ଭୁବନେଶ୍ୱର : ଏଣିକି ଟ୍ରାଫିକ୍ ପୁଲିସଙ୍କ ଛାତିରେ ଲାଗିବ କ୍ୟାମେରା। ୮ରୁ ୧୦ ଘଣ୍ଟା ସମୟ ଧରି ଏହି କ୍ୟାମେରା ଉଭୟ ଭିଡିଓ ଓ ଅଡିଓ ରେକର୍ଡିଂ କରିପାରିବ। ଦୈନିକ ଏହି ରେକର୍ଡିଂକୁ ଯାଞ୍ଚ କରିବେ ଟ୍ରାଫିକ୍ର ଜଣେ ବରିଷ୍ଠ ଅଧିକାରୀ। ଆସନ୍ତାକାଲି ମଧ୍ୟାହ୍ନରେ ଏଜି ଛକରେ ଥିବା ଟ୍ରାଫିକ୍ ଥାନାରେ ଏହାର ଉଦ୍ଘାଟନ କରାଯିବ। ପୁଲିସ କମିସନର୍ ଯୋଗେଶ ବାହାଦୁର ଖୁରାନିଆ ଏହାକୁ ଉଦ୍ଘାଟନ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
କମିସନର ଶ୍ରୀ ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ନୋଏଡା, ହାଇଦ୍ରାବାଦ, ଲୁଧିଆନା ଭଳି ଦେଶର ଅନେକ ସହରରେ ଟ୍ରାଫିକ୍ ପୁଲିସଙ୍କ ଛାତିରେ କ୍ୟାମେରା ଖଞ୍ଜା ଯାଇଛି। ଡ୍ୟୁଟିବେଳେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ଟ୍ରାଫିକ୍ ନିୟମର ଉଲ୍ଲଂଘନ କରୁଥିବା ବାଇକ୍ ଓ କାର ଚାଳକ ଉପରେ ଏହି କ୍ୟାମେରା ମାଧ୍ୟମରେ ନଜର ରଖାଯାଇପାରିବ। ଏହା ଛଡ଼ା ବିଭିନ୍ନ ସମୟରେ ଟ୍ରାଫିକ୍ ପୁଲିସ ପକ୍ଷରୁ ଜରିମାନା ଆଦାୟ କରାଯିବା ବେଳେ ଟ୍ରାଫିକ୍ ପୁଲିସଙ୍କ ବିରୋଧରେ ଅନେକ ଅଭିଯୋଗ ଆସୁଥିଲା। ବାଇକ୍ ଓ କାର୍ ଚାଳକମାନେ ଟ୍ରାଫିକ୍ ପୁଲିସ କର୍ମଚାରୀମାନେ ଲାଞ୍ଚ ନେଉଛନ୍ତି ବୋଲି କହୁଥିଲେ। ଛୋଟ ଛୋଟ କଥାରେ କେତେକ ଛକରେ ଟ୍ରାଫିକ୍ ପୁଲିସକୁ ବାଇକ୍ ଓ କାର ଚାଳକମାନେ ଆକ୍ରମଣ କରୁଥିଲେ। ପରବର୍ତୀ ସମୟରେ ସେମାନେ ଏଭଳି ଅଭିଯୋଗକୁ ଫାଙ୍କି ଦେଉ ଓଲଟି ଟ୍ରାଫିକ୍ ପୁଲିସ ବିରୋଧରେ ଅଭିଯୋଗ ଆଣୁଥିଲେ।
ଏବେ ଟ୍ରାଫିକ୍ ପୁଲିସଙ୍କ ଛାତିରେ କ୍ୟାମେରା ଲାଗିବା ପରେ ସବୁ ଘଟଣା ରେକର୍ଡିଂ ହୋଇଯିବ। କେବଳ ଟ୍ରାଫିକ୍ ପୁଲିସ ନୁହନ୍ତି, ଏସିପି ଓ ଦୁଇ ଇନ୍ସପେକ୍ଟର୍ଙ୍କ ଗାଡ଼ିରେ ମଧ୍ୟ କ୍ୟାମେରା ଖଞ୍ଜାଯିବ ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି। ଟ୍ରାଫିକ୍ ଏସିପି ଯତୀନ୍ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଏଥିପାଇଁ ଶହେଟି ବଡି କ୍ୟାମେରା ଅଣାଯାଇଛି। ଟ୍ରାଫିକ୍ ପୁଲିସର ଅଫିସର୍ ଓ କନ୍ଷ୍ଟେବଲମାନଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ। ଗତବର୍ଷ ପୁଲିସ କମିସନର୍ ଶ୍ରୀ ଖୁରାନିଆ ଏଭଳି ଏକ ପାଇଲଟ ଯୋଜନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ପରେ ରାଜ୍ୟ ସରକାର ଏହାର ଅନୁମତି ପ୍ରଦାନ କରିଥିଲେ।