ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ହୋଇଥିବା ୬ ଘଣ୍ଟିଆ ଚକା ଜାମ୍ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। କଂଗ୍ରେସ ପକ୍ଷରୁ କଟକ-ଭୁବନେଶ୍ୱରରେ ଚକା ଜାମ୍ ଡାକରା ଦିଆଯାଇଥିଲେ ହେଁ ଏହାର ପ୍ରଭାବ ରାଜଧାନୀରେ ବିଶେଷ ଦେଖିବାକୁ ମିଳି ନଥିଲା। ମାଷ୍ଟରକ୍ୟାଣ୍ଟିନ ଛକ, ଜନପଥ ଏବଂ ଏଜି ଛକକୁ ଛାଡ଼ିଦେଲେ ପ୍ରାୟ ସବୁଠି ଯାତାୟାତ ପ୍ରାୟ ସ୍ୱାଭାବିକ ଥିଲା। କଂଗ୍ରେସର ଚକା ଜାମ୍ ଡାକରା ସତ୍ତ୍ୱେ ଯେଉଁମାନେ ଘରୁ ଚାରି ଚକିଆ ଗାଡ଼ି ବାହାର କରିଥିଲେ ସେମାନଙ୍କ ଗାଡ଼ି ଭଙ୍ଗା ରୁଜା ହୋଇ ନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ କର୍ମୀମାନେ ଏଥର ଆନ୍ଦୋଳନ ସମୟରେ କୌଣସି ଭଙ୍ଗାରୁଜା କରି ନଥିବାରୁ ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହୋଇଥିବା ଚକା ଜାମ୍ ଆନ୍ଦୋଳନ ସମୟରେ କଂଗ୍ରେସ କର୍ମୀମାନେ କେଉଁଠି ଟାୟାର ଜାଳିତ କେଉଁଠି ସିଲିଣ୍ଡର ମୁଣ୍ଡାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେଲ ଦର ବୃଦ୍ଧିକୁ ପ୍ରତିବାଦ କରି ଆନ୍ଦୋଳନ ଡାକରା ଦିଆଯାଇଥିବାରୁ ରାଜଧାନୀର ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପ୍ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଥିଲା। ଚକା ଜାମ୍ ଆନ୍ଦୋଳନକୁ ସଫଳ କରିବା ପାଇଁ କଂଗ୍ରେସ କର୍ମୀମାନେ ବାଇକ୍ ରାଲିରେ ପିକେଟିଂ କରୁଥିବା ଦେଖିବାକୁ ମିଳିଥିଲା। ମାର୍କେଟ୍ ବିଲ୍ଡିଂ ସମେତ ପ୍ରାୟ ସମସ୍ତ ମାର୍କେଟ୍ କମ୍ପ୍ଲେକ୍ସ ଏବଂ ବଜାର ବନ୍ଦ ଥିଲା। ଜାତୀୟ ରାଜପଥରେ ଆସୁଥିବା ଟ୍ରକ୍, ବସ୍, ଚାରି ଚକିଆ ଗାଡ଼ିଗୁଡ଼ିକୁ କିଛି ସମୟ ଅଟକାଇ ଛାଡ଼ି ଦିଆଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଜଗନ୍ନାଥ ପଟ୍ଟନାୟକ, ଶରତ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, କାର୍ଯକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ସାଂସଦ ରଞ୍ଜୀବ ବିଶ୍ୱାଳ, ବିଜୟଲକ୍ଷ୍ମୀ ସାହୁ, ଲୋକନାଥ ମହାରଥୀ, ଇତିଶ ପ୍ରଧାନ ପ୍ରମୁଖ ମାଷ୍ଟରକ୍ୟାଣ୍ଟିନ ଓ ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ୫୧ଜଣ ଆନ୍ଦୋଳନକାରୀ ନେତା ଓ କର୍ମୀଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୨୫ପ୍ଲାଟୁନ୍ ପୁଲିସ ନିୟୋଜିତ ହୋଇଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ରହିଛି। ଆନ୍ଦୋଳନକାରୀମାନେ ନାଲକୋ, ଡମଣା ଓ ମ୍ୟାଗନେଟ୍ ଛକରେ ଟାୟାର୍ ଜାଳି ରାସ୍ତାରୋକ କରିଥିଲେ। ଆଇଏନ୍ଟିୟୁସିର ବରିଷ୍ଠ ନେତା ପ୍ରାର୍ଥୀ କିଶୋର ଜେନାଙ୍କ ନେତୃତ୍ୱରେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ କଂଗ୍ରେସ କର୍ମୀମାନେ ବନ୍ଦରେ ସାମିଲ ହୋଇଥିଲେ।