ବିଏସ୍‌ସିଏଲ୍‌ର ଚଳିତ ବର୍ଷର ବଜେଟ୍‌ ୪୯୫.୫୦କୋଟି

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌)ର ୧୩ତମ ବୋର୍ଡ ଅଫ୍‌ ଡାଇରେକ୍ଟରର୍ସ ‌ବୈଠକ ଯୋଜନା ଓ ସମନ୍ବୟ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବିଏସ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ବିଏସ୍‌ସିଏଲ୍‌ର ୨୦୧୯-୨୦ ବର୍ଷ ପାଇଁ ୪୯୫.୫୦କୋଟିର ବଜେଟ୍‌କୁ ବୋର୍ଡ ଅନୁମୋଦନ କରିଛି। ଏହାସହ ବିଏସ୍‌ସିଏଲ୍‌ର ସ୍ବାଧୀନ ନିର୍ଦ୍ଦେଶକ ଭାବେ ଚାଟାର୍ଡ ଆକାଉଟାଣ୍ଟ ଶିବ ପ୍ରସାଦ ପାଢ଼ୀ ଏବଂ ଶରତ କୁମାର ଆଚାର୍ଯ୍ୟଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ଏହି ବୈଠକରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ଯୋଗଦେଇ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ କହିଥିଲେ ଯେ, ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା ଠିକ୍ ଭାବେ ପରିଚାଳନା କରିବା ପାଇଁ ବିଏସ୍‌ସିଏଲ୍‌ ପକ୍ଷରୁ ଲାଗିଥିବା ସିସିଟିଭି ଗୁଡ଼ିକର ଫୁଟେଜ୍ ଡିସିପି ଟ୍ରାଫିକ ଏବଂ ଭୁବନେଶ୍ବର ଡିସିପିଙ୍କୁ ଦିଆଯାଉ। ଏହାସହ ସମସ୍ତ ମେଡିଆନ୍‌ରେ ଅସମ୍ଭାଳ ଭିଡ଼ ହେଉଥିବାରୁ ବିଏସ୍‌ସିଏଲ୍‌ ପକ୍ଷରୁ ଅତ୍ୟାଧୁନିକ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା ପ୍ରକଳ୍ପରେ ସମସ୍ତ ମେଡିଆନ୍‌ରେ ବ୍ଲିଙ୍କର୍ ଲଗାଯାଉ। ଏନେଇ ପଦକ୍ଷେପ ନିଆଯିବ ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଥିଲା।

ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ନଗର ଉନ୍ନୟନ ବିଭାଗ ପ୍ରମୁଖସଚିବ ଜି. ମାଥିଭାଥନନ୍, ଶକ୍ତି ସଚିବ ହେମନ୍ତ ଶର୍ମା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ସାଧାରଣ ପ୍ରଶାସନ ବିଭାଗ ସ୍ବତନ୍ତ୍ର ସଚିବ ଗିରୀଶ ଏସ୍‌ଏନ୍‌, ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ପ୍ରେମ କୁମାର ଝା, ବିଏସ୍‌ସିଏଲ୍‌ ବୋର୍ଡ ଅଫ୍‌ ଡାଇରେକ୍ଟରର୍ସର ସ୍ବାଧୀନ ନିର୍ଦ୍ଦେଶକ ପଦ୍ମଜା ମିଶ୍ର, ବିଏସ୍‌ସିଏଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ‌ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର