କମିସନରେଟ୍‌ ପୁଲିସର ନୂଆ ବ୍ୟବସ୍ଥା: ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ, ପ୍ରଥମ ଦିନରେ ୨ ହଜାର ଖାଦ୍ୟ ପୁଡ଼ିଆ

ଭୁବନେଶ୍ବର: କୋଭିଡ୍‌-୧୯ ମୁକାବିଲା ପାଇଁ ସବୁସ୍ତରରେ କସରତ ଚାଲିଛି। ଲକ୍‌ଡାଉନ୍‌କୁ ଶତପ୍ରତିଶତ ସଫଳ କରିବା ପାଇଁ ସରକାରଙ୍କ ଆହ୍ବାନକୁ ଯଥାସମ୍ଭବ ପୂର୍ଣ୍ଣ ରୂପ ଦେବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ତେବେ ଲକ୍‌ଡାଉନ୍‌ ପାଇଁ ଅନେକ ନିରାଶ୍ରୟ ଖାଇବାକୁ ପାଉନାହାନ୍ତି। ପ୍ରଥମଥର ପାଇଁ କମିସନରେଟ୍‌ ପୁଲିସ ଆଜିଠାରୁ ଏହି ଅବହେଳିତ ତଥା ନିରାଶ୍ରୟମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ ଆରମ୍ଭ କରିଛି। ଭୁବନେଶ୍ବର ଭିତରେ ସେମାନେ ଯେଉଁଠି ବି ଥାଆନ୍ତୁ, ସେମାନଙ୍କ ପାଖରେ ପହଞ୍ଚି ପୁଲିସ ଏହି ଖାଦ୍ୟ ପୁଡ଼ିଆ ବାଣ୍ଟିଛି। ଦିନରେ ଗୋଟିଏଥର ରନ୍ଧା ଖାଦ୍ୟ ବାଣ୍ଟିବା ପାଇଁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେବା ପରେ ସମସ୍ତ ଏସିପିଙ୍କ ଅଧୀନରେ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଖାଦ୍ୟ ବଣ୍ଟା ଆରମ୍ଭ ହୋଇଛି। ତେବେ କେବଳ ନିରାଶ୍ରୟ ନୁହନ୍ତି, ଖାଇବାକୁ ପାଉ ନଥିବା ରୁଗ୍‌ଣ କିମ୍ବା ବାହାର ରାଜ୍ୟରୁ ଆସିଥିବା ଶ୍ରମିକମାନଙ୍କୁ ଚିହ୍ନଟ କରି ଖାଦ୍ୟ ‌ପହଞ୍ଚାଇବାକୁ ସ୍ଥିର କରାଯାଇଛି।

ଗୋଟିଏ ଜାଗାରେ ଏକାଠି ହୋଇ ଗହଳି କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସେମାନେ ଯେଉଁଠି ବି ଥାଆନ୍ତୁ, ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଯୋଜନା ହୋଇଛି। ଯଦି ଏଭଳି ଖାଦ୍ୟ ଆବଶ୍ୟକ କରୁଥିବା କାହାର ନଜରକୁ ଆସେ, ତେବେ ମୁଖ୍ୟାଳୟ ଡିସିପି(ଟ୍ରେନିଂ) ବିଜୟ ସାହୁଙ୍କୁ ଅବଗତ କରାଇବାକୁ ଗଣମାଧ୍ୟମ ସଂସ୍ଥା ପ୍ରତିନିଧିମାନଙ୍କୁ କମିସନର୍‌ ଅନୁରୋଧ କରିଛନ୍ତି। ପ୍ରଥମ ଦିନରେ ୨ହଜାର ଖାଦ୍ୟ ପୁଡ଼ିଆ ବଣ୍ଟା ଯାଇଛି। ଆବଶ୍ୟକ ପଡ଼ିଲେ, ଆଗାମୀ ଦିନରେ ଏହି ପରିମାଣ ବଢ଼ାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଏହି କାମରେ ଆଜି ସମସ୍ତ ଏସିପି ଓ ଆଇଆଇସି ଲାଗିଥି‌ଲେ। ୨ହଜାର ନିରାଶ୍ରୟଙ୍କ ପାଖରେ ମଧ୍ୟାହ୍ନ ଭୋଜନ ପହଞ୍ଚାଇଥିଲେ। କମିସନରେଟ୍‌ ପୁଲିସ ଅଞ୍ଚଳରେ କେହି ଜଣେ ହେଲେ ଯେଭଳି ଭୋକିଲା ନ ରୁହେ, ସେଥିପାଇଁ ଏଭଳି ଯୋଜନା କରାଯାଇଥିବା କହିଛନ୍ତି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ।

ସମ୍ବନ୍ଧିତ ଖବର