କୋଭିଡ୍‌-୧୯ ପାଇଁ ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ସରକାରଙ୍କୁ ନିବେଦନ, ତୃଣମୂଳ ସ୍ଥିତି ପରଖାଯାଉ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ପ୍ରଶଂସାଯୋଗ୍ୟ। ତେବ‌େ ତୃଣମୂଳସ୍ତରର ବାସ୍ତବ ଚିତ୍ର ଓ ପରିସ୍ଥିତି ଆଧାରରେ ଆଉ କିଛି ପଦକ୍ଷେପ ନିଆଗଲେ କରୋନା ମୁକାବିଲା‌‌‌‌ରେ ରାଜ୍ୟ ସଫଳ ହୋଇପାରିବ। ଆଜି ଓଡ଼ିଶାର ବିଭିନ୍ନ ଅଗ୍ରଣୀ ସାମାଜିକ ଅନୁଷ୍ଠାନଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ହୋଇଥିବା ଭର୍ଚୁଆଲ୍‌ ବୈଠକରେ ଏହା ଉପରେ ଆଲୋଚନା କରାଯାଇଥିଲା। ସିଭିଲ୍ ସୋସାଇଟି ରେସପନ୍ସ ଟୁ କୋଭିଡ୍‌-୧୯ର ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତିକ୍ରମେ ଏକ ନିବେଦନ ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି।

ଗ୍ରାମାଞ୍ଚଳ ଓ ଆଦିବାସୀପ୍ରବଣ ଜିଲ୍ଲାଗୁଡ଼ିକରୁ ନିୟମିତ ଭାବେ ସ୍ଥିତି ସମ୍ପର୍କରେ ଅବଗତ ହେବା ନିହାତି ଆବଶ୍ୟକ ଏବଂ ଉକ୍ତ ଅଞ୍ଚଳରେ କାର୍ଯ୍ୟରତ ସିଭିଲ୍ ସୋସାଇଟିମାନଙ୍କ ସହ ସମନ୍ୱୟ ରକ୍ଷା କରାଯାଇପାରିଲେ, ଏହା ନିଶ୍ଚିତ ଭାବେ ସହାୟକ ହୋଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଗ୍ରାମାଞ୍ଚଳର ସ୍ଥିତି ଓ ସମସ୍ୟା ଆଦିକୁ ନଜର ରଖିବା ପାଇଁ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ବିପର୍ଯ୍ୟୟ ପ୍ରଶମନ ଓ ବିପଦ ହ୍ରାସରେ ଅଭିଜ୍ଞ ସାମାଜିକ ଅନୁଷ୍ଠାନମାନଙ୍କଠାରୁ ଗ୍ରମାଞ୍ଚଳର ସ୍ଥିତି ସମ୍ପର୍କରେ ଜାଣି ଉଚିତ ପଦକ୍ଷେପ ନେବା ପାଇଁ ସରକାରଙ୍କୁ ସହଯୋଗ କରିପାରିବେ ବୋଲି ପ୍ରତିନିଧିମାନେ ମତ ପୋଷଣ କରିଥିଲେ। ଏକାକିନୀ ମହିଳା, ଦିବ୍ୟାଙ୍ଗ ମୁଖ୍ୟ ପରିବାର, ତୃତୀୟ ଲିଙ୍ଗ, ବରିଷ୍ଠ ନାଗରିକ ଥିବା ପରିବାର ଭଳି ସମାଜର ସବୁଠୁ ସମ୍ବେଦନଶୀଳ ବର୍ଗମାନଙ୍କୁ ପଞ୍ଚାୟତ ପ୍ରତିନିଧି ଓ କର୍ମୀ, ଅଙ୍ଗନୱାଡି କର୍ମୀ, ଏଏନ୍‌ଏମ୍‌, ଆଶାକର୍ମୀମାନଙ୍କ ସହଯୋଗରେ ଚିହ୍ନଟ କରାଯାଇ ପରିବାର ପିଛା ଏକ ସର୍ଭାଇଭାଲ୍ କିଟ୍ ଯୋଗାଣ ପ୍ରତି ଦୃଷ୍ଟି ଦେବାକୁ ପ୍ରତିନିଧିମାନେ ନିବେଦନ କରିଛନ୍ତି। ଗ୍ରାମାଞ୍ଚଳରେ ସଚେତନତାକୁ ଆହୁରି ବ୍ୟାପକ କରିବା ପାଇଁ ଗାଁ କଲ୍ୟାଣ ସମିତି, ମହିଳା ସ୍ୱୟଂସହାୟକ ଦଳର ପରିଚାଳିକା, ସ୍ୱେଚ୍ଛାସେବୀ ଓ ସାମାଜିକ ଅନୁଷ୍ଠାନମାନଙ୍କ ତୃଣମୂଳସ୍ତରର କର୍ମୀମାନଙ୍କୁ ବ୍ୟବହାର କରି କରୋନା ସଂକ୍ରମଣରୁ ଦୂରେଇ ରହିବା ନିମନ୍ତେ ସାମାଜିକ ଦୂରତା ବଜାୟ ରଖିବା ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତା ଅଭ୍ୟାସ ଭଳି ବାର୍ତାକୁ ଆହୁରି ବ୍ୟାପକ କରାଯିବା ଆବଶ୍ୟକ। ସେହିପରି ପ୍ରବାସୀ ଶ୍ରମିକମାନଙ୍କୁ ପରାମର୍ଶ ସେବା ଓ ସାମାଜିକ ବାସନ୍ଦକୁ ପ୍ରତିହତ କରିବା ପାଇଁ ଆବଶ୍ୟକସ୍ଥଳେ ସଙ୍ଗରୋଧ ଓ ସ୍ୱାବ୍ ପରୀକ୍ଷା ବ୍ୟବସ୍ଥା କରାଯିବା ଦରକାର। ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ସେମାନଙ୍କୁ ବେରୋଜଗାରୀ ଭତ୍ତା ବ୍ୟବସ୍ଥା କରାଯିବା ଆବଶ୍ୟକ। ସେହିପରି ପ୍ରତି ପଞ୍ଚାୟତରେ ସଙ୍ଗରୋଧ ନିବାସ ବ୍ୟବସ୍ଥାର ପରିଚାଳନା ପାଇଁ ଏକ ନିର୍ଦ୍ଦେଶାବଳୀ ସହ ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ତ୍ୱରିତ ରକ୍ତ ନମୁନା ପରୀକ୍ଷା ବ୍ୟବସ୍ଥା କରାଯିବା ଆବଶ୍ୟକ। ଲକ୍‌ଡାଉନ୍‌ ଓ ସାମାଜିକ ଦୂରତା ବଜାୟ ରଖୁନଥିବା ଅମାନିଆ ବ୍ୟକ୍ତିମାନଙ୍କ ପାଇଁ ସାମାଜିକ ରକ୍ଷକ ବ୍ୟବସ୍ଥା (ସୋସିଆଲ୍ ପୁଲିସିଂ) ଆପଣାଯାଉ। ଆବଶ୍ୟକସ୍ଥଳେ ଅର୍ଦ୍ଧ-ସାମାରିକ ବଳ ମୁତୟନ କରାଯାଉ ବୋଲି ନିବେଦନ କରାଯାଇଛି। ପରିବା ଚାଷୀ, ଗୋପାଳକ ଓ କ୍ଷୁଦ୍ର ଉତ୍ପାଦନକାରୀଙ୍କ ଉତ୍ପାଦ ବିକ୍ରି କରିବା ପାଇଁ ଓମ୍‌ଫେଡ୍ ବ୍ୟବସ୍ଥାକୁ ବ୍ୟାପକ କରାଯିବା ସହ ସାମାଜିକ ଦୂରତା ବଜାୟ ରଖିବା ବ୍ୟବସ୍ଥା ସହ ସ୍ଥାନୀୟ ହାଟ ଓ ବଜାରକୁ ନିୟନ୍ତ୍ରିତ କରି ଖୋଲାଯିବା ଆବଶ୍ୟକ। ଖାଦ୍ୟ ସାମଗ୍ରୀରେ କରୋନା ଭୂତାଣୁ ବ୍ୟାପିବା ଭଳି ଗୁଜବ ସମ୍ପର୍କିତ ସଠିକ୍ ସୂଚନା ମାଧ୍ୟମରେ ସଚେତନତାକୁ ବ୍ୟାପକ କରାଯିବା ଆବଶ୍ୟକ।

ଅନେକ ସ୍ଥାନରେ ଦେଖାଯାଉଛି ଯେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଭିଡ଼ ଜମୁଛି। ତେଣୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଭଲ ଭାବେ ସଫା ହୋଇଥିବା ଭ୍ୟାନ ମାଧ୍ୟମରେ ହିତାଧିକାରୀମାନଙ୍କ ଘରେ ସାମାଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରାଯିବା ଉପରେ ସରକାର ଦୃଷ୍ଟି ଦେବା ଉଚିତ ବୋଲି ଉପସ୍ଥିତ ପ୍ରତିନିଧିମାନେ ନିବେଦନ କରିଛନ୍ତି। ବୈଠକରେ ସିଭିଲ୍ ସୋସାଇଟି ରେସପନ୍ସ ଟୁ କୋଭିଡ୍‌-୧୯ର ପ୍ରତିନିଧି ପ୍ରଫେସର୍ ରାଧାମୋହନ, ଜଗଦାନନ୍ଦ, ଡ. ଭଗବାନ ପ୍ରକାଶ, ମଧୁସୂଦନ ଦାସ, ସ୍ନେହା ମିଶ୍ର, ମାନସ ମିଶ୍ର, ସାବରମତୀ, ଉମି ଡାନିଏଲ୍‌, ମହମଦ୍ ଅମିନ୍‌, ବିପିନ୍ ମହାନ୍ତି, ଡ. ମମତା ପ୍ରଧାନ ଓ ପ୍ରଦୀପ ମହାପାତ୍ର, ତାରା ଧଳ, ଅଂଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର