, ୨, ପଟିଆ ବିଗ୍‌ବଜାର, ତ୍ରିସ୍ନା ଏନ୍‌କ୍ଲେଭ୍‌

ଭୋଟର୍‌- ୭୬୨୦
ପୁରୁଷ- ୩୮୭୭
ମହିଳା- ୩୭୪୨
ତୃତୀୟ ଲିଙ୍ଗୀ- ୧

ଚଳିତ ବର୍ଷ ଏହି ୱାର୍ଡ ଅଣସଂରକ୍ଷିତ ରହିଥିବା ବେ‌ଳେ ଭୋଟର୍‌ଙ୍କ ସଂଖ୍ୟା ବି ବୃଦ୍ଧି ପାଇଥିବାରୁ ଏଠାକାର ରାଜନୈତିକ ପାଣିପାଗ ଅଧିକ ସରଗରମ ହୋଇଛି। କର୍ପୋରେଟର୍‌ ପଦ ଅସଂରକ୍ଷିତ ହୋଇଥିବାରୁ ମିହିର କୁମାର ରାଉତ ବିଜେଡିରୁ ପ୍ରାର୍ଥୀ ହେବା ଭଳି ଲାଗୁଛି। କାରଣ ଗୋଟିଏ ଦଶନ୍ଧି ହେଲା, ସେ ଏଠାରେ ଦଳକୁ ସଂଗଠିତ କରି ରଖିଛନ୍ତି। ଏ ପର୍ଯ୍ୟନ୍ତ ୱାର୍ଡରେ ଆଉ କାହା ନାଁକୁ ନେଇ ଚର୍ଚ୍ଚା ଆଲୋଚନା ବି ହୋଇନାହିଁ। ତେବେ ବିଜେପିରୁ ଦୁଇଜଣ ଆଶାୟୀଙ୍କ ନାଁ ସାମ୍ନାକୁ ଆସିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ଶିଖରଚଣ୍ଡୀ ଅଞ୍ଚଳର ଧବଳେଶ୍ବର ମୂର୍ତ୍ତି ପ୍ରାର୍ଥୀ ହେବାକୁ ଆଶା ବଳାଇଛନ୍ତି। ପ୍ରଶାନ୍ତି ବିହାରରୁ ଜଣେ ବ୍ୟବସାୟୀ ବିଜେପିରୁ ପ୍ରାର୍ଥୀ ହେବାକୁ ଲବିରେ ରହିଥିବା ସୂଚନା ମିଳିଛି। କଂଗ୍ରେସରୁ ଏ ପର୍ଯ୍ୟନ୍ତ ସେଭଳି କେହି ପ୍ରାର୍ଥୀ ବାହାରି ନ ଥିବା ଜଣାପଡ଼ିଛି।

ପୂର୍ବତନ କର୍ପୋ‌ରେଟର୍‌ ମମତା ରାଉତଙ୍କ କହିବାନୁଯାୟୀ, ମୋ ସମୟରେ ୱାର୍ଡର ସମସ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ ସରିଛି। ମୁଖ୍ୟ ଡ୍ରେନ୍‌ କାମ ଶେଷ ହୋଇଛି। ଆଲୋକୀକରଣ ସରିଛି। ଓପନ୍‌-ଜିମ୍‌ ସହ ପିଲାଙ୍କ ଲାଗି ୩ଟି ଶିଶୁ ଉଦ୍ୟାନ କରାଯାଇଛି। ବୟସ୍କଙ୍କ ଲାଗି କମ୍ୟୁନିଟି ସେଣ୍ଟର୍‌ ହୋଇଛି। ଶିଳ୍ପାଞ୍ଚଳରୁ ବାହାରୁଥିବା ବର୍ଜ୍ୟ ପାଣିକୁ ସୁବ୍ୟବସ୍ଥିତ ଢଙ୍ଗରେ ନିଷ୍କାସନ କରିବା ଲାଗି ବ୍ୟବସ୍ଥା ହୋଇଛି। ସବୁ ପରିବାରରେ ସ୍ବେରେଜ ଲାଇନ୍‌ ଶେଷ ହୋଇଛି।

ତେବେ ଏ ଅଞ୍ଚଳ ସମସ୍ୟାମୁକ୍ତ ନୁହେଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। କଲୋନିରେ ପାନୀୟ ଜଳ ବ୍ୟବସ୍ଥା ହୋଇପାରିନାହିଁ। ହାଉ‌ସିଂବୋର୍ଡ ଓ ପିଏଚ୍‌ଡି ମଧ୍ୟରେ ସମନ୍ବୟ ଅଭାବରୁ କଲୋନିବାସୀଙ୍କ ପାଇଁ ପିଇବା ପାଣି ସମସ୍ୟା ରହିଛି। ସେହିଭଳି ପ୍ରଶାନ୍ତିବିହାର କଲୋନି ରାସ୍ତା ପାର୍ଶ୍ବରୁ ଉଠାଦୋକାନୀଙ୍କୁ ଉଚ୍ଛେଦ, କଲୋନି ଓ ବସ୍ତିରେ ଡ୍ରେନ୍‌ ନିର୍ମାଣ, ବସ୍ତିବାସିନ୍ଦାଙ୍କ ଥଇଥାନ ଲାଗି ସ୍ଥାୟୀ ପଟ୍ଟା ଯୋଗାଣ ଏଥରର ପ୍ରମୁଖ ପ୍ରସଙ୍ଗ ପାଲଟିବ। ତେଣୁ ଏଥର ପୁଣି ବିଜେଡି କିଭଳି ଏହି ଗଡ଼ ନିଜ ହାତରେ ରଖିବ, ତାହା ସମୟ କହିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର