କରୋନା ଆତଙ୍କ : ମାର୍ଚ ୩୧ତାରିଖ ଯାଏ ରାଜ୍ୟରେ ପ୍ରେକ୍ଷାଳୟ ବନ୍ଦ, କାର୍ଯ୍ୟକ୍ରମ ବାତିଲ

ଆସନ୍ତା ନିର୍ଦେଶନାମା ପର୍ଯ୍ୟନ୍ତ ସଂସ୍କୃତି ଓ ପର୍ଯ୍ୟଟନ କାର୍ଯ୍ୟକ୍ରମ ବନ୍ଦ

ଭୁବନେଶ୍ବର : ‘କରୋନା’ ଏପରି କାୟା ମେଲାଇଲାଣି ଯେ ସରକାର ସାମାନ୍ୟତମ କୋହଳ ମନୋଭାବ ପୋଷଣ କରିବାକୁ ଚାହୁ ନାହାନ୍ତି। ତେଣୁ ନିହାତି ଆବଶ୍ୟକ ନଥିବା ସଭା, ସମିତି, ସାଂସ୍କୃତିକ ଉତ୍ସବକୁ ବାତିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସାମୂହିକ ସମାଗମକୁ ଏଡ଼ାଇବା ପାଇଁ କସରତ ଆରମ୍ଭ ‌ହୋଇଛି। ଏଥିପାଇଁ ସିନେମା ହଲ୍‌ ବନ୍ଦ ‌କରିବା ପାଇଁ ନିର୍ଦେଶ ଦିଆଯାଇଛି। ତେଣୁ ଆସନ୍ତାକାଲିଠୁ ସମସ୍ତ ସିନେ ପ୍ରେକ୍ଷାଳୟ ମାର୍ଚ ୩୧ତାରିଖ ଯାଏ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଏମିତିକି ମୁକ୍ତିଲାଭ କରିବାକୁ ଯାଉଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’କୁ ମଧ୍ୟ ବାତିଲ କରାଯାଇଛି। ଆଜି ମୁକ୍ତିଲାଭ କରିଥିବା ଇରଫାନ ଖାନ୍‌ଙ୍କ ଅଙ୍ଗ୍ରେଜି ମିଡିୟମ ଏବଂ ମୁକ୍ତିଲାଭ କରିସାରିଥିବା ଟାଇଗର୍‌ ଶ୍ରଫଙ୍କ ‘ବାଗୀ-୩’ର ବ୍ୟବସାୟ ପ୍ରଭାବିତ ହୋଇଛି।

ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ଉପରେ ଅଙ୍କୁଶ ଲଗାଯାଇଛି। ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ, ଭଞ୍ଜ କଳା ମଣ୍ଡପ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବୁକିଂ ବନ୍ଦ ରହିବା ସହ ପୂର୍ବ ନିର୍ଧାରିତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ତତ୍‌କ୍ଷଣାତ ବନ୍ଦ କରାଯାଇଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଥିସହ ମାର୍ଚ୍ଚ ୨୭ରେ ବିଶ୍ବ ନାଟ୍ୟ ଦିବସ, ୨୦ରେ ଲୋକକଳା ଉତ୍ସବ, ୧୪ରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ସଂଗୀତାୟନ, ୩୧ ତାରିଖରେ ଜଗନ୍ନାଥାୟନ କାର୍ଯ୍ୟକ୍ରମ, ଗାନ୍ଧୀ ମହୋତ୍ସବ ହେବ ନାହିଁ। ଘରୋଇ ସ୍ତରରେ ଆୟୋଜନ ହେବାକୁ ଥିବା କିଛି କାର୍ଯ୍ୟକ୍ରମକୁ ମଧ୍ୟ ଅନେକ ଆୟୋଜକ ଅନୁଷ୍ଠାନ ବନ୍ଦ କରିବାକୁ ସ୍ବତଃ ଆଗେଇ ଆସିଛନ୍ତି।

ସଂଗ୍ରହାଳୟକୁ ଜନସାଧାରଣ ପ୍ରବେଶ ନିଷେଧ
ଜନଗହଳିକୁ ଏଡ଼ାଇବା ପାଇଁ ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଅଭିଲେଖାଗାର, ଆନନ୍ଦ ଭବନ ସଂଗ୍ରହାଳୟ ସମେତ ଅନ୍ୟ ସମସ୍ତ ଜିଲ୍ଲାସ୍ତରୀୟ ସଂଗ୍ରହାଳୟ, ପାଠାଗାରଗୁଡ଼ିକରେ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ପ୍ରବେଶ ନିଷେଧ କରାଯାଇଛି। ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ସମେତ ସଂସ୍କୃତି ବିଭାଗର ସମସ୍ତ ଜିଲ୍ଲା ପାଠାଗାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଅନୁରୂପ ଭାବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ହେଉଥିବା ଜନ ସମାଗମକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଛି।

ବାହାରକୁ ପଠାଯିବନି ସାଂସ୍କୃତିକ ଦଳ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନର ଆବେଦନ ପରେ ସାଂସ୍କୃତିକ ଦଳ ପଠାଯାଉଥିଲେ ହେଁ ଏହାକୁ ମଧ୍ୟ ବାତିଲ କରାଯାଇଛି। ସେମାନେ ଓଡ଼ିଶା ବାହାରକୁ କିମ୍ବା ଓଡ଼ିଶା ମଧ୍ୟରେ କୌଣସି କାର୍ଯ୍ୟକ୍ରମରେ ସାମିଲ୍ ହେବେ ନାହିଁ। ଜନ ସମାଗମକୁ ଏଡ଼ାଇବା ପାଇଁ ଏପରି କରାଯାଇଛି। ବିଭିନ୍ନ କଳାକାର ସଂଘ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ୍‌ ହେଉଥିବା କଳାକାର ଦଳକୁ ମଧ୍ୟ ବାତିଲ କରାଯାଇଛି।

ପ୍ଲାନେଟାରିୟମ୍‌ ସୋ’ ବନ୍ଦ
ରାଜ୍ୟର ସମସ୍ତ ପ୍ଲାନେଟୋରିୟମ୍‌‌ରେ ସୋ’ ବାତିଲ୍‌ କରାଯାଇଛି। ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ବୁର୍ଲାର ଡ.ଏପିଜେ ଅବଦୁଲ କାଲାମ ପ୍ଲାନେଟାରିୟମ୍‌, ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା ହୋଇଛି ବୋଲି ପ୍ଲାନେଟାରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର