କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ଆଉ ଏକ ଔଷଧ ବିତରଣ କେନ୍ଦ୍ର

ଔଷଧ ପ୍ରତିରୋଧକ ଯକ୍ଷ୍ମା ୱାର୍ଡ ଓ ଫିଜିଓଥେରାପି କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ୩ଟି କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ରୋଗୀଙ୍କ ସୁବିଧା ପାଇଁ ଏକ ନୂତନ ଔଷଧ ବିତରଣ କେନ୍ଦ୍ର ସହିତ ଫିଜିଓଥେରାପି ୟୁନିଟ୍ ଓ ଔଷଧ ପ୍ରତିରୋଧକ ଯକ୍ଷ୍ମା ୱାର୍ଡ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ଉଦ୍‌ଘାଟନ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, କ୍ୟାପିଟାଲ ହସ୍ପିଟାଲକୁ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ନୂତନ ଔଷଧ ବିତରଣ କେନ୍ଦ୍ର ଉଦ୍‌ଘାଟନ ପରେ ଲୋକମାନେ ସହଜରେ ଔଷଧ ପାଇପାରିବେ। ଏହାସହ ଫିଜିଓଥେରାପି ଓ ଔଷଧ ପ୍ରତିରୋଧକ ଯକ୍ଷ୍ମା ୱାର୍ଡର ସୁବିଧା ମଧ୍ୟ ଲୋକଙ୍କୁ ମିଳିପାରିବ ବୋଲି ଶ୍ରୀ ଦାସ କହିଛନ୍ତି। ଉଦଘାଟନ ପରେ ସ୍ବାସ୍ଥ୍ୟମନ୍ତ୍ରୀ ହସ୍ପିଟାଲର ବିଭିନ୍ନ ବହିର୍ବିଭାଗ ପରିଦର୍ଶନ କରିବା ସହିତ ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ହସ୍ପିଟାଲକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଆଜିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଓ ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ଏକ ଔଷଧ ବିତରଣ କେନ୍ଦ୍ର ରହିଛି। ସେଠାରେ ରୋଗୀଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ନୂତନ ଭାବେ ପୁରୁଣା ସ୍ତ୍ରୀ ଓ ପ୍ରସୂତି ୱାର୍ଡ ନିକଟରେ ଏହି ଔଷଧ ବିତରଣ କେନ୍ଦ୍ର ଖୋଲାଯାଇଛି। ଯାହାଫଳରେ ଔଷଧ ବିତରଣ କେନ୍ଦ୍ରରେ ଭିଡ଼କୁ କମାଯାଇ ପାରିବ। ସେହିପରି ଶିଶୁ ୱାର୍ଡ ନିକଟରେ ଫିଜିଓଥେରାପି ‌ୟୁନିଟ୍‌ ଅସ୍ଥାୟୀଭାବେ କାର୍ଯ୍ୟ କରୁଥିଲା ଏବେ ପୁରୁଣା ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ଏହା କାର୍ଯ୍ୟ କରି‌ବ। ଏହାସହ ସଂକ୍ରମଣ ୱାର୍ଡ ନିକଟରେ ଔଷଧ ପ୍ରତିରୋଧକ ଯକ୍ଷ୍ମା ୱାର୍ଡ କାର୍ଯ୍ୟକ୍ଷମ ହୋଇଛି। ସେଠାରେ ଗୋଟିଏ ଲେଖାଏଁ ଶଯ୍ୟା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଉଲ୍ଲେଖ ଯେ, ପୂର୍ବରୁ ମଧ୍ୟ ହସ୍ପିଟାଲରେ ୩ଟି ଔଷଧ ବିତରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲା। ପୁରୁଷ ସର୍ଜରି, ସ୍ତ୍ରୀ ଓ ପ୍ରସୂତି ୱାର୍ଡ ଓ ଲାପା‌ରା‌ସ୍କୋପି ୱାର୍ଡ ନିକଟରେ ଔଷଧ ବିତରଣ କରାଯାଉଥିଲା। ମାତ୍ର ପରବର୍ତୀ ସମୟରେ ଏସବୁ ବିତରଣ କେନ୍ଦ୍ରଗୁଡ଼ିକୁ ବନ୍ଦ କରି ଦିଆଯାଇଥିଲା। ଏବେ ‌ସେହି କେନ୍ଦ୍ରଗୁଡ଼ିକରେ ହସ୍ପିଟାଲର କର୍ମଚାରୀ ରହୁଛନ୍ତି। ତେବେ କେଉଁ କାରଣ ପାଇଁ ଏହି ଔଷଧ ବିତରଣ କେନ୍ଦ୍ରକୁ ବନ୍ଦ କରି ଦିଆଗଲା ତାହା ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର