ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଅଞ୍ଚଳରେ ଅମାନିଆ ବେଶି

ଚନ୍ଦ୍ରଶେଖରପୁର : କଥାରେ ଅଛି ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’। ଏହି ଉକ୍ତିଟି ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଞ୍ଚଳର ଲୋକଙ୍କ ପାଇଁ ପ୍ରଯୁଯ୍ୟ। ଏଠାରେ ଅମାନିଆଙ୍କ ସଂଖ୍ୟା ‌ଅନେକ ବେଶି। କରୋନା କଟକଣା ମାନୁଥିବା ଲୋକ ବହୁତ କମ୍। ସାମାଜିକ ଦୂରତା ବଜାୟ ରଖିବା ଏଠାରେ ଦେଖିବାକୁ ମିଳୁନାହିଁ। ପୁଲିସର ସମସ୍ତ ଉଦ୍ୟମ ସତ୍ତ୍ବେ ଲୋକେ ସାବାଡ୍‌ ହେଉନଥିବା ଦେଖିବାକୁ ମିଳୁଛି। ବଜାର, ହାଟ, ଗଳିକନ୍ଦି ସବୁଠାରେ ସାମାଜିକ ଦୂରତା ଚୁଲିକୁ ଯାଉଛି।

ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ଅନେକ ପ୍ରବାସୀ ଆସି ରହିଛନ୍ତି। ହୋମ୍ କ୍ବାରାଣ୍ଟିନ୍‌ରେ ରହିଥିବା ‌ଲୋକମାନଙ୍କ ମଧ୍ୟରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚକେଇସିଆଣି, ଡମଣା, ଭିଏସ୍ଏସ୍ ନଗର, ମଞ୍ଚେଶ୍ବର, କଳାଝରୀ, ପଟିଆ, ଚନ୍ଦ୍ରଶେଖରପୁର, ଶିଖରଚଣ୍ଡୀ ଓ ଇନ୍‌ଫୋସିଟି ଅଞ୍ଚଳରୁ ୧୨ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି। ତେଣୁ ଏହି ସବୁ ଅଞ୍ଚଳ ଏବେ ସମ୍ବେଦନଶୀଳ ଅଞ୍ଚଳ ଭାବେ ଗଣାଯାଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ କରୋନା ଆତଙ୍କ ଖେଳିଯାଇଛି। କିନ୍ତୁ ଅନେକ ଲୋକ ଏହାକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି। ପୁଲିସ୍ ବାରମ୍ବାର ତାଗିଦ୍‌ କରୁଥିଲେ ହେଁ କିଛି ଫରକ ପଡ଼ୁନାହିଁ। ପୁଲିସ ଫେରିଯିବା ପରେ ପୁଣି ଭିଡ଼ ସ୍ଥିତି ଦେଖିବାକୁ ମିଳୁଛି। ଲୋକେ ମାକ୍ସ୍ ପିନ୍ଧୁ ନାହାନ୍ତି କି ସାମାଜିତ ଦୂରତା ରଖୁନାହାନ୍ତି। ବରଂ ନିୟମ ଭାଙ୍ଗି ପୁଲିସ୍‌କୁ ଶହେ ଟଙ୍କା ତଣ୍ଡ ଗଣିବାକୁ ପସନ୍ଦ କରୁଛନ୍ତି। ‌ତେଣୁ ଏହି ଅମାନିଆଙ୍କ ପାଇଁ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ପୁଲିସ ସୂଚନାନୁସାରେ ଉଭୟ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ପୁଲିସ୍ ଜାଭିୟର୍ ଛକ, ନାଲକୋ ଛକ, ଡମଣା ହାଟ, ଶୈଳଶ୍ରୀବିହାର ଛକ, ଇନ୍‌ଫୋସିଟି ଛକ, କିଟ୍ ଛକ ଓ ପଟିଆ ଛକରେ ତନାଘନା ଚେକିଂ କରୁଛି। ତଥାପି ଲୋକେ ମାନୁନାହାନ୍ତି। ତେଣୁ ଏଣିକି ଜରିମାନା ପରିମାଣ ଅଧିକ କରାଯିବ।

ସମ୍ବନ୍ଧିତ ଖବର