୨୭୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୨ ବ୍ୟବସାୟୀ ଗିରଫ

ଭୁବନେଶ୍ବର : ରାଜଧାନୀରେ କାୟା ବିସ୍ତାର କରିଥିବା ଧଳାଜହର ବେପାରୀଙ୍କୁ ସାବାଡ୍‌ କରିବାକୁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। କମିସନରେଟ୍‌ ପୁଲିସ ‘ହ୍ବାଇଟ୍‌ ସ୍ପାଇଡର୍‌’ ନାମରେ ମିସନ୍‌ ଆରମ୍ଭ କରି ବିଭିନ୍ନ ବସ୍ତିରେ ଚଢ଼ଉକୁ ଜୋରଦାର କରିଛି। ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ହଳଦୀପଡ଼ିଆ ବସ୍ତିରେ ଚଢ଼ଉ କରି୨ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିର ସେକ୍‌ ଆଲ୍ଲାଉଦ୍ଦିନ ଓରଫ ସୋନୁ(୩୩) ଓ ମଝିସାହି ଅଞ୍ଚଳର ଅବିନାଶ ଲେଙ୍କା(୩୩)। ପୁଲିସ ସେମାନଙ୍କଠାରୁ ୨୭୦ ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଓ ୧୭୦୫ ଟଙ୍କା ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ଅନୁମାନିକ ବଜାର ମୂଲ୍ୟ ୨୭ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।

ପୁଲିସ ସୂଚନା ମୁତାବକ, ବହୁଦିନ ହେବ ସୋନୁ ଓ ଅବିନାଶ ଭୁବନେଶ୍ବରରେ ଧଳାଜହାର କାରବାର ଚଳାଇ ଆସୁଥିଲେ। ସେମାନେ ବାଲେଶ୍ବରରୁ ଏହି ନିଶାଦ୍ରବ୍ୟ ଆଣି ରାଜଧାନୀର ବିଭିନ୍ନ ସ୍ଥାନକୁ ଯୋଗାଉଥିଲେ। ବିଶେଷ ସୂତ୍ରରୁ ଖବରପାଇ ଆଜି ଦିନ ପ୍ରାୟ ସାଢ଼େ ୧ଟା ବେଳେ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ଟିମ୍‌ ହଳଦୀପଡ଼ିଆ ସ୍ଥିତ ଏକ ଘରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତ ଦ୍ବୟ ଖସି ପଳାଇଯିବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ୨ ଜଣଙ୍କୁ କାବୁ କରିବା ସହ ବ୍ରାଉନ୍‌ସୁଗାର ଓ ଟଙ୍କା ଜବତ କରିଥିଲା। ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର