ନିର୍ଦେଶାଳୟ ବିଲୀନକୁ ସିଆଇଟିୟୁର ବିରୋଧ

ଭୁବନେଶ୍ବର: ସଚିବାଳୟର ବିଭାଗ ଓ ଏହାର ସଂପୃକ୍ତ ମୁଖ୍ୟ ବିଭାଗୀୟ କାର୍ଯ୍ୟାଳୟକୁ ଗୋଟିଏ ଛାତ ‌ତଳେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ‘୫-ଟି’କୁ ତ୍ବରାନ୍ବିତ କରିବା ବାହାନାରେ ମୁଖ୍ୟ ବିଭାଗୀୟ କାର୍ଯ୍ୟାଳୟକୁ ସଚିବାଳୟ ସହିତ ବିଲୀନ କରୁଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଶାସନ ଢାଞ୍ଚାର ବିରୋଧ କରୁଛି। ଦେଶର ଅନ୍ୟ ରାଜ୍ୟରେ ଏହି ଢାଞ୍ଚା ପ୍ରଚଳିତ ଥିବା ବେଳେ ରାଜ୍ୟ ସରକାର କାହା ସ୍ବାର୍ଥରେ ଏହି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛି ଭାରତର ଟ୍ରେଡ ୟୁନିୟନ୍ କେନ୍ଦ୍ର। ସଂଗଠନର ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଯୋଜନାର ସଫଳ ରୂପାୟନ ତଥା କ୍ଷମତାର ସୁଷମ ବଣ୍ଟନ ପାଇଁ ଶାସନର ଏହି ଢାଞ୍ଚାକୁ ଷଡ଼ଯନ୍ତ୍ର କରି ଭାଙ୍ଗି ଦିଆଯାଇଛି। ନିର୍ଦେଶାଳୟର କର୍ମଚାରୀଙ୍କ ମୃତ, ପଦୋନ୍ନତି ଅଥବା ଅବସର ପରେ ସେହି ପଦବିକୁ ପୂରଣ କରାଯିବ ନାହିଁ ବୋଲି ନିର୍ଦେଶନାମାରେ କୁହାଯାଇଛି। ନିର୍ଦେଶାଳୟ ବିଲୀନ ହେବା ପରେ ସେଠାରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀ, ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଅନେକ ଯୁବକ/ଯୁବତୀ କର୍ମସଂସ୍ଥାନ ହରାଇବେ। ତୃଣମୂଳସ୍ତରରୁ କାର୍ଯ୍ୟକରି ଚାକିରି ଶେଷ ବେଳକୁ ପଦୋନ୍ନତି ପାଉଥିବା ଜଙ୍ଗଲ, କୃଷି, ବୟନଶିଳ୍ପ, ଶିକ୍ଷା, ଇଞ୍ଜିନିୟରିଂ ଓ ନର୍ସିଂ ଇତ୍ୟାଦିର ଅନେକ ବୈଷୟିକ ଅଧିକାରୀ କାଳକ୍ରମେ ପଦବି ହରାଇବେ। ରାଜ୍ୟରେ ଶିକ୍ଷିତ ବେକାରୀ ବଢ଼ୁଥିବା ବେଳେ ସରକାରଙ୍କ ଏହି ନିଯୁକ୍ତିକୁ ସଂଗଠନ ପକ୍ଷରୁ ବିରୋଧ କରାଯିବା ସହିତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର