ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ହଜାର ଟପିଲା, ଦିନକରେ ୩୩୮ ଆକ୍ରାନ୍ତ ଚିହ୍ନଟ

୧୨୦ ବାଟାଲିଅନ୍‌ରେ ପଶିଲା କରୋନା, ବିମାନବନ୍ଦର ଓ ଷ୍ଟେସନ୍‌ରେ କୋଭିଡ୍‌ ପରୀକ୍ଷା ବନ୍ଦ

ଭୁବନେଶ୍ବର : ଆଜି ରାଜଧାନୀରୁ ୩୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ହଜାର ଟପିଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨୭ ଛୁଇଁଛି।

ଏପ୍ରିଲ ୧ତାରିଖରେ ରାଜଧାନୀରେ ପ୍ରାୟ ୩ଶହ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୧୮ଦିନରେ ୨୨୦୦ ସକ୍ରିୟ ଆକ୍ରାନ୍ତ ବଢ଼ିଛନ୍ତି। ସବୁଠୁ ଚିନ୍ତାର ବିଷୟ ପାଲଟିଛି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ୮୦%ରୁ ଅଧିକ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ହେଉଥିବାରୁ ଏ‌େବ ରାଜଧାନୀରେ କରୋନା କିପରି ହୁ ହୁ ହୋଇ ବଢ଼ୁଛି ତାହା ଜଣାପଡ଼ୁଛି।

ଆଜି ୧୨୦ ବାଟାଲିଅନ୍‌ରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବାଟାଲିଅନ୍‌ରେ ଆକ୍ରାନ୍ତ ବାହାରିବା ପରେ ଯବାନଙ୍କ ଚିନ୍ତା ବଢ଼ିଯାଇଛି। ଏଠାରେ ଥିବା କ୍ୟାଣ୍ଟିନ୍‌କୁ ସାଧାରଣ ଲୋକ ଯାଉଥିବାରୁ ସେମାନଙ୍କଠାରୁ କରୋନା ସଂକ୍ରମଣ ହୋଇଛି ନା ‌କୌଣସି ଯବାନ ବାହାରକୁ ଯାଇ ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡ଼ିନି।

ଆଜି ଖଣ୍ଡଗିରିରୁ ସର୍ବାଧିକ ୨୧ଜଣ ଆକ୍ରାନ୍ତ ବାହାରିଛନ୍ତି। ଏଥିରେ ୧୯ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ପଟିଆରୁ ୧୫ଜଣ, ନୂଆପଲ୍ଲୀରୁ ୧୪ଜଣ, ୟୁନିଟ-୬ରୁ ୧୦ଜଣ, ବାଣୀବିହାରରୁ ୧୦ଜଣ, ଲକ୍ଷ୍ମୀସାଗରରୁ ୮ଜଣ, ବଡଗଡ଼ରୁ ୯ଜଣ, ୟୁନିଟ-୯ରୁ ୫ଜଣ, ୟୁନିଟ-୮ରୁ ୬ଜଣ, ୟୁନିଟ-୩ରୁ ୭ଜଣ, ପୋଖରୀପୁଟରୁ ୫ଜଣ, ରସୁଲଗଡ଼ରୁ ୬ଜଣ, ଡୁମଡୁମାରୁ ୫ଜଣ, କଳ୍ପନାରୁ ୯ଜଣ, ପୁରୁଣା ଭୁବନେଶ୍ବରରୁ ୧୩ଜଣ, ସୁନ୍ଦରପଦାରୁ ୧୦ଜଣ, ବରମୁଣ୍ଡାରୁ ୧୦ଜଣ, ପାତ୍ରପଡ଼ାରୁ ୫ଜଣ, ସାମନ୍ତରାପୁରରୁ ୮ଜଣ, ଶୈଳଶ୍ରୀ ବିହାରରୁ ୮ଜଣ, ସାମନ୍ତରାପୁରରୁ ୮ଜଣ, ଜାଗମରାରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ବହୁ ଅଞ୍ଚଳରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିମାନବନ୍ଦର ଓ ଷ୍ଟେସନ୍‌ରେ କୋଭିଡ୍‌ ପରୀକ୍ଷା ବନ୍ଦ, ନେଗେଟିଭ୍ ରିପୋର୍ଟ ନଥିଲେ ବାଧ୍ୟତାମୂଳକ ସଙ୍ଗରୋଧ
ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦର ଓ ରେଳ ଷ୍ଟେସନରେ ବିଏମ୍‌ସି ପକ୍ଷରୁ ହେଉଥିବା ଆଣ୍ଟିଜେନ୍ ଟେଷ୍ଟ ବନ୍ଦ କରିଦିଆଯାଇଛି। ଯେଉଁମାନେ ବାହାର ରାଜ୍ୟରୁ ଫେରିବେ ସେମାନେ ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବେ। ନଚେତ୍ ନାମ ପଞ୍ଜୀକରଣ କରି ୭ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବେ ବୋଲି କୁହାଯାଇଛି। ବିଏମ୍‌ସି ପକ୍ଷରୁ ଗତ ୧୨ତାରିଖରୁ ବିମାନବନ୍ଦର ଓ ରେଳ ଷ୍ଟେସନରେ କୋଭିଡ ପରୀକ୍ଷା ବନ୍ଦ କରାଯାଇଥିବା କୁହାଯାଇଛି। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ ପରୀକ୍ଷା ବାଧ୍ୟତାମୂଳକ ହେଉନଥିବାରୁ ଏବେ ଯାତ୍ରୀଙ୍କୁ କେବଳ ନେଗେଟିଭ୍ ରିପୋର୍ଟ ଦେଖାଯାଉଛି ନଚେତ୍ ସଙ୍ଗରୋଧରେ ରହିବାକୁ କୁହାଯାଉଛି ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର