କରୋନା ମୁକାବିଲା ସମୟରେ ବଢ଼ୁଛି ଚିନ୍ତା : ତଦନ୍ତ ଘେରରେ କମିସନରେଟ୍‌ ପୁଲିସ

ଭୁବନେଶ୍ବର : କରୋନା ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ପାଲଟିଥିବା କମିସନରେଟ୍‌ ପୁଲିସ ଏବେ ଚିନ୍ତାରେ ପଡ଼ିଛି। ଗୋଟିଏପଟେ ପ୍ରଶଂସା ସାଉଁଟୁଥିବା ବେଳେ କେତେକ ପୁଲିସ ଅଧିକାରୀଙ୍କ ପାଇଁ କମିସନରେଟ୍‌ ପୁଲିସ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି। ଦୁଷ୍କର୍ମ ଅଭିଯୁକ୍ତ କ୍ୟାପିଟାଲ ଥାନାର ନିଲମ୍ବିତ ସବ୍‌ଇନ୍ସପେକ୍ଟର୍‌ ରାକେଶ ସାମଲଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଦୁଷ୍କର୍ମ ଅଭିଯୋଗ ସହ ଚୋରା ଗାଡ଼ି ବିକ୍ରି କରିବା ପାଇଁ ଅଭିଯୋଗକାରୀ ଯୁବତୀଙ୍କଠାରୁ ୫ଲକ୍ଷ ଟଙ୍କା ନେବା ଘଟଣାର ବି ତଦନ୍ତ ଚାଲୁ ରହିଛି।

ଅନ୍ୟପକ୍ଷରେ ନନ୍ଦନକାକନ ଥାନାର ତତ୍କାଳୀନ ଥାନାଧିକାରୀ ପରମାନନ୍ଦ ନାୟକଙ୍କ ବିରୋଧରେ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଆଣିଥିବା ଦୁର୍ବ୍ୟବହାର ଅଭିଯୋଗର ମଧ୍ୟ ତଦନ୍ତ କରୁଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ। ଦୁଇ ଦୁଇଟି ଘଟଣାର ତଦନ୍ତ ଚାଲିଥିବା ବେଳେ ଚୋରା ଗାଡ଼ି ଗ୍ୟାଙ୍ଗ ସହ ଜଣେ ସବ୍‌ଇନ୍ସପେକ୍ଟରଙ୍କ ସମ୍ପର୍କ ଥିବା ନେଇ ଏକ ଅଡିଓ ବାର୍ତ୍ତାଳପ ଏବେ ପୁଲିସ ହାତରେ ଲାଗିଛି। ଏହି ଅଡିଓ ଟେପ୍‌ର ସତ୍ୟାସତ୍ୟ ଜାଣିବା ଲାଗି ଆରମ୍ଭ ହୋଇଛି ତଦନ୍ତ। ଜଣେ ବରିଷ୍ଠ ଅଧିକାରୀ ଅଡିଓ ଟେପ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏକା ସମୟରେ ତିନି ତିନୋଟି ଘଟଣାକୁ ନେଇ କମିସନରେଟ୍‌ ପୁଲିସ ଏବେ ତଦନ୍ତ ଘେରରେ ରହିଛି ବୋଲି ଚର୍ଚ୍ଚା ହେଉଛି। ଲକ୍‌ଡାଉନ୍ ସମୟରେ ଦିନରାତି ଏକ କରି କାମ କରୁଥିବା କମିସନରେଟ୍‌ ପୁଲିସର ଦାୟିତ୍ବ ବଢ଼ି ଯାଇଥିବା ବେଳେ ଏହି ଘଟଣାଗୁଡ଼ିକ ଏବେ ଚିନ୍ତା ବଢ଼ାଇବାରେ ଲାଗିଛି। ଦୁଇଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ଦୁଇ ଜଣଙ୍କୁ ହଟାଇ ଦିଆଯାଇଛି। ଅଡିଓ ଟେପ୍‌କୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଯଦି କିଛି ପ୍ରମାଣ ପୁଲିସ ହାତରେ ଲାଗେ, ତାହାଲେ ସମ୍ପୃକ୍ତ ସବଇନ୍ସପେକ୍ଟର ତଦନ୍ତର ସମ୍ମୁଖୀନ ହୋଇପାରନ୍ତି।

ସବଇନ୍ସପେକ୍ଟର ଠକାମିର ଶିକାର ହେବା ପରେ ଗାଡ଼ି ଚୋରି ଗ୍ୟାଙ୍ଗର ଗୁମର ଖୋଲିଥିଲା
ରାଜଧାନୀର ଜଣେ ସବଇନ୍ସପେକ୍ଟର ସମ୍ପୃକ୍ତ ଗାଡ଼ି ଚୋରି ଗ୍ୟାଙ୍ଗର ଠକାମିର ଶିକାର ହେବା ପରେ ଘଟଣା ପଦାକୁ ଆସିଥିଲା। ଏ ନେଇ ଅଭିଯୋଗ କରିବା ପରେ ସ୍ପେସ୍କାଲ ସ୍କ୍ବାଡ୍ ପୁଲିସ ଆରମ୍ଭ କରିଥିଲା ତଦନ୍ତ। ଗତ ବର୍ଷ ଡିସେମ୍ବରରେ ତଦନ୍ତ ସମୟରେ ଆନ୍ତଃରାଜ୍ୟ ଗାଡ଼ି ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଥିଲା। ଫର୍ଚୁନର, ଇନୋଭା ଭଳି ପ୍ରାୟ ଦେଢ କୋଟି ଟଙ୍କାର ଚୋରା ଗାଡ଼ି ସ୍ପେସାଲ ସ୍କ୍ବାଡ୍ ଜବତ କରିଥିଲା। ସେତେବେଳେ କମିସନରେଟ ପୁଲିସ ଗାଡ଼ି ଚୋରି ଗ୍ୟାଙ୍ଗକୁ ଧରି ବେଶ୍ ପ୍ରଂଶସା ସାଉଁଟିଥିଲା। କିନ୍ତୁ ଏହି ଗାଡ଼ି ଚୋରି ଗ୍ୟାଙ୍ଗର ଆଉ କିଛି ପ୍ରମୁଖ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି। ସେତେବେଳେ ପ୍ରଶଂସା ସାଉଁଟିଥିବା କମିସନରେଟ ପୁଲିସକୁ ଏବେ ଅଡ଼ୁଆରେ ପକାଇଛି ଅଡିଓ ଟେପ୍। ଯାହାର ତଦନ୍ତ କରୁଛନ୍ତି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ।

୧୫ ଦିନରେ ୨ ନିଲମ୍ବିତ, ୨ ହଟିଲେ
ଲକଡାଉନ୍ ସମୟରେ କମିସନରେଟ ପୁଲିସ ପାଇଁ ଗୋଟିଏ ପରେ ଗୋଟିଏ ସମସ୍ୟା ଆସିବାରେ ଲାଗିଛି। ଗତ ୧୫ ଦିନ ଭିତରେ ଦୁଇ ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ଦୁଇ ଜଣଙ୍କୁ ହଟାଇ କମିସନରେଟ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏଭଳି ସ୍ଥିତିରେ ଆଉ ଜଣେ ସବଇନ୍ସପେକ୍ଟର ତଦନ୍ତର ସମ୍ମୁଖୀନ ହୋଇପାରନ୍ତି ବୋଲି କୁହାଯାଉଛି।

୨୪/୪ ସଂଗରୋଧ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜରାସ୍ତାରେ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ଘଟଣାରେ ବାଲିପାଟଣା ଥାନା ଅଧୀନ ବନମାଳୀପୁର ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟିଙ୍କୁ ହଟାଇ ଦିଆଯାଇଥିଲା। ତାଙ୍କୁ ପୁଲିସ ସେବା ଭବନକୁ ବଦଳି କରାଯାଇଥିଲା।

୧/୫ ନନ୍ଦନକାନନ ଥାନାର ତତ୍କାଳୀନ ଆଇଆଇସି ପରମାନନ୍ଦ ନାୟକଙ୍କ ବିରୋଧରେ ଜଣେ ମହିଳା ସବଇନ୍ସପେକ୍ଟର ଦୁର୍ବବ୍ୟବହାର ଅଭିଯୋଗ ଆଣିଥିଲେ। ଏହା ପରେ ଆଇଆଇସିଙ୍କୁ ତୁରନ୍ତ ହଟାଇ ପୁଲିସ ସେବା ଭବନ କ୍ରାଇମ ବିଭାଗ ଇନ୍ସପେକ୍ଟର ଭାବେ ବଦଳି କରାଯାଇଥିଲା।

୩/୫ ଲକଡାଉନ୍‌ ଉଲ୍ଲଂଘନ କରି ସର୍ବସାଧାରଣ ସ୍ଥାନ ଜୟଦେବ ଭବନ ଆଗରେ ୮ ଜଣ ସାଥୀଙ୍କ ସହ ମଦ୍ୟପାନ କରୁଥିବା ଅଭିଯୋଗରେ ହାବିଲଦାର ଓ କ‌ନେଷ୍ଟବଳ ଭୁବନେଶ୍ବର ଶାଖାର ସମ୍ପାଦକ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ।

୭/୫ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କ୍ୟାପିଟାଲ ଥାନାର ତତ୍କାଳୀନ ସବଇନ୍ସପେକ୍ଟର ରାକେଶ ସାମଲଙ୍କୁ ଚାକିରିରୁ ନିଲମ୍ବନ।

ସମ୍ବନ୍ଧିତ ଖବର