ରୋଡ୍‌ ରୋମିଓଙ୍କୁ ସାବାଡ୍‌ କରିଥିବା ସାହସୀ ଝିଅ ବବିନାଙ୍କୁ ସମ୍ବର୍ଦ୍ଧିତ କଲା କମିସନରେଟ୍‌ ପୁଲିସ

ଭୁବ‌ନେଶ୍ୱର: ଦୁଇ ରୋଡ୍‌ ରୋମିଓଙ୍କୁ ସାବାଡ୍‌ କରିଥିବା ଇଞ୍ଜିନିୟରିଂ ଛାତ୍ରୀ ବବିନା ମହାଲିକଙ୍କୁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟିଛି। ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ତାଙ୍କର ଏହି ସାହସ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କମିସନରେଟ୍‌ ମିଡିଆ କନ୍‌ଫରେନ୍‌ସ୍‌ ହଲ୍‌ରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ପ୍ରସଂଶାପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ସବୁ ଯୁବତୀ ତାଙ୍କ ଭଳି ସାହସୀ ହୁଅନ୍ତୁ। କେବଳ ପୁଲିସ ନୁହେଁ, ସାଧାରଣ ଲୋକଙ୍କ ପକ୍ଷରୁ ଦୁଇ ଦୁଇଜଣ ଯୁବକଙ୍କୁ ପ୍ରତିରୋଧ କରିବା ଯଦିଓ ସହଜ କଥା ନୁହେଁ, କିନ୍ତୁ ବବିନାଙ୍କ ଭଳି ଟିକେ ସାହସ ଜୁଟାଇଲେ ଅନେକ ବଡ଼ ଅପରାଧୀ ମଧ୍ୟ ସାବାଡ୍‌ ହୋଇପାରିବେ ବୋଲି ସେ କହିଛନ୍ତି। ବବିନା ମଧ୍ୟ ଏହି ପ୍ରସଂଶାପତ୍ରକୁ ନେଇ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଏଭଳି ଏକ ପ୍ରସଂଶାପତ୍ର ତାଙ୍କୁ ଆଗକୁ ଆହୁରି ମଜଭୁତ୍‌ କରିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରବିବାର ଅପରାହ୍‌ଣରେ ବବିନା ବଜାର ଯାଉଥିବା ବେଳେ ତାଙ୍କୁ ଦୁଇଜଣ ଯୁବକ ଏକ ବାଇକ୍‌‌‌ରେ ପିଛା କରିଥିଲେ। ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ପାର୍ଶ୍ବରେ ଗାଡ଼ି ଜୋର୍‌ରେ ନେଇ ଚମକାଇଥିଲେ। ତେବେ ବବିନା ସାହସ ଜୁଟାଇ ସେମାନଙ୍କୁ ମାଡ଼ ମାରିବା ସହ କାନ ଧରି ବସ୍‌ଉଠ୍‌ କରାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧିତ ଖବର