କ୍ୟାପିଟାଲ ହସ୍ପିଟାଲ ଶିଶୁ ଓ୍ଵାର୍ଡରେ କେଳେଙ୍କାରୀ : ଉଦ୍‌ଘାଟନ କରି ଭୁଅାଁ ବୁଲାଇଦେଲେ

ଏସି, ଡିଜି ସେଟ୍‌ ଓ ପୋର୍ଟିକୋ ବଢ଼ାଇବା ପାଇଁ ଅନୁରୋଧ କରିଛୁ: କର୍ତୃପକ୍ଷ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଇନ୍‌ଫୋସିସ୍‌-ଶିଶୁ ଓ୍ଵାର୍ଡରେ ନବୀକରଣ କାର୍ଯ୍ୟରେ ବ୍ୟାପକ ଟଙ୍କା ହରିଲୁଟ୍‌ ହେଲା। ସମସ୍ତେ ମିଳିମିଶି ଲକ୍ଷାଧିକ ଟଙ୍କା ହଡ଼ପ କରିନେଲେ। ମାତ୍ର ଏହାର ତଦନ୍ତ ହେବା ତ ଦୂରର କଥା ଏହାକୁ ଚାପି ଦେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଗଲା। ବେଶ୍‌ କିଛିଦିନ ଗଡ଼ି ଯିବା ପରେ ଆଜି ଏହି ଇନ୍‌ଫୋସିସ୍‌-ଶିଶୁ ଓ୍ଵାର୍ଡକୁ ଉଦ୍‌ଘାଟନ କରି କେଳେଙ୍କାରୀକୁ ଚାପି ଦେବାକୁ ଉଦ୍ୟମ ହୋଇଛି। ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଆସିଥିବା ଇନ୍‌ଫୋସିସ୍‌ର ଅଧିକାରୀଙ୍କୁ ଭୁଅାଁ ବୁଲାଇବାରେ ସମସ୍ତେ ସଫଳ ହୋଇଛନ୍ତି।

ଆଜି ଇନ୍‌ଫୋସିସ୍‌ର ଭୁବନେଶ୍ୱର କାର୍ଯ୍ୟାଳୟର ଜଣେ ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ କର୍ତୃପକ୍ଷ ଓ୍ଵାର୍ଡରେ ହୋଇଥିବା ନବୀକରଣ କାର୍ଯ୍ୟକୁ ବୁଲାଇ ଦେଖାଇଥିଲେ। ହସ୍ପିଟାଲର ନିର୍ଦେଶକ ଓ ଅନ୍ୟମାନେ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥିପାଇଁ ଓ୍ଵାର୍ଡର ସମ୍ମୁଖ ଭାଗରେ ଥିବା ଗେଟ୍‌କୁ ଆଜି ସକାଳୁ ରଂଗେଇ ଦିଆଯାଇଥିଲା। ଆଖପାଖରେ ଥିବା ଅଳିଆକୁ ସଫା କରି ଚକାଚକ୍‌ କରି ଦେଇଥିଲେ କର୍ତୃପକ୍ଷ। ଓ୍ଵାର୍ଡର ପୂର୍ବରୁ ଲାଗିଥିବା ଫଳକ ସମ୍ମୁଖରେ ଆଉ ଗୋଟିଏ ଉଦ୍‌ଘାଟନର ଫଳକ ଲଗାଇ ଦିଆଯାଇଥିଲା। ଅପରପକ୍ଷରେ ହସ୍ପିଟାଲରେ ପୁନର୍ବାର ନବୀକରଣ ପାଇଁ ସ୍ୱତନ୍ତ୍ର ଭାବେ ଆଉ ଏକ ବଜେଟ୍‌ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲ ଇନଫୋସିସ୍‌-ଶିଶୁ ଓ୍ଵାର୍ଡ ୨୦୦୩ ମସିହା ମାର୍ଚ ୧୫ତାରିଖରେ ଉଦ୍‌ଘାଟିତ ହୋଇଥିଲା। ଇନ୍‌ଫୋସିସ୍‌ ପକ୍ଷରୁ ଏହି ଓ୍ଵାର୍ଡକୁ ନିର୍ମାଣ କରାଯାଇଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏହାର ଉଦ୍‌ଘାଟନ କରିଥିଲେ। ସେବେଠାରୁ ହସ୍ପିଟାଲରେ ଶିଶୁ ଓ୍ଵାର୍ଡ ଚାଲି ଆସୁଛି। ଗତବର୍ଷ ଇନ୍‌ଫୋସିସ୍‌ ପକ୍ଷରୁ ଏହାର ନବୀକରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ଇନ୍‌ଫୋସିସ୍‌ର ଅଧିକାରୀ କ୍ୟାପିଟାଲ ହସ୍ପିଟାଲକୁ ଆସି କ’ଣ କ’ଣ ନବୀକରଣ କରାଯିବ ତାହାର ତଥ୍ୟ ସଂଗ୍ରହ କରିଥିଲେ। ହସ୍ପିଟାଲ କର୍ତୃପକ୍ଷଙ୍କ ସହାୟତାରେ ଏଥିପାଇଁ ଏକ ଓ୍ଵାର୍କ ଅର୍ଡର ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ଦେଢ଼ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଶିଶୁ ଓ୍ଵାର୍ଡରେ ଏସ୍‌ଏନ୍‌ସିୟୁ ଓ ପିକୁକୁ ବାଦ୍‌ ଦେଲେ ଅନ୍ୟ ସ୍ଥାନରେ ନବୀକରଣ କରାଯିବାକୁ ପ୍ରସ୍ତାବ ରହିଥିଲା। ଗତବର୍ଷ ଅଗଷ୍ଟ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶିଶୁ ଓ୍ଵାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ନବୀକରଣ କାର୍ଯ୍ୟ ହୋଇଥିଲା। ଓ୍ଵାର୍କ ଅର୍ଡରରେ ଶିଶୁ ଓ୍ଵାର୍ଡରେ ତଳ ଚଟାଣର ଟାଇଲ ବଦଳାଯିବା, କାନ୍ଥ ଛଡ଼ାଯାଇ ପ୍ଲାଷ୍ଟର କରାଯିବା, ଓ୍ଵାର୍ଡରେ ଥିବା ଭଙ୍ଗା ଗେଟ୍‌କୁ ବଦଳାଯାଇ ଗ୍ରିଲ ଲଗାଇବା, ପୁରୁଣା େଓ୍ଵୟାରିଂ ବଦଳାଯାଇ ନୂଆ େଓ୍ଵୟାରିଂ ପାଇଁ ପ୍ରସ୍ତାବ ରହିଥିଲା। ସେହିପରି ଶିଶୁ ଓ୍ଵାର୍ଡର ବହିର୍ବିଭାଗର ଗୃହର ନବୀକରଣ, ଓ୍ଵାର୍ଡରେ ଥିବା କାଚ ଝରକାକୁ ବଦଳାଯାଇ ନୂତନ କାଚ ଲଗାଯିବା, ଡାକ୍ତର ଓ ଷ୍ଟାଫ ନର୍ସ ବସୁଥିବା ସ୍ଥାନରେ ଏସି ଲଗାଯିବାକୁ ମଧ୍ୟ ପ୍ରସ୍ତାବ ରହିଥିଲା। ଓ୍ଵାର୍ଡରେ ସମୁଦାୟ ୨୦ଟି ଏସି ଲଗାଇବାକୁ ପ୍ରସ୍ତାବ ରଖିଥିଲେ ହସ୍ପିଟାଲ କର୍ତୃପକ୍ଷ। ଏହାସହ ଶିଶୁ ଓ୍ଵାର୍ଡ ସମ୍ମୁଖରେ ଥିବା ପିଲାଙ୍କ ପାଇଁ ପାର୍କରେ ମଧ୍ୟ ନବୀକରଣ ଓ ଭାଙ୍ଗି ଯାଇଥିବା ଶଯ୍ୟା ବଦଳରେ ନୂତନ ଶଯ୍ୟା ପାଇଁ ଏଥିରେ ପ୍ରସ୍ତାବ ରହିଥିଲା।

ମାତ୍ର ଶିଶୁ ଓ୍ଵାର୍ଡରେ ନବୀକରଣ କାର୍ଯ୍ୟରେ କୌଣସି ଆଖିଦୃଶିଆ ପରିବର୍ତନ ହେଲାନାହିଁ। ଓ୍ଵାର୍ଡର ପ୍ରବେଶ ସମୟରେ ସୋଲର ସିଲିଂ କରି ଦିଆଗଲା। କେତେକ ସ୍ଥାନରେ କିଛି ଏଲଇଡି ବଲ୍‌ବ ଓ ୮ଟି ନୂତନ ପଙ୍ଖା ଲଗାଇ ଭୁଆଁ ବୁଲାଇବାରେ ସଫଳ ହେଲା ଠିକାଦାରୀ ସଂସ୍ଥା। ପୁରୁଣା ଟାଇଲ୍‌ ଓ ମୋଜାଇକ୍‌ ବଦଳାଇବା ପରିବର୍ତେ କେବଳ ସଫା କରି ରଂଗ ମାରି ଦିଆଯାଇଥିବା ବେଳେ ଏବେ ସେଥିରୁ ରଂଗ ମଧ୍ୟ ଛାଡ଼ି ଗଲାଣି। ଭଙ୍ଗା କବାଟ ବଦଳରେ ନୂତନ କବାଟ ଲଗାଇବାକୁ ପ୍ରସ୍ତାବ ଥିଲେ ହେଁ ଗୋଟିଏ ହେଲେ କବାଟ ପରିବର୍ତନ ହୋଇନାହିଁ।

କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶିଶୁ ଓ୍ଵାର୍ଡରେ ରୋଗୀ ଆଟେଣ୍ଡାଣ୍ଟଙ୍କ ବସିବା ଓ ଖାଇବା ପାଇଁ ଏକ ଛାତ ବା ସେଡ୍‌ ନିର୍ମାଣ କରିବା, ୧୦ଟି ଏସି, ଗୋଟିଏ ଡିଜି ସେଟ୍‌, ଓ୍ଵାର୍ଡରେ ଥିବା ଟିକେଟ୍‌ କାଉଣ୍ଟରକୁ ବାହାରକୁ ନେବା ଓ ଓ୍ଵାର୍ଡର ପର୍ଟିକୋକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଠିକା ସଂସ୍ଥାକୁ ଅନୁରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, କ୍ୟାପିଟାଲ ହସ୍ପିଟାଲର ଶିଶୁ ଓ୍ଵାର୍ଡରେ ନବୀକରଣ କାର୍ଯ୍ୟରେ ବ୍ୟାପକ କେଳେଙ୍କାରୀ ହୋଇଥିବା ଖବର ଗତମାସ ୧୨ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ତେବେ ଏହି କେଳେଙ୍କାରୀକୁ ଯେନତେନ ପ୍ରକାର ଚାପି ଦେବାକୁ ସମସ୍ତ ଉଦ୍ୟମ କରାଯାଇଥିଲା।

ସମ୍ବନ୍ଧିତ ଖବର