ଜାମୁଝରୀ ମୁକ୍ତାକାଶ ଆଶ୍ରମରେ ଅନ୍ତେବାସୀଙ୍କ ଝୁଲନ୍ତା ଶବ ଉଦ୍ଧାର

ମା’କୁ ହତ୍ୟା ମାମଲାରେ କାଟୁଥିଲା ଆଜୀବନ କାରାଦଣ୍ଡ
୨୦୧୬ରେ ମୁକ୍ତି ପାଇଁ ହୋଇଥିଲା ନିଷ୍ପତ୍ତି

ମେଣ୍ଢାଶାଳ : ଖୋର୍ଧା ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମରୁ ଗତରାତିରେ ଜଣେ ଅନ୍ତେବାସୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତକ ହେଲେ, ମାଲକାନଗିରି ଓରକେଲ୍ ଥାନା ଅଞ୍ଚଳର ନନ୍ଦ ଛୋତି( ୫୫)। ମା’କୁ ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡ ଭୋଗୁଥିଲା। ଆଶ୍ରମ ପରିସରରେ ଥିବା ଶୌଚାଳୟରୁ ତାଙ୍କ ଝୁଲନ୍ତା ମୃତଦେହକୁ ଚନ୍ଦକା ଥାନା ପୁଲିସ ଉଦ୍ଧାର କରିଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏ ସଂକ୍ରାନ୍ତରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ଏହା ହାଜତ ମୃତ୍ୟୁ ହୋଇଥିବାରୁ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତରୀ ଟିମ୍ ଦ୍ବାରା ଶବ ବ୍ୟବଚ୍ଛେଦ କରାଯିବ।

ଆଶ୍ରମରେ ଶୋଇବା ପୂର୍ବରୁ କଏଦୀଙ୍କ ସଂଖ୍ୟା ହିସାବ କରାଯାଏ। ସବୁଦିନ ଭଳି ଗତ ରାତିରେ କଏଦୀଙ୍କ ଉପସ୍ଥାନ ନିଆଯାଇଥିଲା। କିନ୍ତୁ ସେହି ସମୟରେ ନନ୍ଦ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା। ଖୋଜାଖୋଜି କରିବାରୁ ଶୌଚାଳୟରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଆଶ୍ରମ ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ଚନ୍ଦକା ଥାନା ଆଇଆଇସି ଦେବେନ୍ଦ୍ର ବିଶ୍ୱାଳ ଓ ମେଣ୍ଢାଶାଳ ଫାଣ୍ଡି ଅଧିକାରୀ ଅକ୍ଷୟ କୁମାର ଲେଙ୍କା ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।

ସୂଚନାଯୋଗ୍ୟ, ନନ୍ଦ ନିଜ ମା’କୁ ହତ୍ୟା କରିବା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ୨୦୧୨ ମସିହାରେ ଜାମୁଝରୀ ମୁକ୍ତାକାଶ ଆଶ୍ରମକୁ ଆସିଥିଲା। ସେଠାରେ ସେ ସଫେଇ କରିବା, ବଗିଚାରେ ପାଣି ମଡ଼ାଇବା ଓ ପନିପରିବା ଚାଷରେ ନିୟୋଜିତ ଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତା’ର ବ୍ୟବହାର ଓ ଚାଲିଚଳଣିରେ ଖୁସି ହୋଇ ୨୦୧୬ ମସିହାରେ ତାଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ନିୟମ ଅନୁସାରେ, ଏହା ପୂର୍ବରୁ ତାଙ୍କ ପରିବାରଲୋକ ଓ ପଡ଼ୋଶୀଙ୍କଠାରୁ ସ୍ଥାନୀୟ ଥାନା ଦ୍ବାରା ମତାମତ ନିହାତି ଆବଶ୍ୟକ। ନନ୍ଦ ଜେଲରୁ ମୁକୁଳିଲେ ବିପଦ ଥିବା ତାର ପରିବାର ସଦସ୍ୟ ପୁଲିସକୁ କହିଥିଲେ। ତେଣୁ ତା’ ମୁକୁଳିବା ନିଷ୍ପତ୍ତି ଅଟକି ଯାଇଥିଲା। ଏହାକୁ ନେଇ ନନ୍ଦ ଅନେକ ସମୟରେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲା। ୨୦୧୭ ମସିହାରେ ସେ ଅସୁସ୍ଥ ହେବାରୁ ତାକୁ ଚିକିତ୍ସା ପାଇଁ କଟକ ପଠାଯାଇଥିଲା। ସେ ଚୌଦ୍ୱାର ଜେଲ୍‌ରେ ରହିବା ସହ ଚିକିତ୍ସିତ ହେଉଥିଲା। ସେଠାରେ ଦୁଇବର୍ଷ ରହି ପୁଣି ଜାମୁଝରୀ ଆଶ୍ରମକୁ ଫେରିଥିଲା। ଏଠାକୁ ଫେରିବା ପରେ ମୋର ଚିଠି କେବେ ଆସିବ ବୋଲି ଜେଲ୍ କର୍ତୃପକ୍ଷଙ୍କୁ କହୁଥିବା ଜଣାପଡ଼ିଛି। ଏମିତି ଦୁଇ ବର୍ଷ ବିତି ଯାଇଥିଲା। ଏହାକୁ ନେଇ ଅନେକ ସମୟରେ ଦୁଶ୍ଚିନ୍ତାରେ ରହୁଥିବା କୁହାଯାଉଛି। ନନ୍ଦର ମୁକ୍ତି ସମ୍ପର୍କରେ ହୋଇଥିବା ନିଷ୍ପତ୍ତି ବାବଦରେ କିଛି ଜାଣି ନ ଥିବା କହିଛନ୍ତି ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ।

ସମ୍ବନ୍ଧିତ ଖବର