ଶେଷ ହେଲା ଆଦିବାସୀ ମେଳା, ୧୫ ଦିନରେ ୮ କୋଟିରୁ ଊର୍ଧ୍ବ ବ୍ୟବସାୟ

ଭୁବନେଶ୍ବର: ଆଦିବାସୀ ଦେଶୀ ଖାଦ୍ୟର ବାସ୍ନାରେ ଆଉ ମହକିବ ନାହିଁ ପ୍ରଦର୍ଶନୀ ପଡ଼ିଆ। ସହରିଆଙ୍କ ଆକର୍ଷଣ ସାଜିଥିବା ଝାଟିମାଟି କୁଡ଼ିଆ ସାଙ୍ଗକୁ ଆଦିବାସୀ ଚଳଣି, ପରମ୍ପରା ଓ ଗୃହ ଉପକରଣ ଆଉ ଦେଖିବାକୁ ମିଳବନି। ଆଦିବାସୀ ନୃତ୍ୟ ଓ ଗୀତରେ ଦୁଲୁକୁଥିବା ପ୍ରଦର୍ଶନୀ ପଡ଼ିଆର ମୁକ୍ତ ମଞ୍ଚ ନିରବି ଯିବ। ଏସବୁ ଉପଭୋଗ କରିବାକୁ ସହରିଆଙ୍କୁ ଆହୁରି ବର୍ଷଟିଏ ଅପେକ୍ଷା କରିବାକୁ ପଡ଼ିବ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ‘ଆଦିବାସୀ ମେଳା’ ଆଜି ଉଦ୍‌ଯାପିତ ହୋଇଯାଇଛି। ଆଉ ଶେଷ ଦିନ ସୁଦ୍ଧା ମେଳାରୁ ୮ କୋଟି ଟଙ୍କାରୁ ଊର୍ଧ୍ବ ଟଙ୍କାର ବ୍ୟବସାୟ ହୋଇଛି। ଆଦିବାସୀମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କୃଷିଜାତ ସାମଗ୍ରୀ ତଥା ସେମା‌ନଙ୍କ ଦ୍ବାରା ସଂଗୃହୀତ ବନଜାତ ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରିବଟା ନିମନ୍ତେ ଏହି ମେଳା ବଡ଼ ବଜାର ସୃଷ୍ଟି କରିଥିଲା। ବି‌ଶେଷ କରି ରାଜଧାନୀବାସୀ ଆଦିବାସୀଙ୍କ ଦ୍ବାରା ପ୍ରସ୍ତୁତ ଘରସଜା ସାମଗ୍ରୀ ପ୍ରତି ବେଶୀ ଆକର୍ଷିତ ହୋଇଥିଲେ। ଆଜି ଶେଷ ଦିନରେ ମେଳା ପରିସର ଲୋକାରଣ୍ୟ ହୋଇପଡ଼ିଥିଲା। ଶେଷ ସଂଧ୍ୟାରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବାକୁ ନୀଳଗିରିର ଆଦିବାସୀ କଳାକାରମାନେ ‘ଭୂମିଜ’ ନୃତ୍ୟ, ନବରଙ୍ଗପୁର କଳାକାରଙ୍କ ଦ୍ବାରା ‘ଗୋଣ୍ଡ’ ନୃତ୍ୟ ଓ ଚମ୍ପୁଆ କଳାକାରଙ୍କ ଦ୍ବାରା ‘ହୋ’ ନୃତ୍ୟ ପରିବେଷିତ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୋରାପୁଟ ସାଂସଦ ଝିନ ହିକ୍‌କା, ବିଭାଗୀୟ ସଚିବ ରଘୁ ପ୍ରସାଦ ଓ ନୋଡାଲ ଅଧିକାରୀ ଅଖିଳ ବିହାରି ଓତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର