ଅଧିକ ଆଦାୟ ଅର୍ଥ ଛାତ୍ରଛାତ୍ରୀଙ୍କୁ ଫେରାଅ

ସିଭି ରମଣ କଲେଜକୁ ବୈଷୟିକ ଶିକ୍ଷା ବିଭାଗର ନିର୍ଦେଶ

ଭୁବନେଶ୍ୱର : ୨୦୦୮-୦୯ ଶିକ୍ଷାବର୍ଷଠାରୁ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ବାବଦରେ ଛାତ୍ରଛାତ୍ରୀଙ୍କଠାରୁ ଅଧିକ ଅର୍ଥ ଆଦାୟ କରିଥିବା ସିଭି ରମଣ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ। ରାଜ୍ୟ ସରକାରଙ୍କ ଫି’ ଷ୍ଟ୍ରକଚର କମିଟି ପକ୍ଷରୁ ଧାର୍ଯ୍ୟ ଅର୍ଥଠାରୁ କଲେଜ କର୍ତୃପକ୍ଷ ଲଗାତାର ତିନି ବର୍ଷ ଲାଗି ଅଧିକ ଆଦାୟ କରିଥିଲେ। ତାହା ଉପରେ ବିଚାର କରି ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ଛାତ୍ରଛାତ୍ରୀଙ୍କଠାରୁ ଆଦାୟ କରାଯାଇଥିବା ଅଧିକ ଫି’ ମାସେ ଭିତରେ ଫେରସ୍ତ ଦିଗରେ ପଦକ୍ଷେପ ନେବାକୁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୭-୦୮ ମସିହା ଫି’ ଷ୍ଟ୍ରକଚର କମିଟି ପକ୍ଷରୁ ନାମଲେଖା ଲାଗି ୫୫ ହଜାର ଏବଂ ହଷ୍ଟେଲ ଫି’ ବାବଦରେ ୧୪ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। କିନ୍ତୁ ସିଭି ରମଣ କଲେଜ କର୍ତୃପକ୍ଷ ନିର୍ଧାରିତ ଫି’ଠାରୁ ଅଧିକ ଅର୍ଥ ଅର୍ଥର୍ାତ୍‌ ନାମଲେଖା ବାବଦରେ ୮୦ ହଜାର ଏବଂ ହଷ୍ଟେଲ ଫି’ ବାବଦରେ ୪୮,୫୦୦ ଟଙ୍କା ଆଦାୟ କରିଥିଲେ। ଏନେଇ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିବା ପରେ ୨୦୧୧ରେ ବିଭାଗ ପକ୍ଷରୁ କଲେଜ କର୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। କଲେଜ କର୍ତୃପକ୍ଷ ମଧ୍ୟ ଫି’ ବୃଦ୍ଧି ଲାଗି ଫି’ ଷ୍ଟ୍ରକଚର କମିଟି ନିକଟରେ ଦାବି କରିଥିଲେ। କିନ୍ତୁ କମିଟି କଲେଜ କର୍ତୃପକ୍ଷଙ୍କ ଅବେଦନକୁ ଅଗ୍ରାହ୍ୟ କରିବା ସହ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରିଥିଲା। ଏନେଇ ବିପିୟୁଟି ଛାତ୍ର ସୁରକ୍ଷା ପରିଷଦ ସଭାପତି ବିପ୍ଲବ ମହାନ୍ତି ବୈଷୟିକ ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ଅର୍ଥ ଫେରସ୍ତ କରିବା ଲାଗି ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କଲେଜ କର୍ତୃପକ୍ଷଙ୍କ ନିକଟକୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର