ନିଶାସକ୍ତ ଛାତ୍ରଙ୍କ ପାଇଁ ବାଣୀବିହାର ପୁଣି ଅଶାନ୍ତ, ରାତିରେ କୁଳପତିଙ୍କୁ ଘେରିଲେ ଛାତ୍ର

ହଷ୍ଟେଲ ଛାଡ଼ିବାକୁ ନିର୍ଦେଶ, ଥାନାରେ ଏତଲା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପିଛା ଛାଡ଼ୁନି ବିବାଦ। ସୋମବାର ଦୁଇ ଛାତ୍ରଗୋଷ୍ଠୀ ହାତାହାତି ହୋଇଥିବା ବେଳେ ଆଜି ପୁଣି ଅଶାନ୍ତ ହୋଇପଡ଼ିଛି ବାଣୀବିହାର କ୍ୟାମ୍ପସ୍‌। ଜଣେ ନିର୍ଦ୍ଦିଷ୍ଟ ଛାତ୍ରଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ରାତିରେ ୬ ନମ୍ବର ଛାତ୍ରାବାସର ଛାତ୍ରମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସମ୍ପୃକ୍ତ ଛାତ୍ରଙ୍କୁ କ୍ୟାମ୍ପସ୍‌ରୁ ତଡ଼ିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଛାତ୍ରମାନେ ଦାବି କରିଛନ୍ତି। କ୍ୟାମ୍ପସ୍‌ରେ ଉତ୍ତେଜନା ଲାଗିରହିଥିବାରୁ ଦୁଇ ପ୍ଲାଟୁନ୍‌ ପୁଲିସ ମୁତୟନ ଅଛନ୍ତି। ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ ଏକ ସେଲ୍ଫ ଫାଇନାନ୍ସିଂ ବିଭାଗର ଜଣେ ଛାତ୍ର ଗତ କିଛି ଦିନ ହେଲା ଲଗାତାର ଭାବେ କ୍ୟାମ୍ପସ୍‌ରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ପ୍ରତିଦିନ ସନ୍ଧ୍ୟା ହେବା କ୍ଷଣି ଛାତ୍ର ଜଣକ ନିଶାସକ୍ତ ଅବସ୍ଥାରେ ହଷ୍ଟେଲ୍‌ରେ ପ୍ରବେଶ କରି ଛାତ୍ରମାନଙ୍କୁ ଗାଳିଗୁଲଜ କରୁଛନ୍ତି। ବଡ଼ ପାଟି କରି ଖରାପ ଭାଷା ପ୍ରୟୋଗ କରୁଛନ୍ତି। ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ଏନେଇ ଛାତ୍ର ଜଣଙ୍କୁ ବାରମ୍ବାର କହିବା ପରେ ବି ଶୁଣୁନାହାନ୍ତି। କର୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି। ବରଂ ଅଭିଯୋଗ କରୁଥିବା ଛାତ୍ରଙ୍କୁ ମାରିବାକୁ ସମ୍ପୃକ୍ତ ଛାତ୍ର ଜଣକ ଧମକ ଦେଉଛନ୍ତି। ଛାତ୍ର ଜଣକ କ୍ୟାମ୍ପସରେ ନିଶା ବେପାର କରୁଥିବା ଛାତ୍ରମାନେ ଅଭିଯୋଗ କରିଥିଲେ। ରାତି ପ୍ରାୟ ୧୦ଟା ବେଳେ ଛାତ୍ରମାନେ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ପରେ ମଧ୍ୟରାତି୍ରରେ କୁଳପତି ଆନ୍ଦୋଳନରତ ଛାତ୍ରଙ୍କ ନିକଟରେ ପହଞ୍ଚି ବୁଝାସୁଝା କରିଥିଲେ। ହଷ୍ଟେଲ ସୁପରିଟେଣ୍ଡେଣ୍ଟ ମଧ୍ୟ ପହଞ୍ଚି ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ହଷ୍ଟେଲ ରୁମ୍‌ ଛାଡ଼ିବା ପାଇଁ ସମ୍ପୃକ୍ତ ଛାତ୍ରଙ୍କୁ କୁହାଯାଇଛି। ଏଥିସହ ସମ୍ପୃକ୍ତ ଛାତ୍ରଙ୍କ ପରିବାର ନିକଟକୁ ମଧ୍ୟ ଏକ ଚିଠି ପଠାଯାଇଛି। ଛାତ୍ରମାନଙ୍କ ପକ୍ଷରୁ ସହିଦନଗର ଥାନାରେ ମଧ୍ୟ ଏକ ଏତଲା ଦିଆଯାଇଥିବା ଜଣାପଡ଼ିଛି।

ଉପାସରେ ରହିଲେ ହଷ୍ଟେଲ୍‌ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜଧାନୀ କଲେଜରେ ଦୁଇ ଦିନ ଧରି ଉପାସରେ ରହିଲେ ଛାତ୍ରଛାତ୍ରୀ। କଥାଟା ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ଗତ ଦୁଇ ଦିନ ହେଲା ଏଭଳି ସମସ୍ୟା ହୋଇଛି ସମ୍‌ ହସ୍ପିଟାଲ ନିକଟସ୍ଥ ଥିବା ଅର୍ବାନ୍‌ ହଷ୍ଟେଲରେ। ସୋମବାର କେତେଜଣ ଅଣଛାତ୍ର ହଷ୍ଟେଲ କ୍ୟାଣ୍ଟିନ୍‌ରେ ପଶି ଭଙ୍ଗାରୁଜା କରିବା ପରେ କ୍ୟାଣ୍ଟିନ୍‌ ଚଲାଉଥିବା ବ୍ୟକ୍ତି ଜଣଙ୍କ ଛାଡ଼ି ପଳାଇଛନ୍ତି। ଯେଉଁଥିପାଇଁ ସୋମବାରଠାରୁ ଏଠାକାର ଛାତ୍ରଛାତ୍ରୀ ଖାଇବାକୁ ପାଇନାହାନ୍ତି। ଉପାସରେ ରାତି କାଟିଛନ୍ତି। ଏହାକୁ ନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ରାଜଧାନୀ ମହାବିଦ୍ୟାଳୟ ମୁଖ୍ୟଫାଟକ ସମ୍ମୁଖରେ ରାଜ୍ୟ ସରକାରଙ୍କ ଜନଜାତି ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ସୋମବାର ରାତିରେ କେତେଜଣ ଅଣଛାତ୍ର ହଷ୍ଟେଲ କ୍ୟାଣ୍ଟିନ୍‌ରେ ପ୍ରବେଶ କରି ଗଣ୍ଡଗୋଳ କରିଥିଲେ। ଯେଉଁଥି ପାଇଁ କ୍ୟାଣ୍ଟିନ୍‌ ଚଳାଉଥିବା ବ୍ୟକ୍ତି ବନ୍ଦ କରିବା ଦ୍ୱାରା ହଷ୍ଟେଲରେ ରହୁଥିବା ପ୍ରାୟ ୩୦୦ ଛାତ୍ରଙ୍କୁ ଉପାସରେ ଶୋଇବାକୁ ପଡ଼ିଥିଲା। ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଛାତ୍ରମାନେ ଉପାସରେ ରହିଥିଲେ। ହଷ୍ଟେଲ୍‌ରେ ଅଣଛାତ୍ରଙ୍କ ପ୍ରବେଶ ଏବଂ ଖାଦ୍ୟପେୟରେ ଅନିୟମିତତା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ।

ରାଜଧାନୀ ମହାବିଦ୍ୟାଳୟ କ୍ୟାମ୍ପସ ସଭାପତି ଜ୍ୟୋତିରଂଜନ ନାୟକଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜର ମୁଖ୍ୟଫାଟକ ସମ୍ମୁଖରେ ମନ୍ତ୍ରୀ ଶ୍ରୀ ମାଝୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ହଷ୍ଟେଲରେ ଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ନିକଟରେ ଦାବି କରିଥିଲେ। ଏହାପରେ ଅଧ୍ୟକ୍ଷା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଅଗାମୀ ଦିନରେ ଯଦି ଏହି ସମସ୍ୟା ଲାଗି ରୁହେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଏବିଭିପିର କ୍ଷୀରୋଦ ପଟ୍ଟନାୟକ, ପ୍ରୀତମ ପଣ୍ଡା, ମହେଶ ପତି, ସୋମୁ ଦେ, ପ୍ରଭାତ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର