ବଳକା ଖାଦ୍ୟ ବାଣ୍ଟିବ ବିଏମ୍‌ସି

ନିୟୋ‌ଜିତ ହେବେ ସ୍ବେଚ୍ଛାସେବୀ ସଂସ୍ଥା, ୧୦ଟି ସ୍ଥାନରେ ଖାଦ୍ୟ ବଣ୍ଟା ହେବ

ଭୁବନେଶ୍ବର : ରାଜଧାନୀରେ କେହି ଭୋକିଲା ରହିବେନି କି କାହାର ଖାଦ୍ୟ ନଷ୍ଟ ହେବନି। ରାଜଧାନୀରେ ଦୈନିକ କୁଇଣ୍ଟାଲ କୁଇଣ୍ଟାଲ ରନ୍ଧା ଖାଦ୍ୟ ନଷ୍ଟ ହେଉଥିବା ବେଳେ ଏହାର ଉଚିତ ବ୍ୟବହାର ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ନୂଆ ଯୋଜନା ପ୍ରସ୍ତୁତ କରିଛି। ସ୍ବେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ରାଜଧାନୀର ବଳକା ଖାଦ୍ୟ ସଂଗ୍ରହ କରିବା ସହ ୧୦ଟି ସ୍ଥାନରେ ଦିନକୁ ଦୁଇ ‌ଓଳି ଖାଦ୍ୟ ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି।

ବିଏମ୍‌ସିର ଯୋଜନା ଅନୁଯାୟୀ, ଦିନବେଳା ମଧ୍ୟାହ୍ନ ଭୋଜନ ସମୟରେ ବିଭିନ୍ନ ଘରୋଇ ଅନାଥାଶ୍ରମ, ସହରାଞ୍ଚଳ ଆଶ୍ରୟସ୍ଥଳୀ, ଲେପ୍ରସିପଡ଼ା, ବୃଦ୍ଧାଶ୍ରମ, ସମ୍‌ ହସ୍ପିଟାଲ, ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡ, କିମ୍‌ସ ହସ୍ପିଟାଲ ନିକଟରେ ଖାଦ୍ୟ ବଣ୍ଟା ହେବ। ସେହିପରି ରାତିରେ ଭୁବନେଶ୍ବର ରେଳଷ୍ଟେସନ୍‌, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, କ୍ୟାପିଟାଲ ହସ୍ପିଟାଲ, ସମ୍‌ ହସ୍ପିଟାଲ, ଘରୋଇ ଅନାଥାଶ୍ରମ, ବାସହରାଙ୍କ ଆଶ୍ରୟସ୍ଥଳ, ବୃଦ୍ଧାଶ୍ରମ, ଲେପ୍ରସିପଡ଼ା, କିମ୍‌ସ ହସ୍ପିଟାଲ ନିକଟରେ ବଳକା ଖାଦ୍ୟ ବଣ୍ଟା ହେବ।

ବିଏମ୍‌ସିର ସୂଚନା ଅନୁଯାୟୀ, ଯେଉଁ ସଂସ୍ଥା ବିଏମ୍‌ସିର ସର୍ତ୍ତ ଅନୁଯାୟୀ ଯୋଗ୍ୟ ହେବ, ସେହି ସଂସ୍ଥାକୁ ଦୁଇବର୍ଷ ପାଇଁ ରାଜଧାନୀରେ ବଳକା ଖାଦ୍ୟ ସଂଗ୍ରହ କରିବାର ଦାୟିତ୍ବ ମିଳିବ। ଏହି ସଂସ୍ଥା ବିଭିନ୍ନ ହୋଟେଲ, ମଣ୍ଡପ, ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ହଷ୍ଟେଲ ଆଦି ସହ ଯୋଗାଯୋଗ କରି ବଳକା ଖାଦ୍ୟ ସଂଗ୍ରହ କରିବେ। ବିଏମ୍‌ସି ପକ୍ଷରୁ ମଧ୍ୟ ବିଭିନ୍ନ ସଂସ୍ଥାକୁ ଏନେଇ ଅବଗତ କରାଯିବ। ଦିନକୁ ଦୁଇ ଓଳି ଖାଦ୍ୟ ସଂଗ୍ରହ କରାଯିବ। ଏହି ସଂସ୍ଥା ଖାଦ୍ୟ କେଉଁଠାରୁ କେତେ ଖାଦ୍ୟ ସଂଗ୍ରହ କଲା, କିଏ ଦେଲେ, କ’ଣ ଦେଲେ ତାଙ୍କର ନାମ, ଠିକଣା, ମୋବାଇଲ୍‌ ନମ୍ବର ଓ ଖାଦ୍ୟ ସଂଗ୍ରହ ବେଳର ଫଟୋକୁ ‌ଏକ ରେଜିଷ୍ଟର୍‌ରେ ଲେଖିବେ। ଏହାପରେ ଏହାକୁ ତୁରନ୍ତ ବାଣ୍ଟିବାର ବ୍ୟବସ୍ଥା କରିବେ। ବିଏମ୍‌ସି ପକ୍ଷରୁ କେଉଁ ଖାଦ୍ୟ କେଉଁଠିକୁ ଯିବ, ତାହା ଜଣାଇ ଦିଆଯିବ। ସେହି ଅନୁଯାୟୀ ଖାଦ୍ୟ ବଣ୍ଟାଯିବ। ମାସକୁ ୯ହଜାର ଲୋକଙ୍କୁ ଖାଦ୍ୟ ବାଣ୍ଟିବାକୁ ପଡ଼ିବ। ଏହାର ୯୦%ରୁ କମ୍‌ ଲୋକଙ୍କୁ ଖାଦ୍ୟ ବଣ୍ଟା ହେଲେ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅପରପକ୍ଷେ ବଳକା ଖାଦ୍ୟ ଖାଇ ଯଦି କାହାର ବିଷକ୍ରିୟା ଜନିତ ଦେହ ଖରାପ ହୁଏ କି କିଛି ସମସ୍ୟା ହୁଏ, ତେବେ ବିଏମ୍‌ସି ଏଥିପାଇଁ ଦାୟୀ ରହିବନି। ଘରୋଇ ସଂସ୍ଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ସବୁ ସମସ୍ୟା ପାଇଁ ଦାୟୀ ରହିବେ। ତେଣୁ ଅନୁଷ୍ଠାନ ନିଜର ଖାଦ୍ୟ ନିରୀକ୍ଷକଙ୍କ ଦ୍ବାରା ଖାଦ୍ୟର ମାନ ଯାଞ୍ଚ କରି ଖାଦ୍ୟ ସଂଗ୍ରହ କରିବାକୁ କୁହାଯାଇଛି। କେଉଁ ଖାଦ୍ୟ ସଂଗେସଂଗେ ବଣ୍ଟାଯିବ, କେଉଁ ଖାଦ୍ୟ ଫ୍ରିଜ୍‌ରେ ରହିପାରିବ, ତାହା ସଂସ୍ଥା ନିଷ୍ପତ୍ତି ନେବ। ଏଥିପାଇଁ ଖାଦ୍ୟ ସଂରକ୍ଷଣ କରି ରଖିବା ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ସହିତ ୭୦୦ ଲିଟର ବିଶିଷ୍ଟ ଏକ ଫ୍ରିଜ୍‌ରେ ୫ରୁ ୧୦ଡିଗ୍ରି ସେଲସିଅସ୍‌ରେ ରଖିବାକୁ ହେବ। ଖାଦ୍ୟ ଗରମ କରି ଦେବା ପାଇଁ ଗ୍ୟାସ୍‌ ଷ୍ଟୋଭ୍, ଗ୍ୟାସ୍‌ ସିଲିଣ୍ଡର୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖିବାକୁ ପଡ଼ିବ। ଯେପରି କୌଣସି ଖାଦ୍ୟ ଅନ୍ୟ ଖାଦ୍ୟରେ ମିଶିବନି, ଆମିଷ ଓ ନିରାମିଷ ଖାଦ୍ୟ ମିଶିବନି, ତାହାକୁ ଗୁରୁତ୍ବ ଦେବାକୁ ପଡ଼ିବ। ଏହାପରେ ଯଦି ଖାଦ୍ୟ ନଷ୍ଟ ହୋଇଯାଏ, ତେବେ ଏହାକୁ ବିଏମ୍‌ସି ଦ୍ବାରା ଚିହ୍ନଟ ହୋଇଥିବା ସ୍ଥାନ କିମ୍ବା ଏମ୍‌ସିସି ପ୍ଲାଣ୍ଟରେ ପକାଯିବ ବୋଲି ସ୍ଥିର ହୋଇଛି।

ଲୋକଙ୍କୁ ଯେପରି ଗୁଣାତ୍ମକ ଖାଦ୍ୟ ପରଷାଯିବ, ସେଥିପାଇଁ ଖାଦ୍ୟ ସଂଗ୍ରହ ବେଳେ ଏବଂ ଖାଦ୍ୟ ବଣ୍ଟନ ବେଳେ ଏହାର ମାନ ଯାଞ୍ଚ କରାଯିବ। ଏହି ବଳକା ଖାଦ୍ୟ ସଂଗ୍ରହ ଓ ବଣ୍ଟନ କାର୍ଯ୍ୟ ଯେପରି ବ୍ୟବସ୍ଥିତ ଢଙ୍ଗରେ ହେବ, ସେଥିପାଇଁ ବିଏମ୍‌ସିର ଅତିରିକ୍ତ କମିସନର-୨ଙ୍କ ନେତୃତ୍ବରେ ୯ ଜଣିଆ ଏକ ଟିମ୍ ଗଠନ ହୋଇଛି। ବିଏମ୍‌ସିର ଏହି ଯୋଜନା ଏପ୍ରିଲ ମାସରୁ ଆରମ୍ଭ କରିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର