ଦଲାଲମୁକ୍ତ ଆର୍‌ଟିଓ ଅଭିଯାନ, ଆଜିଠୁ ଖୋଲିବ ଲର୍ଣ୍ଣର୍ସ ଲାଇସେନ୍ସ କ୍ୟାମ୍ପ

ଭୁବନେଶ୍ବର: ଆଉ କାଗଜପତ୍ର କାରବାର ନାହିଁ। ପେପରଲେସ୍‌ ହେବ ଆର୍‌ଟିଓ ଅଫିସ। ଏଣିକି ସବୁ ଆବେଦନ ଅନ୍‌ଲାଇନ୍‌ରେ ହେବ। ଆର୍‌ଟିଓରୁ ଦଲାଲମାନଙ୍କୁ ହଟାଇବା ପାଇଁ ଏଭଳି ବ୍ୟବସ୍ଥା ହୋଇଛି। ଲୋକମାନେ ଅନ୍‌ଲାଇନ୍‌ରେ ଆବେଦନ କରି ଆବେଦନପତ୍ରର ନକଲ ସହ ଆକ୍‌ନଲେଜ୍‌ମେଣ୍ଟ ରସିଦ୍‌, ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ବ୍ଲଡ୍‌ଗ୍ରୁପ୍‌ ପ୍ରମାଣପତ୍ର ସାଙ୍ଗରେ ଧରି ଆସିବା ପାଇଁ କୁହାଯାଇଛି। ଲାଇସେନ୍ସ ଓ ଅନ୍ୟାନ୍ୟ ପ୍ରମାଣପତ୍ର ପାଇଁ ସରକାରୀ ଦେୟ ବାବଦରେ ବଡ଼ ବଡ଼ ହୋର୍ଡିଂ ଲାଗିଛି। ଦୁଇଦିନ ହେବ ଉଭୟ ଆର୍‌ଟିଓ ପରିସର ଦଲାଲ୍‌ମୁକ୍ତ ଥିବା ପରିଲକ୍ଷିତ ହୋଇଛି।

ଅନ୍ୟପଟେ ଦଲାଲ୍‌ ଚାଲିଯିବା ପରେ ଲୋକମାନଙ୍କୁ ସମସ୍ୟା ହୋଇଛି। ଉପଯୁକ୍ତ ସୂଚନା ଅଭାବରୁ ଲୋକମାନେ ବାରଦୁଆର ହେଉଛନ୍ତି। ଆରଟିଓ-୧ ଅଫିସ୍‌ରେ ଅନ୍‌ଲାଇନ୍‌ ଆବେଦନ କରିବା ପାଇଁ ବ୍ୟବସ୍ଥା ନାହିଁ। କିଓସ୍କ ଥିଲେ ମଧ୍ୟ ପ୍ରିଣ୍ଟ ଆଉଟ୍‌ ପାଇଁ ବ୍ୟବସ୍ଥା ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଅନେକେ ଅନ୍‌ଲାଇନ୍‌ ଆବେଦନରେ ଅଭ୍ୟସ୍ତ ନଥିବାରୁ ଆର୍‌ଟିଓ ପରିସରରୁ ହଟି ଦୂରରେ ବସିଥିବା ଦଲାଲ୍‌ଙ୍କ ସହାୟତା ନେଉଥିବା ଦେଖିବାକୁ ମିଳୁଛି। ଆରଟିଓ-୧ ଅଧୀନରେ ‌ବନ୍ଦ ହୋଇ ଯାଇଥିବା ଦୁଇ ଲର୍ଣ୍ଣର୍ସ ଲାଇସେନ୍ସ ପ୍ରସ୍ତୁତ କ୍ୟାମ୍ପ ଅଫିସ୍‌କୁ ପୁଣି ଥରେ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲିଠାରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ସହିଦ ନଗର ବିଏମ୍‌ସି ୱାର୍ଡ ଅଫିସ୍‌ ଓ ଏଜି ଛକରେ ଥିବା ଓଏସ୍‌ଆରଟିସି ଅଫିସ୍‌ ପରିସରରେ ଏହି କ୍ୟାମ୍ପ ଖୋଲିବାକୁ ନୋଟିସ୍‌ ଜାରି ହୋଇଛି। ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଏହି ଅଫିସ୍‌ କାମ କରିବ।

ଏନେଇ ଆରଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି, ଆର୍‌ଟିଓ ଅଫିସ୍‌ରେ ମାନୁଆଲି ଆବେଦନ କରିବା ପାଇଁ କୌଣସି ପ୍ରକାରର ଫର୍ମ ଆଉ ଉପଲବ୍ଧ ନାହିଁ। ସମସ୍ତ ଆବେଦନ ଅନ୍‌ଲାଇନ୍‌ରେ ହେଉଥିବାରୁ ଲୋକମାନଙ୍କୁ ବାହାରେ ଆବେଦନ କରି ଆକ୍‌ନଲେଜ୍‌ମେଣ୍ଟ ଧରି ଏଠାକୁ ଆସିବା ପାଇଁ ପରାମର୍ଶ ଦିଆଯାଇଛି। ବାହାରେ ଏକ ହେଲ୍ପ ଡେସ୍କ ଖୋଲିବ। ଏଠାରେ ଦୁଇଜଣ କର୍ମଚାରୀ ଅଫିସ୍‌ ସମୟରେ ରହିବା ସହ ଆବେଦନକାରୀଙ୍କୁ ସହାୟତା ପ୍ରଦାନ କରିବେ।

ସମ୍ବନ୍ଧିତ ଖବର