କ୍ୟାପିଟାଲ ହସ୍ପିଟାଲ ଆଇସିୟୁର ଷ୍ଟାଫ ନର୍ସ ପଜିଟିଭ୍

କ୍ୟାପିଟାଲ ଥାନାରେ ୬ ପଜିଟିଭ୍‌, ବ୍ୟାଙ୍କ‌ରୁ ବାହାରିଲେଣି ୨ ଆକ୍ରାନ୍ତ, ସିଲ୍‌ ହେଉନି

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ କାର୍ଯ୍ୟରତ ଜଣେ ଷ୍ଟାଫ ନର୍ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ନର୍ସ ଜଣକ ଗତ ୪ଦିନ ହେବ ଛୁଟିରେ ରହିଥିଲେ ଓ ଆଜି କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ତାଙ୍କର କୋଭିଡ୍‌ ପରୀକ୍ଷା ହୋଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି। ଏହାସହ ଆଇସିୟୁକୁ ସାନିଟାଇଜ୍ କରାଯାଇଛି। ଅପରପକ୍ଷରେ ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ହସ୍ପିଟାଲରେ ୩ଜଣ ଷ୍ଟାଫ ନର୍ସ ଏ ପର୍ଯ୍ୟନ୍ତ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଅପରପକ୍ଷରେ ଆଜି ହସ୍ପିଟାଲର ପ୍ଲାଜ୍‌ମା ବ୍ୟାଙ୍କରେ ଆଉ ଜଣେ ରକ୍ତଦାତା ନିଜର ପ୍ଲାଜ୍‌ମା ଦାନ କରିଛନ୍ତି। ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ ଦିନ ଜଣେ ରକ୍ତଦାତା ପ୍ଲାଜ୍‌ମା ଦାନ କରିଥିଲେ।

Odisha 360

କ୍ୟାପିଟାଲ ଥାନାରେ ୬ ପଜିଟିଭ୍‌
ଭୁବନେଶ୍ୱର : କ୍ୟାପିଟାଲ ଥାନାର ପୁଣି ୬ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ଜଣେ କନେଷ୍ଟବଳ ପଜିଟିଭ୍‌ ହେବା ପରେ ୨୭ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଆଣ୍ଟିଜେନ୍‌ ପରୀକ୍ଷାରେ ଏହି ୬ ଜଣଙ୍କୁ ନେଇ ସନ୍ଦେହ ହେବାରୁ ଏମାନଙ୍କର ସ୍ବାବ୍‌ ଟେଷ୍ଟ ପାଇଁ ପଠା ଯାଇଥିଲା। ସେବେ ଠାରୁ ଏମାନେ ସଙ୍ଗରୋଧରେ ଥିଲେ। ଆଜି ରିପୋର୍ଟ ପଜିଟିଭ୍‌ ଆସିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଥାନା ସିଲ୍‌ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଥାନା‌ ସିଲ୍ କରାଯିବ ନାହିଁ ବୋଲି ଜୋନ୍‌-୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି। ଗତ ୨୬ ତାରିଖ ଦିନ ଏହି ଥାନାର ଜଣେ ମହିଳା କନେଷ୍ଟବଳ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ରିପୋର୍ଟ ଆସିବା ପରେ ଥାନାକୁ ସାନିଟାଇଜ୍‌ କରାଯାଇଥିଲା। ଅନ୍ୟ ସମସ୍ତ କର୍ମଚାରୀଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ସମ୍ପୃକ୍ତ କନେଷ୍ଟବଳ ୧୫ ଦିନ ସଙ୍ଗରୋଧରେ ରହିଥିଲେ, ଏଣୁ ସଂକ୍ରମଣ ଚିନ୍ତା ନାହିଁ ବୋଲି ସେତେବେଳେ ପୁଲିସ କହିଥିଲା। ତେବେ ଏହି ୬ ଜଣଙ୍କୁ କେମିତି କରୋନା ହେଲା ସେ ନେଇ ଚିନ୍ତା ବଢ଼ିଛି।

ବ୍ୟାଙ୍କ‌ରୁ ବାହାରିଲେଣି ୨ ଆକ୍ରାନ୍ତ, ସିଲ୍‌ ହେଉନି
ଭୁବନେଶ୍ୱର : ୟୁନିଟ୍‌-୯ ଅଞ୍ଚଳରେ ଥିବା ଏକ ଘରୋଇ ବ୍ୟାଙ୍କରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ତିନି ଦିନ ମଧ୍ୟରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ଏହି ବ୍ୟାଙ୍କକୁ ସିଲ୍‌ କରାଯାଇନି। ଫଳରେ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ, ଏହି ବ୍ୟାଙ୍କଟି ଏକ ଅନୁଷ୍ଠାନ ପରିସରରେ ଥିବା ବେଳେ ସେଠାକାର କର୍ମଚାରୀମାନେ ବି ଏବେ ଭୟରେ ଅଫିସ୍‌ ଆସୁଛନ୍ତି। ପ୍ରତିଦିନ ବ୍ୟାଙ୍କକୁ ବହୁ ଲୋକ ଆସୁଥିବାବେଳେ ସେମାନେ କରୋନା ଆକ୍ରାନ୍ତ ବାହାରିଥିବା ନେଇ ଜାଣିନାହାନ୍ତି। ତେଣୁ ବ୍ୟାଙ୍କରେ ଯଦି ଆଉ କେହି କରୋନା ଆକ୍ରାନ୍ତ ଥିବେ ‌ତେବେ ସତର୍କତା ଅଭାବରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯିବାର ଆଶଙ୍କାକୁ ଏଡ଼ାଇ ହେବନି।

ବାଲିଅନ୍ତାରେ ୧୭ ପଜିଟିଭ୍‌
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଆଜି ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପ୍ରତାପଶାସନ ପଞ୍ଚାୟତର ବସନ୍ତପେଡ଼ି ଗ୍ରାମର ପୂର୍ବରୁ ସଂକ୍ରମିତ ହୋଇଥିବା ଜଣେ ବସ୍‌ ଚାଳକଙ୍କ ପରିବାରର ୪ ସଦସ୍ୟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ପଞ୍ଚାୟତ ସଂଗରୋଧ କେନ୍ଦ୍ରରୁ କାକରୁଦ୍ରପୁର ପଞ୍ଚାୟତର ଜଣେ କୋଲକାତା ଫେରନ୍ତା ଯୁବକ, ଝିଣ୍ଟିଶାସନ ପଞ୍ଚାୟତର ଜଣେ ୮୦ବର୍ଷୀୟ ବୃଦ୍ଧ, ଜଗନ୍ନାଥପୁର ପଞ୍ଚାୟତ ଅଧୀନ ଅନନ୍ତପୁର ଅଞ୍ଚଳରେ ରହୁଥିବା ଜଣେ ଯୁବକ, ବାଲିଅନ୍ତା ପଞ୍ଚାୟତର ୨ଜଣ ସ୍ଥାନୀୟ ଯୁବକ, ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ବର୍ଷକର ପୁଅ, ବୋଧଖଣ୍ଡି ଭୋଇସାହିର ଜଣେ ଯୁବକଙ୍କ ସମେତ ଅନ୍ୟ ୫ଜଣ ମହିଳା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହାଛଡ଼ା‌ ସରଦେଇପୁରସ୍ଥିତ ଡାକବଙ୍ଗଳା ସ୍ବାବ୍‌ ସଂଗ୍ରହ କେନ୍ଦ୍ରରେ ନମୁନା ଦେଇଥିବା ପୁରୁଣା ଭୁବନେଶ୍ବର ଅଞ୍ଚଳର ୨ଜଣ ବ୍ୟକ୍ତି ଆକ୍ରାନ୍ତ ବୋଲି ଜଣାପଡ଼ିଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର