ଶିଶୁକନ୍ୟାଙ୍କ ଆଖିରେ କର୍କଟ, ଚିନ୍ତାରେ ଦୃଷ୍ଟିହୀନ ଦମ୍ପତି

ଭୁବନେଶ୍ବର : କରୋନା ଛଡ଼ାଇନେଲା ଜୀବିକା। ଏବେ ୨୩ ମାସର ଶିଶୁକନ୍ୟାର ଆଖି ଅସ୍ତ୍ରୋପଚାର ଚିନ୍ତାରେ ଦୃଷ୍ଟିହୀନ ଦମ୍ପତି। ଅସ୍ତ୍ରୋପଚାର ପାଇଁ ୩ରୁ ୪ଲକ୍ଷ ଟଙ୍କାର ଆବଶ୍ୟକତା ଥିବା ବେଳେ ସେମାନେ ଏତେ ଅର୍ଥ ଯୋଗାଡ଼ କରିବା ସ୍ଥିତିରେ ନାହାନ୍ତି। ଝିଅଟି ସେମାନଙ୍କ ଭଳି ସବୁଦିନ ପାଇଁ ଦୁନିଆ ଦେଖିବାରୁ ବଞ୍ଚିତ ନ ହେଉ, ସେଥିପାଇଁ ବାପାମା’ ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

ରାଜଧାନୀର ଭରତପୁରରେ ରହୁଥିବା ଦୃଷ୍ଟିହୀନ ଦମ୍ପତି ଅଶୋକ ଓ ସୁମିତ୍ରା ନାଏକଙ୍କ ଶିଶୁକନ୍ୟା ପୂଜାର୍ଚନା ସୁସ୍ଥ-ସବଳ ହୋଇ ଜନ୍ମ ହୋଇଥିବାରୁ ସେମାନଙ୍କ ମନରେ ଖୁସି ବାଡ଼ ମାନୁନଥିଲା। ହେଲେ କରୋନା ଏବଂ ଲକ୍‌ଡାଉନ୍‌ ଯେମିତି ତାହା ସହିପାରିଲା ନାହିଁ। ବିଶାଖାପାଟଣାରେ ରେଳବାଇରେ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଅଶୋକ ଗତବର୍ଷ ଲକ‌୍‌ଡାଉନ୍‌ରେ ଚାକିରି ହରାଇ ଓଡ଼ିଶା ଚାଲି ଆସିଲେ ଏବଂ ସମ୍ପର୍କୀୟଙ୍କ ସହିତ ପୁରୀ ଜିଲ୍ଲାର ବଳଙ୍ଗାରେ ରହୁଥିଲେ। ଅଚାନକ ୬ ମାସର ଶିଶୁକନ୍ୟା ପୂଜାର ମୁଣ୍ଡରେ ମାଡ଼ ହେଲା ଏବଂ ଆଖି ଲାଲ୍‌ ହୋଇଗଲା। ତୁରନ୍ତ ସେମାନେ ତା’କୁ କ୍ୟାପିଟାଲ ଡାକ୍ତରଖାନାରେ ଦେଖାଇଲେ। ମାତ୍ର ଡାକ୍ତର ଶିଶୁର କିଛି ହୋଇ ନାହିଁ କହି କେବଳ ଆଇ ଡ୍ରପ୍‌ ଲେଖିଦେଇଥିଲେ। ଏହା ସତ୍ତ୍ବେ ପୂଜାର ଅବସ୍ଥାରେ ସୁଧାର ନହେବାରୁ ୭ ଦିନ ପରେ ପୁଣି କ୍ୟାପିଟାଲ ଡାକ୍ତରଖାନା ଆସିଲେ। ପୁଣି ଡାକ୍ତର ସେହି ଡ୍ରପ୍‌ ଲେଖି ଦେଲେ। ଏଣେ ଶିଶୁ କନ୍ୟାର ଆଖି ଲାଲ୍‌ ସାମାନ୍ୟ କମିଥିଲେ ବି ସେ ସମ୍ପୂର୍ଣ୍ଣ ସୁସ୍ଥ ହେଲାନି। ପରେ ସେମାନେ ପୂଜାକୁ ଏଲ୍‌ଭି ପ୍ରସାଦରେ ଦେଖାଇବା ପରେ ବିଭିନ୍ନ ପ୍ରକାର ପରୀକ୍ଷା-ନୀରିକ୍ଷାରୁ ଆଖିର ବାମପଟ ଡୋଳାର ପଛପଟରେ ଏକ ଟ୍ୟୁମର ହୋଇ କ୍ୟାନସରରେ ପରିଣତ ହୋଇସାରିଥିବା ଜଣାପଡ଼ିଲା। ଏହା ଜାଣିବା ପରେ ‌ବାପାମା’ଙ୍କ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଲା। ତେବେ ସେମାନେ ନିଜର ସମସ୍ତ ସମ୍ବଳ ବିନିଯୋଗ କରି ପିଲାଟିର ଚିକିତ୍ସା କଲେ। ଇତିମଧ୍ୟରେ ତା’ର କେମୋ ଚିକିତ୍ସା କରାଯିବା ସହ ବାମ ପାର୍ଶ୍ବ ଆଖିର ଡୋଳା ବାହାର କରାଯାଇଛି। ଏବେ କିନ୍ତୁ ଡାହାଣ ପଟ ଆଖିରେ କର୍କଟ ରୋଗ ସଂକ୍ରମିତ କରିବାକୁ ବଡ଼ ଧରଣର ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।

କରୋନା ଯୋଗୁଁ ଚାକିରି ହରାଇଥିବା ଅଶୋକ ବହି ଫେରି କରି ପରିବାର ପୋଷଣ କରୁଥିଲେ। ଚଳିତ ବର୍ଷର କରୋନା ଜନିତ ଲକ୍‌ଡାଉନ୍ ଯୋଗୁଁ ତାଙ୍କର ଏହି ଫେରି ବ୍ୟବସାୟ ବି ବନ୍ଦ ହୋଇଯାଇଛି। ତେଣୁ ଅର୍ଥାଭାବ ଯୋଗୁଁ ପରିବାର ଚଳାଇବାକୁ ଅସମର୍ଥ ଅଶୋକ ନିଜ ଶିଶୁକନ୍ୟାର ଆଖି ଅସ୍ତ୍ରୋପଚାର କେମିତି କରିବେ, ସେହି ଚିନ୍ତାରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଥିବା ଅଶୋକଙ୍କୁ ଆର୍ଥିକ ସହାୟତା କରିବାକୁ ଚାହୁଁଥିବା ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ଆକାଉଣ୍ଟ ନମ୍ବର ୭୫୧୨୦୨୧୨୦୦୦୦୬୬୯ରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ସବିଶେଷ ଜାଣିବା ଲାଗି ଅଶୋକଙ୍କ ଫୋନ ନମ୍ବର ୮୪୫୬୦୭୯୬୦୬ରେ ମଧ୍ୟ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର