ୱେବ୍‌ସାଇଟ୍‌ରେ ତଥ୍ୟ ଅପ୍‌ଲୋଡ୍‌ କରୁନି କମିସନରେଟ୍‌ ପୁଲିସ

ଭୁବନେଶ୍ୱର : ବିଭିନ୍ନ ଜରୁରୀ ସୂଚନା ସମେତ କମିସନରେଟ୍‌ ପୁଲିସର ସଫଳତା ଓ କାର୍ଯ୍ୟପନ୍ଥାର ସମ୍ପୂର୍ଣ୍ଣ ବିବରଣୀକୁ ଉପସ୍ଥାପନ କରିବା ପାଇଁ ଖୋଲା ଯାଇଛି ୱେବ୍‌ସାଇଟ୍‌। ଜରୁରୀ ଫୋନ୍‌ ନମ୍ବର ହେଉ କି କମିସନରେଟ୍‌ ପୁଲିସର ଜରୁରୀ ଆଡ୍‌ଭାଇଜରି; ଏ ସବୁ ପାଇଁ କମିସନରେଟ୍‌ ପୁଲିସର ନିଜସ୍ବ ୱେବ୍‌ସାଇଟ୍‌ର ବହୁଳ ବ୍ୟବହାର ରହିଛି। ଅଦ୍ୟାବଧି ଏହି ସାଇଟ୍‌ ପରିଦର୍ଶନକାରୀଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୩୦ ହଜାର ୯୨୭ ଜଣ ରହିଛି। ଅର୍ଥାତ୍‌ ମାସକୁ ପାଖାପାଖି ଏକ ଲକ୍ଷ ଲୋକ ଏହି ସାଇଟ୍‌ ଦେଖୁଛନ୍ତି। ସେଥିପାଇଁ ଏହାକୁ ଅତି କମ୍‌ ସମୟ ବ୍ୟବଧାନରେ ଅପ୍‌ଡେଟ୍‌ କରାଯାଉଥିବା ଦର୍ଶାଯାଉଛି। କିନ୍ତୁ ଏଥିରେ ପୂର୍ବଭଳି ଆଉ ତଥ୍ୟ ଅପ୍‌ଲୋଡ୍‌ କରାଯାଉ ନାହିଁ।

ଅପରାଧ ପରିସଂଖ୍ୟାନ ୨୦୧୭ ମସିହା ପରଠାରୁ ଅପ୍‌ଲୋଡ୍‌ ହୋଇନଥିବା ବେଳେ ବିଭିନ୍ନ ସମୟରେ ଜବତ ଗାଡ଼ିର ବିବରଣୀ ଓ ଏହାର ନିଲାମ ତଥ୍ୟ ୨୦୧୫ ପରଠାରୁ ଆଉ ଅପ୍‌ଲୋଡ୍‌ ହୋଇନାହିଁ। କେବଳ କୋଟ୍‌ପା, ମୋଟର ଯାନ ଆଇନ, ମଦ୍ୟପ ଚାଳକଙ୍କ ଉପରେ ହୋଇଥିବା ଜରିମାନା ବାବଦକୁ ଆଦାୟ ଅର୍ଥ ସମ୍ବନ୍ଧରେ ବିବରଣୀ ଅପ୍‌-ଟୁ-ଡେଟ୍‌ ରହିଥିବା ପରିଲକ୍ଷିତ ହୋଇଛି। ତଥ୍ୟ ଥିଲେ ବି ଅପ୍‌ଲୋଡ୍‌ ହୋଇପାରିନଥିବା କହି କମିସନରେଟ୍‌ ପୁଲିସ ଏହାକୁ ହାଲ୍‌କା ଭାବରେ ନେଇଛନ୍ତି। କିନ୍ତୁ କ୍ରମବର୍ଦ୍ଧିଷ୍ଣୁ ଅପରାଧ ଯୋଗୁଁ କମିସନରେଟ୍‌ ପୁଲିସର ପାରିବାପଣିଆ ଉପରେ ଅଙ୍ଗୁଳି ଉଠିବା ଆଶଙ୍କା ଥିବାରୁ ଏହା ଅପ୍‌ଲୋଡ୍‌ ହେଉନଥିବା କୁହାଯାଉଛି।

୨୦୦୮ ମସିହାରୁ ଦୈତନଗରୀରେ କମିସନରେଟ୍‌ ପୁଲିସ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଇତିମଧ୍ୟରେ ଏହି ବ୍ୟବସ୍ଥାକୁ ୧୧ବର୍ଷ ପୂରିଥିବା ବେଳେ ୭ରୁ ଊର୍ଦ୍ଧ୍ବ ପୁଲିସ କମିସନର ବଦଳି ଗଲେଣି। ଏକଦା କମିସନର ଥିବା ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଏବେ ଡିଜି ଭାବରେ ଅବସ୍ଥାପିତ ହୋଇଛନ୍ତି। ପୁଲିସର କାର୍ଯ୍ୟପନ୍ଥା ଓ ସ୍ବଚ୍ଛତାକୁ ଆଖି ଆଗରେ ରଖି ୨୦୧୪ ମସିହାରୁ ପୁଲିସର ପ୍ରତ୍ୟେକ ବିବରଣୀ ଅଫିସିଆଲ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଆସୁଛି। କେଉଁ ଥାନାରେ କେ‌ତେ ମାମଲା ହେଲା, କେଉଁ ଥାନାରେ କି କି ପ୍ରକାରର ଅପରାଧ ଘଟିଲା, କେତେ ଅପରାଧୀ ଗିରଫ ହେଲେ, କେଉଁ ଅପରାଧ ପାଇଁ କେତେକ ଜରିମାନା ଆଦାୟ ହେଲ‌ା, କେଉଁ କେଉଁ ବଡ଼ ଅପରାଧରେ ପୁଲିସକୁ କମ୍‌ ଦିନରେ ସଫଳତା ମିଳିଲା, କେଉଁ ଅପରାଧରେ ଉପଯୁକ୍ତ ତଦନ୍ତ ଯୋଗୁଁ ଅପରାଧୀ ଦୋଷୀ ସାବ୍ୟସ୍ତ ହେଲା, ଏ ସବୁର ବିବରଣୀ ଏଠାରେ ଉପସ୍ଥାପନ କରାଯାଉଥିଲା। ଫଳରେ କେଉଁ ପ୍ରକାରର ଅପରାଧ ବଢ଼ୁଛି, କେଉଁ ଥାନାରେ ତଦନ୍ତ ଦୁର୍ବଳ ରହିଛି, କେଉଁ ଅପରାଧରେ ପୁଲିସର ତଦନ୍ତ ହାର କମି କମି ଯାଉଛି, ଏ ସବୁର ହିସାବ ଏହି ବିବରଣୀରୁ ସ୍ପଷ୍ଟ ହେଉଥିଲା ଏବଂ ଶ୍ବେତପତ୍ର ଭଳି ସାର୍ବଜନୀନ ହେଉଥିଲା। ସାଧାରଣ ଲୋକ ବି ଦୈତନଗରୀର ଅପରାଧ ସମ୍ପର୍କରେ ଏକ ଚିତ୍ର ଠଉରାଇ ପାରୁଥିଲେ। କିନ୍ତୁ ଦୁଇ ବର୍ଷ ଧରି ଏହି ଅପରାଧ ବିବରଣୀ ୱେବ୍‌-ସାଇଟ୍‌ରେ ଉପସ୍ଥାପନ ହେଉନାହିଁ।

ସେହିଭଳି ୨୦୧୫ମସିହାରେ ବର୍ତ୍ତମାନର ପୁଲିସ ଡିଜି ତଥା ତତ୍‌କାଳୀନ ପୁଲିସ କମିସନର ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ କାଳରେ ବିଭିନ୍ନ ସମୟରେ ଜବତ ହେଉଥିବା ଗାଡ଼ିର ସମ୍ପୂର୍ଣ୍ଣ ବିବରଣୀ ସହ ତାଲିକା ପ୍ରକା‌ଶ ପାଇଥିଲା। ଯେଉଁମାନଙ୍କ ଗାଡ଼ି ବା ସମ୍ପୃକ୍ତ ଗାଡ଼ିର ମାଲିକମାନେ ଉପଯୁକ୍ତ କାଗଜ ଉପସ୍ଥାପନ କରି ଗାଡ଼ି ନେଇଯିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ତାଲିକାରେ ଉଭୟ ସହର ପାଇଁ ୨୬୮ଟି ଗାଡ଼ି ରହିଥିଲା। ସେବେଠାରୁ ଏହି ତାଲିକା ପରିମାଣଠାରୁ ଅଧିକ ଗାଡ଼ି ଜବତ ହୋଇଥିଲେ ମଧ୍ୟ ଏହାର ବିବରଣୀ ୱେବ୍‌-ସାଇଟ୍‌ରେ ପ୍ରକାଶ ପାଇନାହିଁ। ଫଳରେ ଥାନା ଭିତରେ ଓ ଥାନା ବାହାରେ ରାସ୍ତା କଡ଼ରେ ଜବତ ଗାଡ଼ି ପଡ଼ି ଖତ ଖାଉଛି।

ସମ୍ବନ୍ଧିତ ଖବର